ଉଚ୍ଚଶିକ୍ଷା ପାଇଁ ଖୋଲିଲା ୩୪୦୬ଟି ଟେଷ୍ଟ ପ୍ରାକ୍ଟିସ୍‌ ସେଣ୍ଟର : ଓଡ଼ିଶାର ୨୭ ଜିଲ୍ଲାରେ ୧୦୮ ଟିପିସି

ଉପକୃତ ହେବେ ଜେଇଇ ମେନ୍‌ ଓ ୟୁଜିସି ନେଟ୍‌ ପରୀକ୍ଷାର୍ଥୀ, ଦେଶରେ ୬୨୨ ଜିଲ୍ଲାରେ ୨ ଲକ୍ଷ ୭୨ ହଜାର କମ୍ପ୍ୟୁଟର ସୁବିଧା

ଭୁବନେଶ୍ୱର : ଜେଇଇ ମେନ୍‌, ୟୁଜିସି ନେଟ୍‌ ପରି ଉଚ୍ଚଶିକ୍ଷା ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉଥିବା ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିସ୍‌ ପାଇଁ ସାରା ଦେଶରେ ଖୋଲିଛି ୩୪୦୬ ଟେଷ୍ଟ ପ୍ରାକ୍ଟିସ୍‌ ସେଣ୍ଟର(ଟିପିସି)। ଦେଶର ୬୨୨ଟି ଜିଲ୍ଲାରେ ଟିପିସିଗୁଡ଼ିକ ଖୋଲାଯାଇଛି। ଯେଉଁଠାରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଯେଉଁ ପରୀକ୍ଷାର୍ଥୀଙ୍କର କମ୍ପୁଟର କିମ୍ବା ମୋବାଇଲ୍‌ ଫୋନ୍‌ ପ୍ରତିବନ୍ଧକ ସାଜୁଛି ସେମାନଙ୍କ ପାଇଁଁ ଏହା ଉପଯୋଗୀ ହେବ। ଚଳିତବର୍ଷଠାରୁ ଜେଇଇ ମେନ୍‌ ଓ ୟୁଜିିସି ନେଟ୍‌ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ହେବ। ପେନ୍‌ ଓ ପେପର୍‌ ବ୍ୟବସ୍ଥା ରହିବ ନାହିଁ। ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା, କପି ରୋକିବା ଦିଗରେ ଏହା ସହାୟକ ହେବ। ତାହାକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ସାରା ଦେଶରେ ଟିପିସି ପ୍ରତିଷ୍ଠା କରାଯାଉଛି।

ଏନ୍‌ଟିଏ ପକ୍ଷରୁ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୨୨ଟି ଜିଲ୍ଲାରେ ଟିପିସି ପ୍ରତିଷ୍ଠା ହୋଇଛି। ଯେଉଁଠାରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପୂର୍ବରୁ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି)ର ସୁବିଧା ପାଇବେ। ଜେଇଇ ମେନ୍‌ ଓ ୟୁଜିସି-ନେଟ୍‌ ପରୀକ୍ଷାର୍ଥୀଙ୍କ ମକ୍‌ ଟେଷ୍ଟ କରାଯିବ। ଗୋଟିଏ ଲେଖାଏ କେନ୍ଦ୍ରରେ ୩୦ରୁ ଅଧିକ କମ୍ପ୍ୟୁଟର/ଲାପ୍‌ଟପ୍‌ର ବ୍ୟବସ୍ଥା ହୋଇଛି। ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରତି ଶନିବାର ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ତାଲିମ ଦିଆଯିବ। ରବିବାର ଦୁଇଟି ସିଟିଂ ଯଥାକ୍ରମେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ।

ଦେଶର ୩୪୦୬ ଟିପିସି ମଧ୍ୟରୁ ୬୮୯ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୪୦୩ଟି ଜବାହର ନବୋଦୟ ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା ହୋଇଛି। ୬୨୨ ଜିଲ୍ଲାର ୩୪୦୬ଟି ଟିପିସିରେ ୨ ଲକ୍ଷ ୭୨ ହଜାର ୩୪୮ଟି କମ୍ପ୍ୟୁଟର ବ୍ୟବସ୍ଥା ରହିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୬୯ଟି ଜିଲ୍ଲାରେ ୩୬୯ଟି କେନ୍ଦ୍ରରେ ୨୪ ହଜାର ୯୩୫ କମ୍ପ୍ୟୁଟର ରହିଥିବା ବେଳେ ମହାରାଷ୍ଟ୍ରରେ ୩୨୫, କେରଳରେ ୩୧୮, ମଧ୍ୟ ପ୍ରଦେଶରେ ୨୪୧ ଓ ତାମିଲନାଡ଼ୁରେ ୨୨୯ଟି ଟିପିସି ଖୋଲିଛି। ଓଡ଼ିଶାର ୨୭ଟି ଜିଲ୍ଲାର ୧୦୮ଟି ଟିପିସିରେ ୮୬୭୨ଟି କମ୍ପ୍ୟୁଟର ସୁବିଧା ରହିଛି। ସିକିମ୍‌ରେ ସର୍ବନିମ୍ନ ୪ଟି ଜିଲ୍ଲାର ୭ଟି ଟିପିସିରେ ୧୯୬ଟି କମ୍ପ୍ୟୁଟର ରହିଛି। ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ୨ଟି ଜିଲ୍ଲାରେ ୮ଟି କେନ୍ଦ୍ର, ମିଜୋରାମ ଓ ନାଗାଲାଣ୍ଡର ୭ଟି ଲେଖାଏ ଜିଲ୍ଲାରେ ୯ଟି ଲେଖାଏ କେନ୍ଦ୍ର ହୋଇଥିବା ଜଣାପଡ଼ିଛି।

ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗତ ୮ ଓ ୯ ତାରିଖରେ ଦେଶର ୯୬ଟି ଟିପିସିରେ ମକ୍‌ ଟେଷ୍ଟ କରାଯାଇଛି। ଏଥିରେ ୨୪୫୨ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଓଡ଼ିଶାରେ ଗତ ୧୫ ଓ ୧୬ ତାରିଖରେ ୨ଟି ଲେଖାଏ ଟିପିସିରେ ଛାତ୍ରଛାତ୍ରୀଙ୍କ ମକ୍‌ ଟେଷ୍ଟ କରିଛନ୍ତି। ଏହାବ୍ୟତୀତ ଗୁଗୁଲି ହାଙ୍ଗ୍‌ଆଉଟ୍‌ରେ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ୨୫ ଟିପିସିରେ ୧୯୯୪ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଓଡ଼ିଶାର ଗୋଟିଏ କେନ୍ଦ୍ରରେ ୧୦୧ ଜଣ ଅଂଶଗ୍ରହଣ କରିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର