୩୫ଂ ଉପରେ ୪ ସହର: ଭୁବନେଶ୍ୱର ତାପମାତ୍ରା ଛୁଇଁଲା ୩୫ ଡିଗ୍ରି

୧୧ରୁ ହାଲକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ଏବେଠାରୁ ତାତିଲାଣି ରାଜଧାନୀ। ଗତ ୨୪ ଘଣ୍ଟାରେ ସହରର ତାପମାତ୍ରା ଦେଢ଼ ଡିଗ୍ରି ବୃଦ୍ଧି ପାଇଛି। ଗତକାଲି ଏଠାର ସର୍ବୋଚ୍ଚ ତାପମାତ୍ରା ୩୩.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ତାହା ୩୫ ଡିଗ୍ରିରେ ପହଞ୍ଚିଛି। ମଧ୍ୟାହ୍ନ ବେଳକୁ ଏଠାରେ ତାପମାତ୍ରା ୩୨ ଡିଗ୍ରି ଛୁଇଁଥିଲା। ଧୀରେ ଧୀରେ ତାହା ବୃଦ୍ଧି ପାଇ ଅପରାହ୍ନ ୨ଟା ବେଳକୁ ୩୫ ଡିଗ୍ର୍ରିରେ ପହଞ୍ଚିଥିଲା। କେବଳ ଭୁବନେଶ୍ୱର ନୁହେଁ। ଅନୁଗୁଳ, ଟିଟିଲାଗଡ଼ ଓ ତାଳଚେରର ତାପମାତ୍ରା ମଧ୍ୟ ୩୫ ଡିଗ୍ରିରେ ପହଞ୍ଚିଛି। ଫେବ୍ରୁଆରି ଦ୍ୱିତୀୟ ସପ୍ତାହରୁ ପ୍ରବଳ ତାତି ଅନୁଭୂତ ହୋଇଥିବାରୁ ଲୋକେ ଏବେଠାରୁ ଅସୁବିଧାର ସମ୍ମୁଖୀନ ହେଲେଣି। ଗତକାଲି ପରି ଆଜି ମଧ୍ୟ ପୁରୀ, ପରାଦ୍ୱୀପ, ଗୋପାଳପୁରକୁ ଛାଡ଼ି ଅନ୍ୟ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଟପିଯାଇଛି। ଅଧିକାଂଶ ସହରର ତାପମାତ୍ରା ୩୩ ଡିଗ୍ରିରେ ପହଞ୍ଚିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତନ ଦେଖା ଯାଉ ନାହିଁ। ଉପକୂଳ ଓଡ଼ିଶାରେ ପୂର୍ବଭଳି କୁହୁଡ଼ି ଜାରି ରହିବ। ହେଲେ ବୁଧବାରଠାରୁ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିପାରେ। ୧୧ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କୋହଲା ପାଗ ରହିପାରେ। ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ, ଓଡ଼ିଶା ଉପରେ ଏକ ଟ୍ରାପ୍‌ ଲାଇନ୍‌ ଯାଇଥିବାରୁ ତାହାର ପ୍ରଭବରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଯଦି ବି ବର୍ଷା ହୁଏ ତାହାର ପ୍ରଭାବ ସେତେଟା ରହିବ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଠାଏ ଠାଏ ବାଦଲ ଦେଖିବାକୁ ମିଳିବ। ଆଉ ଦୁଇ ଦିନ ପରେ ବର୍ଷା ସ୍ଥିତି ନେଇ ସ୍ପଷ୍ଟ ଚିତ୍ର ଆସିପାରିବ ବୋଲି ସେ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେର ଓ ଅନୁଗୁଳରେ ସର୍ବୋଚ୍ଚ ତାପମାତ୍ରା ୩୫.୧ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଭୁବନେଶ୍ୱର ଓ ଟିଟିଲାଗଡ଼ରେ ୩୫, ସୋନପୁରରେ ୩୪.୮, ସମ୍ବଲପୁରରେ ୩୩.୭, ବଲାଙ୍ଗିରରେ ୩୪.୫, ମାଲକାନଗିରି ଓ ଢ଼େଙ୍କାନାଳରେ ୩୪.୪, ଝାରସୁଗୁଡ଼ାରେ ୩୩.୨ ଡିଗ୍ର୍ରି ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ପୁଣିଥରେ ୭.୮ ଡିଗ୍ରି ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର