ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ମାତିଛନ୍ତି ଶିଆଳ। ଗଲା ୩ ଦିନ ଭିତରେ ୩୫ରୁ ଅଧିକ ଲୋକଙ୍କୁ ଶିଆଳ କାମୁଡ଼ି କ୍ଷତବିକ୍ଷତ କରିବା ପରେ ସାରା ଆଳି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ସଂଧ୍ୟା ହେବା ମାତ୍ରେ ଠେଙ୍ଗାବାଡ଼ି ଧରି ବୁଲିଛନ୍ତି। ବୋଲବମ ଭକ୍ତ ବି ଶିଆଳ କାମୁଡ଼ାରୁ ବାଦ୍ ପଡ଼ିନାହାନ୍ତି। ଗତ ଶନିବାରଠୁ ଆଜି ମଧ୍ୟରେ ଶିଆଳ କାମୁଡାରେ ଶାଳିଅଞ୍ଚ, ଗୋପାଳଜିଉ ପାଟଣା, ନିଆଳ, ଗୌଡପାଟଣା, ଶାସନ, ଟୁଙ୍ଗା ଅଂଚଳ ସମେତ ଭଦ୍ରକ ଆଖଣ୍ଡଳମଣି ଯାତ୍ରା କରୁଥିବା ବୋଲବମ ଭକ୍ତଙ୍କୁ ମିଶାଇ ୩୫ରୁ ଅଧିକ ଆହତ ହେଲେଣି। ଆହତଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ଶିଶୁ ଓ ମହିଳା ରହିଛନ୍ତି। ଅଥଚ ବନ ବିଭାଗ ପାଗଳ ଶିଆଳକୁ କାବୁ କରିବା ପରିବର୍ତ୍ତେ ବେଫିକର୍ ହୋଇ ଚୁପ୍ ବସିଛି।

Advertisment

ସବୁଠୁ ଉଦ୍‌ବେଗର କାରଣ ହୋଇଛି ଶିଆଳ କାମୁଡ଼ାରେ ଆହତ ହେଉଥିବା ବ୍ୟକ୍ତିଙ୍କୁ ଇଂଜେକସନ୍ ମିଳୁନାହିଁ। ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଇଂଜେକସନ୍ ମିଳୁ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିଆଳ କାମୁଡ଼ାରେ ଆହତ ଶାଳିଅଞ୍ଚ ଗ୍ରାମର ସ୍ବର୍ଣ୍ଣପ୍ରଭା ପରିଡା, ଚିନ୍ମୟ ସ୍ବାଇଁ, ଆଶିଷ ପରିଡା, ନିଆଳ ଗ୍ରାମର ସସ୍ମିତା ମଲିକ ପ୍ରସଞ୍ଜଳି ପଲାଇ, ଯୁଧିଷ୍ଠିର ଦାସ, ସୁଶାନ୍ତ ମିଶ୍ର, ସତ୍ୟରଞ୍ଜନ ଜେନା, ଜୟଶ୍ରୀ ବେହେରା, ରଶ୍ମିତା ମହାନ୍ତି, ଗୋପୀନାଥପୁର ଗ୍ରାମର ସୁଶାନ୍ତ ମିଶ୍ର ପ୍ରମୁଖ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ ମଧ୍ୟ ସେଠାରେ ପ୍ରତିଷେଧକ ଇଞ୍ଜେକ୍ସନ ମିଳିନାହିଁ। ସେମାନେ ନିରାଶ ହୋଇ କଟକ ଯାଇ ବହୁ ଖର୍ଚ୍ଚାନ୍ତ ହୋଇ ଇଞ୍ଜେକ୍ସନ ନେଇଥିବା ଅଭିଯୋଗ ହୋଇଛି। ତେବେ ବନଜଂଗଲ, ବୁଦା ମୂଳେ ରହୁଥିବା ଶିଆଳ କେଉଁ କାରଣ ପାଇଁ ଜନବସତି ମୁହାଁ ହେଇଛନ୍ତି, ତାହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। କିଛି ଶିଆଳ ପାଗଳ ହେଇଯାଇଥିବା ବନ ବିଭାଗ ସନ୍ଦେହ କରୁଛି। ପାଖାପାଖି ୨୦ କିଲୋମିଟର୍‌ ବ୍ୟବଧାନ ଭିତରେ ଥିବା ଶିଆଳମାନେ ଗାଁ ଭିତରେ ପଶି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିବାରୁ ପୂରା ଅଂଚଳରେ ଆତଙ୍କ ଖେଳି ଯାଇଛି।

ଲୋକମାନେ ସଂଧ୍ୟା ପରେ ଘରୁ ପଦାକୁ ଗୋଡ଼ କାଢିବାକୁ ଡରୁଛନ୍ତି। ଯିଏ ବି ଜରୁରୀ କାମରେ ବାହାରୁଛନ୍ତି, ହାତରେ ଠେଙ୍ଗାବାଡି ଧରି ପଦାକୁ  ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଶିଆଳ ଆତଙ୍କକୁ ନେଇ ବନ ବିଭାଗର ନିଷ୍କ୍ରିୟତା ଓ ସ୍ବାସ୍ଥ୍ୟ କେନ୍ଦ୍ରରେ ଇଂଜେକସନ୍‌ ଅଭାବକୁ ନେଇ ‘ସମ୍ବାଦରେ ଲଗାତାର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଛି। ଆଳି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଷେଧକ ଇଞ୍ଜେକ୍ସନ ଆସିଥିବା ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ କହିଛନ୍ତି। ସେହିପରି ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେଉରା କହିଛନ୍ତି, ପାଗଳ ଶିଆଳଙ୍କୁ କାବୁ କରିବାକୁ ଏକ ଟିମ୍ ଗଠନ ହୋଇଛି। ଶିଆଳର ଆସିବା ସମୟ ଓ ଅନ୍ୟାନ୍ୟ ଦିଗ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ତୁରନ୍ତ ତାକୁ କାବୁ କରିବା ପାଇଁ ଉଦ୍ୟମ କରୁଛୁ ା