ଲେଖକର ଲେଖନୀ ନିର୍ଭୀକ ଓ ଦାମ୍ଭିକ ହେବା ଆବଶ୍ୟକ: ବଳରାମ
ପୁରସ୍କୃତ ହେଲେ ୯ ନବପ୍ରତିଭା
ଭୁବନେଶ୍ବର : ନୂଆ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଅର୍ଥ ସାହିତ୍ୟରେ ନୂଆ ପିଢ଼ି ତିଆରି କରିବା। ନୂଆ ଲେଖକ ଆସିଲେ ନୂଆ ବିଚାର ତିଆରି ହେବ। ଯେଉଁ ସମାଜ ନୂଆ ବିଚାରକୁ ନିମନ୍ତ୍ରଣ ନ ଦିଏ, ସେ ସମାଜରେ କେବଳ ଦୁର୍ଗନ୍ଧ ହିଁ ରହିଯାଏ। ଆଜି ଓଡ଼ିଆ ଗଳ୍ପର ନବଜାତକ ‘କଥା’ର ୩୪ତମ ବର୍ଷିକ ଉତ୍ସବ ତଥା ‘ନବପ୍ରତିଭା ପୁରସ୍କାର ସମାରୋହ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିଲ୍ଲୀ ପ୍ରେସ୍ର ପ୍ରକାଶକ ତଥା ମୁଖ୍ୟ ସଂପାଦକ ପରେଶ ନାଥ ଏ କଥା କହିଛନ୍ତି।
ଆଜିର ପିଢ଼ିର ପଠନ ଅଭ୍ୟାସ କମିଯାଉଛି ବୋଲି ଦର୍ଶାଇ ଶ୍ରୀ ନାଥ କହିଲେ ଯେ ଅଢ଼େଇ ହଜାର ବର୍ଷ ତଳେ ସମ୍ରାଟ ଅଶୋକ ଦେଶର ବିଭିନ୍ନ ଦୂରଦୂରାନ୍ତର ଅଞ୍ଚଳରେ ଶିଳାଲେଖ ସବୁ ସ୍ଥାପନା କରିଥିଲେ। ଅଶୋକଙ୍କ ଶିଳାଲିପି ଏହା ପ୍ରମାଣ କରୁଛି ଯେ ସେତେବେଳେ ଦେଶର ସେହିସବୁ ଅଞ୍ଚଳରେ ସାକ୍ଷରତା ଥିଲା ଏବଂ ଲୋକଙ୍କର ପଠନର ଅଭ୍ୟାସ ଥିଲା। ହେଲେ ମଝିରେ କେତେ ଶତାବ୍ଦୀ ଧରି ମଣିଷର ଏହି ଅଭ୍ୟାସ ଉଭେଇ ଯାଇଥିଲା। ବ୍ରିଟିସ ଶାସନ କାଳରେ ଅଶୋକଙ୍କର ଶିଳାଲିପି ଉପରେ ଗବେଷଣା ହେବା ପରେ ଏ କଥା ଜଣାପଡ଼ିଲା। ଇଂରାଜୀ ଶିକ୍ଷା ସହିତ ପୁଣି ଥରେ ଭାରତୀୟଙ୍କ ଏହି ପଠନ ଅଭ୍ୟାସ ଫେରିଥିଲା। କିନ୍ତୁ ଏବେ ପୁଣି ଆମେ ଏଭଳି ଏକ ପିଢ଼ି ପ୍ରସ୍ତୁତ କରିବାକୁ ଯାଉଛୁ, ଯେଉଁମାନେ କି ମୁଦ୍ରିତ ଲେଖା ପଢ଼ିବାକୁ ଚାହୁନାହାନ୍ତି। ଆଜିର ଡିଜିଟାଲ୍ ଯୁଗରେ ଆମ ଯୁବ ପିଢ଼ି ନିଜେ ଧାଡ଼ିଏ ଲେଖିବାକୁ ଚାହୁନାହାନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଆମ ଯୁବପିଢ଼ି ନିଜ ପ୍ରେମିକା ପାଇଁ ୫ ପୃଷ୍ଠାର ଲମ୍ବା ପ୍ରେମପତ୍ରଟିଏ ବି ଲେଖି ପାରୁନାହିଁ।
ଶ୍ରୀ ନାଥ ଆହୁରି କହିଲେ ଯେ ପୁରସ୍କାର ନୁହେଁ, ପାଠକ ହିଁ ଲେଖକର ସର୍ବଶ୍ରେଷ୍ଠ ସମ୍ପଦ। ଲୋକମାନେ ନିଜ ଭିତରେ ପଢ଼ିବାର ପ୍ରବୃତ୍ତିକୁ ବଢ଼ାଇବା ଆବଶ୍ୟକ। କୌଣସି ଡିଜିଟାଲ୍ ମିଡିଆରେ ନୁହେଁ, ପୁସ୍ତକ ପଢ଼ିବାର ଅଭ୍ୟାସ କରିବା ଦରକାର। କାରଣ ଆମେ ଯେବେ କିଛି ମୁଦ୍ରିତ ପୁସ୍ତକକୁ ନେଇ ପଢ଼ିବାକୁ ବସୁ, ତାହା ଆମ ମସ୍ତିଷ୍କରେ ଏକ ଚିତ୍ର ଆଙ୍କେ। ଆଉ ସେହି ଚିତ୍ର ସବୁକାଳ ପାଇଁ ଆମ ମନ ଓ ମସ୍ତିଷ୍କରେ କଏଦ ହୋଇଯାଏ। ସେହିଭଳି ଭଲ ଲେଖକ ସିଏ ନୁହେଁ; ଯିଏ ନିଜ ଭାବନାକୁ ବ୍ୟକ୍ତ କରିବାକୁ ଲେଖେ। ଭଲ ଲେଖକ ସିଏ, ଯିଏ ସମାଜ ପାଇଁ ଲେଖେ ବୋଲି ଶ୍ରୀ ନାଥ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମକାଳୀନ ଭାରତୀୟ ସାହିତ୍ୟ’ ସଂପାଦକ ବିଶିଷ୍ଟ କଥାକାର ଶ୍ରୀ ବଳରାମ କହିଥିଲେ, ଲେଖୁଥିବା ସମସ୍ତ ବ୍ୟକ୍ତି ଲେଖକ ବୋଲାନ୍ତି। କିନ୍ତୁ ସେମାନଙ୍କ ସବୁ ରଚନାକୁ ରଚନା କୁହାଯାଏ ନାହିଁ। ଲେଖକର ଲେଖନୀ ନିର୍ଭୀକ ଓ ଦାମ୍ଭିକ ହେବା ଆବଶ୍ୟକ। ଲେଖାରେ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ସ୍ଥିତିର ପ୍ରତିଫଳନ ହେବା ଆବଶ୍ୟକ। ଏବେ କିନ୍ତୁ ଲେଖକଟିଏ ଦେଶର ପରିସ୍ଥିତି ସଂପର୍କରେ ଲେଖିବାକୁ ସାହସ ଜୁଟାଇ ପାରୁନି। ଦେଶର ଗଣମାଧ୍ୟମ ମଧ୍ୟ ବିକ୍ରି ହୋଇଗଲାଣି। ଯେଉଁ ଲେଖକ, ସାମ୍ବାଦିକ ଓ ସଂପାଦକ ସାହସର ସହ ଏଭଳି ମୂଲ୍ୟ ଦେବାକୁ ପ୍ରସ୍ତୁତ ନୁହନ୍ତି, ସେମାନେ ସାହିତ୍ୟ ବା ସାମ୍ବାଦିକତାକୁ ଆସିବା ଉଚିତ ନୁହେଁ। ସେ ଆହୁରି କହିଲେ ଯେ ରାଜନୀତି ଓ ସାହିତ୍ୟରେ ବାମପନ୍ଥୀ ଓ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ବିବାଦ ଏବେବି ଲାଗି ରହିଛି। ତେବେ ନା ଡାହାଣକୁ ନା ବାମକୁ; ଆମେ ସବୁବେଳେ ଦେଶକୁ ସିଧା ଦେଖିବା ଉଚିତ। ତେବେ ଯାଇ ଆମେ ସମାଜରେ ସମସ୍ତଙ୍କୁ ସମାନ ଭାବେ ଦେଖିପାରିବା। ସେ ଆହୁରି ବି କହିଥିଲେ, ସାମ୍ବିଧାନିକ ଭାବେ ହିନ୍ଦୀକୁ ରାଜ ଭାଷାର ମର୍ଯ୍ୟାଦା ମିଳିଛି ସତ; କିନ୍ତୁ ପ୍ରତିଟି ଆଞ୍ଚଳିକ ଭାଷାର ସ୍ବତନ୍ତ୍ରତା ରହିଛି। ସଂସ୍କୃତ, ତାମିଲ, ତେଲୁଗୁ ଓ ଓଡ଼ିଆ ସାହିତ୍ୟ ଭଳି ହିନ୍ଦୀ ସାହିତ୍ୟର ପ୍ରାଚୁର୍ଯ୍ୟ ନାହିଁ।
କାର୍ଯ୍ୟକ୍ରମରେ ସଭାପତିତ୍ବ କରି ‘କଥା’ର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଗଦ୍ୟ ସାହିତ୍ୟକୁ ଯଦି ଆମେ ସମୃଦ୍ଧ ନ କରିବା, ତେବେ ଆମ ଭାଷା କେବେ ସମୃଦ୍ଧ ହୋଇପାରିବ ନାହିଁ। ଭାଷା ମରି ମରି ଯାଉଛି ବୋଲି ସମସ୍ତେ କହୁଛନ୍ତି। ଓଡ଼ିଆ କହୁଥିବା ବ୍ୟକ୍ତି ଓଡ଼ିଆ ଭାଷା ମରୁଛି ବୋଲି କହିଲା ବେଳେ ଲାଗେ ସେମାନେ ଯେମିତି ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି। ଏଭଳି ଭାବିବା ଅପେକ୍ଷା ଓଡ଼ିଆ ଭାଷା କିପରି ଭଲ ଭାବେ ବଞ୍ଚିପାରିବ ସେ ସମ୍ପର୍କରେ ବିକଳ୍ପ ଚିନ୍ତାର ଆବଶ୍ୟକତା ରହିଛି। କାଗଜ, କାଳିର ମୁଦ୍ରଣ ପୁସ୍ତକ, ପତ୍ରିକା କିମ୍ବା ଖବରକାଗଜ ଆଦିର ଯୁଗ ସରି ସରି ଆସୁଛି। ଏଣୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଆମେ ଡିଜିଟାଲ୍ ମିଡିଆକୁ ବା ବିଜ୍ଞାନ ଓ କାରିଗରୀ କୌଶଳର ଅଦ୍ଭୁତ ସମ୍ଭାବନାକୁ ପାଥେୟ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପ୍ରାରମ୍ଭରେ ‘କଥା’ର ସମ୍ପାଦକ ଗୌରହରି ଦାସ ସ୍ବାଗତ ଭାଷଣ ଦେବା ସହିତ ‘କଥା’ ପତ୍ରିକାର ପ୍ରାରମ୍ଭିକ ଯାତ୍ରା ଏବଂ ଓଡ଼ିଆ ଗଳ୍ପ କ୍ଷେତ୍ରରେ ନବପ୍ରତିଭାମାନଙ୍କୁ ଆଗକୁ ଆଣିବା ଲାଗି ‘କଥା’ର ପ୍ରୟାସ ସଂପର୍କରେ ବକ୍ତବ୍ୟ ରଖିଥିଲେ। ‘କଥା’ର ସହ ସମ୍ପାଦକ କ୍ଷେତ୍ରବାସୀ ନାଏକ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘କଥା’ର ମାର୍ଚ୍ଚ ସଂଖ୍ୟା ସହ ପୁସ୍ତକ ‘କଥାଟିଏ’ ଉନ୍ମୋଚିତ ହୋଇଥିଲା।
ନବପ୍ରତିଭା ପୁରସ୍କାରରେ ୯ ପ୍ରତିଭା ସମ୍ବର୍ଦ୍ଧିତ
ଓଡ଼ିଆ ଗଳ୍ପର ନବଜାତକ ‘କଥା’ ପତ୍ରିକା ତରଫରୁ ଗତବର୍ଷ ଅକ୍ଟୋବର ମାସରେ ନବପ୍ରତିଭା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଚାରକ ଭାବେ ସହଦେବ ସାହୁ, ପରେଶ କୁମାର ପଟ୍ଟନାୟକ ଓ ହିରଣ୍ମୟୀ ମିଶ୍ର ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ୩୦୦ରୁ ଊର୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଆଜି ସେଥିରୁ ଶ୍ରେଷ୍ଠ ୯ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଛି। ମିତାଲି ମଧୁସ୍ମିତା ଜେନା ଗଳ୍ପ ‘ବିସ୍ଥାପିତ’ ପାଇଁ, ଶୁଭମ୍ ନାୟକ ‘ବୁଢ଼ାବଳଙ୍ଗର ମାଝୀ’ ପାଇଁ, ମୃତ୍ୟୁଞ୍ଜୟ ବିଶ୍ବାଳ ‘ବାଟର ବେଦନା’ ପାଇଁ, ଶୋଭାକର ପ୍ରଧାନ ‘ଅଦୃଷ୍ଟ ଅନୁରାଗ’, ଚନ୍ଦ୍ରକାନ୍ତି ପ୍ରଧାନ ‘ଅପରିଚିତା’, ପଦ୍ମନାଭ ନାଏକ ‘ଅଭିସାରିକାର ସ୍ବପ୍ନ’, ଅଳଙ୍କାର ଆଚାର୍ଯ୍ୟ ‘ଅସୂର୍ଯ୍ୟଂପଶ୍ୟା’, ବିଜୟଲକ୍ଷ୍ମୀ ନାୟକ ‘ଦରଭିଜା ଡାଏରି’ ଓ ସ୍ମୃତିରଞ୍ଜନ ସେଠୀ ‘ଛତା ତଳର ବର୍ଷା’ ପାଇଁ ‘କଥା ନବପ୍ରତିଭା ପୁରସ୍କାର’ରେ ପୁରସ୍କୃତ ହୋଇଥିଲେ।
୪ ଜଣ ପାଇଲେ ‘କନକମଞ୍ଜରୀ ମେଧାବୃତ୍ତି-୨୦୨୧’
କେଏମ୍ବିବି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ପକ୍ଷରୁ ଆୟୋଜିତ ‘କନକ ମଞ୍ଜରୀ ମେଧାବୃତ୍ତି-୨୦୨୧’ ପରୀକ୍ଷାର ୪ କୃତୀ ପ୍ରତିଯୋଗୀଙ୍କୁ ଆଜି ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପ୍ରଥମ ବିଜେତା ଭାବେ ପୁରୀ ଏସ୍ସିଏସ୍ କଲେଜର ଛାତ୍ର ବିଶ୍ବଜିତ ମହାପାତ୍ରଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ପାଇଥିବାବେଳେ ଦ୍ବିତୀୟ ବିଜେତା ଭାବେ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟର ଛାତ୍ର ଅବିନାଶ ପାଣିଗ୍ରାହୀ ୩୦ ହଜାର ଟଙ୍କା ପାଇଥିଲେ। ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଥିବା କେଏମ୍ବିବି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ର ଚିନ୍ମଥ ଶିବନାରାୟଣ ବିହାରୀ ଓ ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଯାଜ୍ଞସେନୀ ନାୟକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା।