ରାଉରକେଲା: ରାଉରକେଲା ଦେଇ ଟ୍ରେନ୍‌ରେ ଗଞ୍ଜେଇ ଚୋରାଚାଲାଣ ଥମୁନଥିବାବେଳେ ଏବେ ଟ୍ରେନ୍‌ରେ କଫ୍‌ ସିରପ୍‌ ଚୋରାଚାଲାଣ ହେଉଥିବା ଜଣାପଡ଼ିଛି। ଏଭଳି ଦୁଇଜଣ ଚୋରାଚାଲାଣକାରୀଙ୍କୁ ରାଉରକେଲା ଅବକାରୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ, ବରଗଡ଼ ଜିଲ୍ଲା ଗାଇସିଲାଟର ରତ୍ନମଣି ନାଗ(୩୦) ଓ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭତ୍ରାର ସଚିନ ଗୁରୁ (୨୮)। ସେମାନଙ୍କ ପାଖରୁ ୩୪୭ ବୋତଲ କଫ୍‌ ସିରପ ବୋତଲ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୫ ହଜାର ଟଙ୍କା ‌ହେବ।

Advertisment

ଅଭିଯୁକ୍ତ ଦ୍ବୟ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟାରେ ରାଉରକେଲା ରେଳ ଷ୍ଟେସନ ବାହାରେ ଛିଡ଼ା ହୋଇଥିଲେ। ତାଙ୍କ ପାଖରେ କଫ୍ ସିରପ୍‌ ଭର୍ତ୍ତି ଦୁଇଟି ବଡ଼ ବ୍ୟାଗ୍‌ ରହିଥିଲା। ସେମାନଙ୍କ ଗତିବିଧିକୁ ସନ୍ଦେହ କରି କୌଣସି ବ୍ୟକ୍ତି ଅବକାରୀ ପୁଲିସକୁ ସୂଚନା ଦେଇଥିଲେ। ପରେ ଅବକାରୀ ପୁଲିସ ସଦଳବଳ ଚଢ଼ଉ କରି ଷ୍ଟେସନ ସମ୍ମୁଖ ହନୁମାନ ମନ୍ଦିର ପାଖରୁ ଉଭୟଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତମାନେ ବସ୍‌ରେ ବରଗଡ଼କୁ କଫ ସିରପ୍‌ ଚାଲାଣ କରିବାକୁ ଯୋଜନା କରୁଥିଲେ। ସେମାନେ ନିର୍ଦ୍ଦିଷ୍ଟ ଭାବେ ​କେଉଁଠାରୁ ସିରପ୍‌ ଆଣିଥିଲେ, ସେନେଇ ମୁହଁ ଖୋଲିନାହାନ୍ତି। ତେବେ ଟ୍ରେନ୍‌ରେ କୋଲକାତାରୁ କଫ ସିରପ୍‌ ଆଣିଥିବା ପୁଲିସ ଅନୁମାନ କରୁଛି।