ବେଦବ୍ୟାସ ଶୈବପୀଠରେ ୩୫ ହଜାର କାଉଡ଼ିଆ; ଜଳାଭିଷେକ କଲେ, ଜଳ ଉଠାଇଲେ

ରାଉରକେଲା: କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ବୋଲ୍‌ବମ୍‌ ଯାତ୍ରା ବନ୍ଦ ରହିଥିବାରୁ ଚଳିତବର୍ଷ କାଉଡ଼ିଆଙ୍କ ମଧ୍ୟରେ ଉତ୍ସାହଉଦ୍ଦୀପନା ଦ୍ବିଗୁଣିତ ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମ ସୋମବାର ଦିନ ବେଦବ୍ୟାସ ଶୈବପୀଠ ଶ୍ରଦ୍ଧାଳୁଙ୍କ ଭିଡ଼ଠାରୁ ଆଜି ଦ୍ବିତୀୟ ସୋମବାରର ଭିଡ଼, ପାଖାପାଖି ତିନି ଗୁଣ ଅଧିକ ରହିଥିଲା। ଆଜି ବେଦବ୍ୟାସ ପୀଠରୁ ପାଖାପାଖି ୩୦/୩୫ ହଜାର ଶ୍ରଦ୍ଧାଳୁ ପାଣି ଉଠାଇବା ସହ ଜଳାଭିଷେକ କରିଥିଲେ।

ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡରୁ ହଜାର ହଜାର କାଉଡ଼ିଆ ଛୁଟି ଆସିଥିଲେ ବେଦବ୍ୟାସ ପୀଠକୁ। ରବିବାର ଅପରାହ୍ନ ୩/୪ଟାରୁ ଆରମ୍ଭ ହୋଇଯାଇଥିଲା ପାଣି ଉଠାଇବା କାର୍ଯ୍ୟ। ବେଦବ୍ୟାସ ତ୍ରିବେଣୀ ସଙ୍ଗମରୁ ପାଣି ଉଠାଇ, କାନ୍ଧରେ ପାଣି ଭାର ନେଇ ବାହାରିଯାଇଥିଲେ ବିଭିନ୍ନ ଶିବ ମନ୍ଦିର ଅଭିମୁଖେ।

କାଉଡ଼ିଆମାନେ ଜଳ ଭାର ନେଇ ତରକେରା ଶିବ ମନ୍ଦିର, ଝୁନଝୁନଧାମ, ମନ୍ଦିର ଡ୍ୟାମ ଶିବ ମନ୍ଦିର, ଘୋଘର ଧାମ୍‌ ସମେତ ଝାଡ଼ଖଣ୍ଡର ମହାଦେବଶାଳକୁ ଯାଇଥିଲେ। ବହୁ କାଉଡ଼ିଆ ନୃତ୍ୟଗୀତର ତାଳେତାଳେ ଚାଲିଚାଲି ଯାଇଥିବାବେଳେ ଅନେକ ଟ୍ରେନ୍‌ରେ ଯାଉଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଆଜି ଭୋର୍‌ରୁ ଜଳାଭିଷେକ କରିଥିଲେ। ବେଦବ୍ୟାସ ପୀଠରେ ପୂର୍ବାହ୍ନ ପ୍ରାୟ ୧୧ଟା ଯାଏଁ ଶ୍ରଦ୍ଧାଳୁ ଜଳାଭିଷେକ କରିଥିଲେ। କାଉଡ଼ିଆମାନଙ୍କ ଯାତ୍ରା ସହଜ କରିବା ଉଦ୍ଦେଶ୍ୟରେ ବହୁ ବଦାନ୍ୟ ବ୍ୟକ୍ତି ବେଲଡିହି, ଭାଲୁ ପତ୍ରା, ମାଣ୍ଡିଆ କୁଦର, କାଂଶବାହାଲ ଆଦି ବିଭିନ୍ନ ସ୍ଥାନରେ, ଚା’, ବିସ୍କୁଟ୍‌ ବାଣ୍ଟିଥିଲେ। ଏମିତିକି ବିଭିନ୍ନ ସ୍ଥାନରେ କାଉଡ଼ିଆମାନଙ୍କ ଗାଧେଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହାସହ କାଉଡ଼ିଆଙ୍କ ସୁରକ୍ଷା ପାଇଁ ନଦୀ କୂଳେ ବାଡ଼ ଦିଆଯିବା ସହ ବ୍ୟାପକ ପୁଲିସ ଫୋର୍ସ ମୁତୟ ହୋଇଥିଲେ।

ସମ୍ବନ୍ଧିତ ଖବର