ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପି.ଏମ୍ କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ ଦେଶର ୯କୋଟି ୮୦ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୨ହଜାର ଟଙ୍କା ଲେଖାଏଁ ଜମା ହୋଇଛି। ଏହିପରି ମୋଟ୍ ୨୨ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କିସ୍ତିରେ ଓଡ଼ିଶାରୁ ୩୪ଲକ୍ଷ ୯୫ହଜାର ଚାଷୀ ଉପକୃତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ୧୮ତମ ପିଏମ୍ କିଷାନ ଯୋଜନାରେ ଓଡ଼ିଶାରୁ ୩୧ଲକ୍ଷ ୫୨ହଜାର ଚାଷୀ ଉପକୃତ ହୋଇଥିଲେ। ରାଜ୍ୟ ସରକାର ସ୍ବତନ୍ତ୍ର ଅଭିଯାନ ମଧ୍ୟମରେ ୩ଲକ୍ଷ ୪୩ହଜାର ଚାଷୀଙ୍କୁ ଏହି ଯୋଜନାରେ ସାମିଲ୍ କରିଥିଲେ। ଆଗାମୀ ଦିନରେ ଆହୁରି ଅଧିକ ଚାଷୀଙ୍କୁ ପିଏମ୍ କିଷାନରେ ଯୋଡ଼ିବାକୁ ସ୍ବତନ୍ତ୍ର ଅଭିଯାନ ଜାରି ରହିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ପିଏମ୍-କିଷାନ ଯୋଜନା ଆରମ୍ଭ ହେବା ପରଠାରୁ ସର୍ବଭାରତୀୟ ସ୍ତରରେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଖାତାକୁ ୩.୭ ଲକ୍ଷ କୋଟି ଟଙ୍କା ଜାରି କରାଯାଇଛି। ବିହାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କେନ୍ଦ୍ର ହେଉ କିମ୍ବା ରାଜ୍ୟ ସରକାର, ସମସ୍ତଙ୍କ ପାଇଁ କୃଷକ କଲ୍ୟାଣ ହେଉଛି ପ୍ରାଥମିକତା। ଚାଷୀମାନେ ପୂର୍ବରୁ ଭୋଗୁଥିବା ସମସ୍ୟା ଉପରେ ଆଲୋକପାତ କରିବା ସହ ସେଗୁଡ଼ିକର ସମାଧାନ ଲାଗି ସେମାନଙ୍କୁ ଉନ୍ନତ ବିହନ, ସାର, ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।