ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି, ୨୪ ଘଣ୍ଟାରେ ୩୫ ଆକ୍ରାନ୍ତ

ପୁରୀ : ବାତ୍ୟା ପରେ ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି। ଏହା ମଧ୍ୟରେ ୫୦ରୁ ଅଧିକ ଚିକିତ୍ସିତ ହୋଇ ଫେରିଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ବ୍ରହ୍ମଗିରି ଅଞ୍ଚଳର ୨୧ ଜଣ, ପୁରୀ ସଦର ବ୍ଳକ ଅଞ୍ଚଳରେ ୫ ଜଣ ଓ ଜିଲ୍ଲା ସଂକ୍ରାମକ ହସ୍ପିଟାଲ୍‌ରେ ୯ ଜଣ ଥିବା ଜଣାପଡ଼ିଛି। ତେବେ ଆଜି ୨ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୁରୀ ସିଡିଏମ୍‌ଓ କହିଛନ୍ତି।

ବାତ୍ୟା ପରେ ପାଣି ସମସ୍ୟା ଚାରିଆଡ଼େ ଲାଗି ରହିଛି। ଅନେକ ସ୍ଥାନରେ ଲୋକମାନେ ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଗତକାଲିଠୁ ଆଜି ମଧ୍ୟରେ ବ୍ରହ୍ମଗିରିର ଆଳିଆପୁଟ, ଜଗନ୍ନାଥପାଟଣା, ବ୍ରହ୍ମଗିରି ଭଳି ଅଞ୍ଚଳରୁ ୨୧ ଜଣ ରୋଗୀ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ କେରାଣ୍ଡିଆ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ସେହିପରି ପୁରୀ ସଦର ବ୍ଲକର ରେଣ୍ଡୁଅ ଚମାର ସାହି ଅଞ୍ଚଳରେ ୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲିଠାରୁ ଆଜି ମଧ୍ୟରେ ଜିଲ୍ଲା ସଂକ୍ରାମକ ଡାକ୍ତରଖାନାରେ ୯ ଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ସେଥି ମଧ୍ୟରୁ ୨ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଝାଡ଼ାବାନ୍ତି ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନିଆନଗଲେ ଏହା ମହାମାରୀ ରୂପ ନେଇପାରେ ବୋଲି ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର