ରାଜ୍ୟରେ ହେବ ୩୫ କୋଭିଡ୍ ହସ୍ପିଟାଲ, ବର୍ତ୍ତମାନ ସୁଦ୍ଧା ୨୦ଟି କାର୍ଯ୍ୟକ୍ଷମ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ଟି କୋଭିଡ ହସ୍ପିଟାଲ ନିର୍ମାଣ ହେବ । ରାଜ୍ୟ ସରକାର ଏଥି ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଦେଇଛନ୍ତି । ଏପର୍ଯ୍ୟନ୍ତ ୨୦ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଏପ୍ରିଲ ୨୦ ସୁଦ୍ଧା ବାକି କୋଭିଡ ହସ୍ପିଟାଲ କାମ କରିବ । ରାଜ୍ୟ କେଭିଡ ମୁଖ୍ୟ ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, କରୋନା ମୁକାବିଲା ନେଇ ରାଜ୍ୟ ସରକାର ଅନେକ ଗୁଡ଼ିକ ପଦକ୍ଷେପ ହାତକୁ ନେଇଛନ୍ତି ।

ଏପର୍ଯ୍ୟନ୍ତ ରାଉରକେଲା, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କେନ୍ଦୁଝର ଜିଲ୍ଲାର ଯୋଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱରରେ ୨ଟି (କିମ୍ସ ଓ ସମ ହସ୍ପିଟାଲ), ପୁରୀ, ବ୍ରହ୍ମପୁର, ଗଜପତି, ଜୟପୁର ଓ ମାଲକାନଗିରିରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇପାରିଛି ।

ଆଗାମୀ ୨୦ ତାରିଖ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାରିପଦା, କଟକ ଜିଲ୍ଲାର ବାଙ୍କୀ, ବରଗଡ଼, ସୋନପୁର, ଅନୁଗୁଳ, ପାରାଦୀପ, ନୂଆପଡ଼ା, ନବରଙ୍ଗପୁର, ପୁରୀ, ନୟାଗଡ଼ ଓ ଫୁଲବାଣୀରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଯିବ ।

ଶ୍ରୀ ବାଗଚୀ କହିଛନ୍ତି ଓଡ଼ିଶାର କୋଭିଡ-୧୯ ପ୍ରସ୍ତୁତି ପାଇଁ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ଓ ସାଧୁବାଦ ମିଳୁଛି । ରାଜ୍ୟ ସରକାର କରୋନା ମୁକାବିଲା ଜାରି ରଖିଛନ୍ତି । ଆମ ରାଜ୍ୟ କୃଷି ବହୁଳ । ଚାଷୀ ହସିଲେ ଦେଶ ହସିବ ବୋଲି ଶ୍ରୀ ବାଗଚୀ କହିଛନ୍ତି । ସେ କହିଛନ୍ତି, କରୋନା ଧୀରେ ଧୀରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରୁଛି । ମାସକ ତଳରେ ସମଗ୍ର ବିଶ୍ୱରେ ପୃଥିବୀରେ ୧୫୩ଟି ଦେଶରେ କରୋନା ପହଞ୍ଚିଥିବା ବେଳେ ଆଜି ସୁଦ୍ଧା ୨୧୦ଟି ଦେଶ ଓ ୨ଟି ଜାହାଜରେ କରୋନା ପହଞ୍ଚିଛି । ସେହିଭଳି ମାସକ ତଳେ ୧ ଲକ୍ଷ ୫୭ ୧୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ୧୯ ଲକ୍ଷ ୩୦ ହଜାର ୨୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର