ତେଲକୋଇ ରେଞ୍ଜରେ ୩୫ ହାତୀ : ସଞ୍ଜ ନଇଁଲେ ଧାନକ୍ଷେତ ମୁହାଁ

ତେଲକୋଇ : କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ରେଞ୍ଜରେ ୩୫ଟି ହାତୀ ବୁଲୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୮ଟି ଦନ୍ତା, ୧୭ଟି ମାଈ ଓ ୧୦ଟି ଛୁଆହାତୀ। ଏହି ହାତୀମାନେ ୪ଟି ଦଳରେ ଭାଗ ହୋଇ ବୁଲୁଛନ୍ତି। ୩ଟି ଦଳରେ ୩୪ଟି ହାତୀ ବିମଳା ଫରେଷ୍ଟ ସେକ୍ସନରେ ବୁଲୁଥିବା ବେଳେ ଏକ ଗୋଠଛଡ଼ା ଦନ୍ତା ତେଲକୋଇ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଦେଉଳଡିହା ଅଞ୍ଚଳରେ ଘୂରି ବୁଲୁଛି।

ହାତୀପଲ ଦିନରେ ନିକଟସ୍ଥ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ନଇଁଲେ ଖାଦ୍ୟ ଅନ୍ୱେଷଣରେ ଧାନକ୍ଷେତରେ ପଶୁଛନ୍ତି। ଫଳରେ ବ୍ୟାପକ ଫସଲ ନଷ୍ଟ ହେଉଛି। ବିଳମ୍ବିତ ରାତିରେ ହାତୀପଲ ଗାଁରେ ପଶି ଘର ଭାଙ୍ଗିବା ସହ ଧନଜୀବନ ହାନି କରୁଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଣୀବେଡ଼ା ନୂଆସାହିରେ ଘର କାନ୍ଥ ଭାଙ୍ଗିବାରୁ ବିନୋଦ ମହାନ୍ତଙ୍କ ୭ବର୍ଷର ଶିଶୁପୁତ୍ର ନାରାୟଣଙ୍କ ମୃତ୍ୟୁ ଘଟିଥିଲା। କୁଲାଡେରା, ଅହିଗୋଳା, ବୁଢ଼ାଆମ୍ବ, ପଡ଼ାଙ୍ଗ, କୃଷ୍ଣପୁର, କରମଙ୍ଗି, ସୁନ୍ଦୁରିଆ, ପୁରୁଯୋଡ଼ା, ପାଟଖଳି, ବନବିହାରୀପୁର, ଦୁଲ୍ଲଭପୁର, ଆକୁଳ, ଭୀମକାଣ୍ଡ, ବାଲେଶ୍ଵର, ମଲଣ୍ଡା, ବନ୍ଧନଝରୀ, କୁଣ୍ଢେଇହତା, ଗୋପୀନାଥପୁର, ରାଣୀବେଡା, ରାଇସୁଆଁ, ଝାରବେଡ଼ା, ବିମଳା, ନମକାନୀ, ଶିରିଗିଡ଼ା, ଦେଉଳଡିହା ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଏହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି।

ବର୍ତ୍ତମାନ ଧାନ ଅମଳ ସମୟ। ହାତୀପଲ କ୍ଷେତରେ ପଶି ପାଚିଲା ଧାନ ନଷ୍ଟ କରୁଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। କିଛି ସ୍ଥାନରେ ଚାଷୀମାନେ ରାତି ଉଜାଗର ରହି ନିଆଁହୁଳା ଧରି ହାତୀ ଘଉଡ଼ାଉଥିବା ଦେଖିବାକୁ ମିଳୁଛି। ବିଭାଗ ହାତୀପଲଙ୍କୁ ଅନ୍ୟତ୍ର ଘଉଡ଼ାଇବା ସହ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଏନେଇ ତେଲକୋଇ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ରଞ୍ଜନ କୁମାର ପାଣିଙ୍କୁ ପଚାରିବାରୁ, ଘଞ୍ଚ ଜଙ୍ଗଲ ଯୋଗୁଁ ହାତୀଙ୍କୁ ଘଉଡ଼ାଇବା ସମ୍ଭବ ହେଉନାହିଁ। ତଥାପି ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଲୋକଙ୍କ ଧନଜୀବନ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯାଉଥିବା ଶ୍ରୀ ପାଣି କହିଛନ୍ତି। ‌

ସମ୍ବନ୍ଧିତ ଖବର