ବିଶ୍ୱର ସାମ୍ବାଦିକମାନେ ମତଭେଦ ଭୁଲି ମାନବ ଜାତିର ଉନ୍ନତି ଲାଗି କାମ କରିବା ଆବଶ୍ୟକ : ରାଜ୍ୟପାଳ

ଦୈନିକ ସମ୍ବାଦର ୩୪ତମ ବାର୍ଷକ ଉତ୍ସବ 

ଭୁବନେଶ୍ୱର : ସାରା ବିଶ୍ୱର ସାମ୍ବାଦିକମାନେ ଏକାଠି ହୋଇ  ମାନବ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ।  ବିଶ୍ୱକୁ ଏକ ସ୍ୱର୍ଗରେ ପରିଣତ କରିବାକୁ ହେଲେ ବିଭିନ୍ନ ଦେଶର ସାମ୍ବାଦିକ ନିଜର ମତଭେଦକୁ ଭୁଲି ଏକାଠି ହୁଅନ୍ତୁ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଦୈନିକ ଖବରକାଗଜ ସମ୍ବାଦର ୩୪ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।

ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଦି େଓ୍ଵୟାରର ସଂପାଦକ ତଥା ଦି ହିନ୍ଦୁର ପୂର୍ବତନ ସଂପାଦକ ସିଦ୍ଧାର୍ଥ ବର୍ଦ୍ଦରାଜନ କହିଥିଲେ ଯେ ଆଜିକାଲି ଗଣମାଧ୍ୟମ ନିଜର କର୍ତ୍ତବ୍ୟ ଭୁଲି ସରକାରଙ୍କ ପ୍ରଶସ୍ତିଗାନରେ ବ୍ୟସ୍ତ ରହୁଛି । ବିଜ୍ଞାପନ ଲୋଭ ଦେଖାଇ ସରକାର ଗଣମାଧ୍ୟମକୁ ନିଜର ବୋଲକରା କରୁଛନ୍ତି । ଏହାର ଏକ ଉଦାହରଣ ଦେଇ ସେ କହିଥିଲେ ଯେ ରାଫେଲ ବିମାନ କିଣାରେ ରିଲାଏନ୍ସର ସଂପୃକ୍ତି ପ୍ରସଙ୍ଗରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାଣ୍ଡେଙ୍କ ସାକ୍ଷତକାରକୁ ଦେଶର ସବୁ ବଡ଼ ବଡ଼ ହିନ୍ଦୀ ଓ ଇଂରାଜୀ ଖବରକାଗଜ  ଜାଣିଶୁଣି ଗୁରୁତ୍ୱ ଦେଇନଥିଲେ ।

ସମ୍ବାଦର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏହି ସଭାରେ ପୌରହିତ୍ୟ କରିଥିବାବେଳେ ଇଷ୍ଟର୍ଣ୍ଣ ମିଡିଆ ଲିଃର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସମ୍ବାଦର ସଂପାଦକ (ଫିଚର) ଗୌରହରି ଦାସ  ଅତିଥିମାନଙ୍କର ପରିଚୟ ଦେଇଥିଲେ । ଏହି ଉତ୍ସବରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାର ବିଜେତା, ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତା, ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ୩୦ଟି ଜିଲ୍ଲାର ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର