ଜୟପୁର: ଉଚ୍ଚଶିକ୍ଷାଠାରୁ ଦୂରେଇ ଯାଉଛନ୍ତି ଛାତ୍ରଛାତ୍ରୀ। ଖାସ୍ କରି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡରେ  ଏହା ଅଧିକା ଦେଖିବାକୁ ମିଳିଛି। ଏହି କ୍ରମରେ  ଜୟପୁର ବ୍ଲକରେ ପ୍ରଥମରୁ ଦ୍ବାଦଶ ପାସ ପରେ ୩୪୨୫ପିଲା  ଡ୍ରଫଆଉଟ ଥିବା ରାଜ୍ୟ ଗଣ ଶିକ୍ଷାବିଭାଗର  ସରକାରୀ ଡ୍ରଫ ବକ୍ସରେ ଉଲ୍ଲେଖ ରହିଛି। ତେବେ ଉଲ୍ଲେଖନୀୟ ଘଟଣା ନବମ ପରେ ୩୦୭୭ପିଲା ଡ୍ରଫଆଉଟ ରହିଛନ୍ତି। ଏତେ ପିଲା ଡ୍ରଫ ଆଉଟ୍ କେଉଁ କାରଣ ପାଇଁ ହୋଇଛନ୍ତି ତାହାର କାରଣ ଖୋଜିବା ଆରମ୍ଭ କରିଛି ଜୟପୁର ବିଇଓ କାର୍ଯ୍ୟାଳୟ।

Advertisment

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଗଣଶିକ୍ଷାବିଭାଗର ଡ୍ରପବକ୍ସରେ ଜୟପୁର ବ୍ଲକରେ ପ୍ରଥମ ଓଦ୍ବିତୀୟରେ ଦୁଇ ଜଣ, ତୃତୀୟରେ ୨୬ଜଣ, ଚତୁର୍ଥରେ ୪୪ଜଣ, ପଂଚମରେ ୯ଜଣ, ଷଷ୍ଠରେ ୧୫୫ଜଣ, ସପ୍ତମରେ ୭୭ଜଣ, ୮ମରେ ୩୩ଜଣ ଅଧାରୁ ପାଠ ଛାଡ଼ିଛନ୍ତି। ନବମ ପରେ ଅଧିକା ପିଲା ଅଧାରୁ ପାଠ ଛାଡୁଛନ୍ତି। ନବମରେ ୬୭୩,ଦଶମରେ ୨୩୬, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ୧୪୨୨ ଓଦ୍ବିତୀୟ ବର୍ଷରେ ୭୪୬ଜଣ ଏଭଳି ୩୪୨୫ ପିଲା ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠ ଛାଡ଼ିବା ସଂଖ୍ୟାକୁ ନେଇ ସାମାନ୍ୟ ଦ୍ବନ୍ଦରେ ରହିଛନ୍ତି ବିଇଓ।  ଦଶମ ପାସ ପରେ କିଛି ପିଲା ଘରୋଇ କଲେଜ, ଫାର୍ମାସୀ କଲେଜ, ଆଇଟିଆଇ ଓବାହାର ରାଜ୍ୟରେ ବିଭିନ୍ନ ପାଠ୍ୟକ୍ରମରେ ପଢ଼ୁଥିବାରୁ ଏଭଳି ୪୦୦ ପିଲାଙ୍କର ତଥ୍ୟ ଡ୍ରଫ ବକ୍ସରୁ ହଟିନି ବୋଲି  ସେ ସଂଦେହ ପ୍ରକାଶ କରିଛନ୍ତି।  ପ୍ରାୟ ୩ହଜାର ପିଲା ପାଠ ଛାଡି ଦେଇଥିବା ବିଇଓ ଶ୍ରୀ ନାୟକ କହୁଛନ୍ତି। ସବୁ  ବିଦ୍ୟାଳୟ ଗୁଡିକର ଡ୍ରଫଆଉଟର ତାଲିକାକୁ ନେି ସିଆରସିସି ଓ ଶିକ୍ଷକ ମାନଙ୍କୁ ଘରକୁ ଘର ବୁଲି କେଉଁ ଛାତ୍ରଛାତ୍ରୀ ପଢ଼ୁଛନ୍ତି ନାଁ ନାହିଁ , ଯଦି ପଢ଼ୁ ନାହାନ୍ତି ବର୍ତ୍ତମାନ କଣ କରୁଛନ୍ତି ସଂପୁର୍ଣ୍ଣ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଇଓ ଶ୍ରୀ ନାୟକ। ଟେଙ୍କରସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ଦଶମରେ ୪୫ଜଣ ପିଲା ନାଁ ଲେଖାଇଥିବା ବେଳେ ଛୁଟି ପରେ ୧୦ଜଣ ପିଲା ହିଁ ବିଦ୍ୟାଳୟକୁ ଆସିଥିଲେ। ଅପରପକ୍ଷରେ ବିଦ୍ୟାଳୟକୁ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ଘର ଏବଂ ସେମାନେ କାମ କରୁଥିବା ସ୍ଥାନକୁ ଯାଇ ପିଲାଙ୍କୁ ବିଦ୍ୟାଳୟକୁ ଡାକିକି ଆଣିବା ପରେ ୨୫ଜଣ ପିଲା ପୁଣି ବିଦ୍ୟାଳୟକୁ ଫେରିଥିବା କହିଛନ୍ତି ସହକାରୀ ଶିକ୍ଷକ ପ୍ରହ୍ଲାଦ ପେଣ୍ଟିଆ, ଜିତେନ୍ଦ୍ର ନାୟକ। ଏମାନେ ବୁଲିବା ସମୟରେ କିଛି ପିଲା ଇଟାଭାଟି, ମକା ଅମଳ, ଧାନ ଅମଳ, ଘରୋଇ କାମ ଆଦିରେ ନିୟୋଜିତ ଥିବା ସେମାନେ ଦେଖିଥିବା କହିଛନ୍ତି ଶିକ୍ଷକ ଦ୍ବୟ।

ଘରର ଆର୍ଥିକସ୍ଥିତି ସ୍ବଚ୍ଛଳ ନଥିବାରୁ ୧୦ମ ପାସ ପରେ ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ପଂଚାୟତର ରାଧିକା ହାଲବା, ରଘୁନାଥ ହାଲବା, ରାଧିକା ହାଲବା(୨), ଯୁବରାଜ ହରିଜନ, ଗୀତା ହରିଜନ, ଶଙ୍କର ହରିଜନ ଆଦି ପାଠ ପଢ଼ିବାରେ ଡୋରୀ ବାନ୍ଧି ଦେଇଥିବା‌ କହିଛନ୍ତି।  ଅଧିକାଂଶ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପଢ଼ିବାକୁ ଯାଉଥିବା ପିଲାଙ୍କ ଅଭିଭାବକ ମାନେ ଉଚ୍ଚଶିକ୍ଷାରେ ପଢ଼ାଇବା ପାଇଁ ଆର୍ଥିକସ୍ତରରେ ସଶକ୍ତ ନୁହନ୍ତି। ତେଣୁ ଅଧିକାଂଶ ପିଲା ପାଠ ପଢ଼ିବାକୁ ଇଛା ରହିଥିଲେ ହେଁ ଡୋରୀ ବାନ୍ଧୁଛନ୍ତି ବୋଲି କହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ଅଧ୍ୟକ୍ଷ ହରିଶ ମୁଦୁଲି । କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରି ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରି ଡ୍ରଫ ଆଉଟ ରୋକିବା ପାଇଁ ଉଭୟ ସରକାର ସ୍ବତନ୍ତ୍ର ଆଇନ ଓ ଯୋଜନା ପ୍ରଣୟନ କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶ୍ରୀ ମୁଦୁଲି।