୩୫% ଜଳସେଚନ ନାଁରେ ପ୍ରହେଳିକା: ବିଶାଳ ଲକ୍ଷ୍ୟ ନେଲେ, ୨୪% ହାସଲ ହେଲା

ବିଳମ୍ବିତ ନିର୍ମାଣ ପାଇଁ ଖର୍ଚ୍ଚ ବୃଦ୍ଧି ଆକାଶ ଛୁଆଁ, ୨୦ ହଜାର କୋଟି ବରବାଦ, ସିଏଜି ସ୍ବତନ୍ତ୍ର ରିପୋର୍ଟରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ୨୦୦୩ ମସିହାରୁ ଫାଇଲ ଚାଷ ଆରମ୍ଭ ହେଲାଣି। ୨୦୦୬ରେ ରାଜ୍ୟପାଳଙ୍କ ଭାଷଣରେ ପ୍ରତି ବ୍ଲକରେ ଅତି କମ୍‌ରେ ୩୫% ଜଳସେଚନ କଥା ସରକାର କହିଲେ। ଏଯାଏ ଏହି ଲକ୍ଷ୍ୟ ହାସଲ ହୋଇପାରିଲା ନାହିଁ। ଯେଉଁ ସବୁ ବ୍ଲକର ଜଳସେଚନ ସଂପର୍କରେ କୁହାଯାଇଛି, ସେସବୁ ଅଞ୍ଚଳରେ ରାଜସ୍ବ ବିଭାଗ ଖାତାରେ ଥିବା ଜଳସେଚନ ଅଞ୍ଚଳର ଚିତ୍ର ଏବଂ ଜଳସେଚନ ବିଭାଗର ତଥ୍ୟ ଅଲଗା ଅଲଗା। ଆହୁରି ଆଚମ୍ବିତ କଥା ହେଲା, କେଳେଙ୍କାରୀ ଏହି ବିଭାଗକୁ ଏମିତି ଗ୍ରାସ କରିଛି ଯେ ପାଖାପାଖି ୨୦ ହଜାର କୋଟି ଟଙ୍କା ବରବାଦ୍ ହୋଇଛି। କିନ୍ତୁ ଏତେସବୁ କଥା ପାଇଁ ରାଜ୍ୟ ସରକାର ଏଯାଏ କାହାକୁ ଉତ୍ତରଦାୟୀ କରିନାହାନ୍ତି। ନା କୌଣସି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ନା କୌଣସି ଯନ୍ତ୍ରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିଛି। ଏବେ ଭାରତର ମହାଲେଖାକାର ତଥା ମହା ଲେଖାନିୟନ୍ତ୍ରକ (ସିଏଜି)ଙ୍କ ରିପୋର୍ଟ ଏହା ଉପରୁ ପରଦା ହଟାଇବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଗଲାଣି।

ପ୍ରାକୃତିକ ଦୁର୍ବିପାକ ଓଡ଼ିଶାର ଚିର ସହଚର ବୋଲି କୁହାଯାଏ। କୃଷି ପ୍ରଧାନ ଓଡ଼ିଶାର କୃଷି ଅର୍ଥନୀତି ବିପନ୍ନ ପଛର ଏହା ଏକ ବଡ କାରଣ। ଏଯାଏ ସାମୁଦ୍ରିକ ବାତ୍ୟାର ମୁକାବିଲା କ୍ଷେତ୍ରରେ ରାଜ୍ୟ ସଫଳ ଏବଂ ଜାତିସଂଘ ଠାରୁ ଆରମ୍ଭ କରି ବିଭିନ୍ନ ଅନ୍ତଃରାଜ୍ୟ ସଂସ୍ଥା ଓଡ଼ିଶାକୁ ସାବାସୀ ଦେଇଛନ୍ତି। ମାତ୍ର ମରୁଡି ଭଳି ଦୁର୍ବିପାକର ମୁକାବିଲା କ୍ଷେତ୍ରରେ ସରକାରୀ ବିଫଳତା ଆଜି ବି ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭବତଃ ଜଳସଂପଦ ବିଭାଗର ପ୍ରତ୍ୟକ୍ଷ ତଦାରଖ ପାଇଁ ନିଜ ପାଖରେ କ୍ୟାବିନେଟ୍ ଦାୟିତ୍ବ ବହୁ ବର୍ଷ ଧରି ରଖିଥିଲେ। ଆହୁରି ପାଦେ ଆଗକୁ ଯାଇ ନବୀନ ସରକାର ତାଙ୍କ ଦ୍ବିତୀୟ ପାଳିରେ ଯୁଗାନ୍ତକାରୀ ଘୋଷଣା କରିଥିଲେ ଯେ ରାଜ୍ୟର ପ୍ରତି ବ୍ଲକରେ ସର୍ବନିମ୍ନ ୩୫ ପ୍ରତିଶତ ଜମିକୁ ଜଳସେଚିତ କରାଯିବ। ଘୋଷଣାର ୧୬ବର୍ଷ ପରେ ବାସ୍ତବରେ କେତେ ବ୍ଲକରେ ଏହି ଲକ୍ଷ୍ୟ ହାସଲ ହେଲା, ତାହା ଯେତିକି ବିବାଦୀୟ, ସେତିକି କୁହେଳିକା ଭିତରେ ରହିଛି। ନିୟମତଃ କେତେ ଜମି ସେଚଭୁକ୍ତ ହୋଇଛି ତାହା ଯୁଗ୍ମ (ରାଜସ୍ବ ଓ ଜଳସେଚନ ବିଭାଗ) ସର୍ଭେ ଜରିଆରେ ନିର୍ଧାରିତ ହୋଇଥାଏ। ବିଡ଼ମ୍ବନା ହେଲା, ଜଳସେଚନ ବିଭାଗ ଯେତେ ଜମିରେ ୩୫ ପ୍ରତିଶତ ଜଳସେଚନ କଥା କହୁଛି, ତାହା ଏକତରଫା। କାରଣ ସରକାରଙ୍କ ଉଭୟ ବିଭାଗ ମିଳିତ ସର୍ଭେ କରିନାହାନ୍ତି। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ସିଏଜି ତାଙ୍କ ସ୍ବତନ୍ତ୍ର ଅଡିଟ୍ ରିପୋର୍ଟରେ ୨୦୧୪ରୁ ୨୦୧୯ ମଧ୍ୟରେ କିଛି ପ୍ରମୁଖ ପ୍ରକଳ୍ପକୁ ନେଇ ଯେଉଁ ତଥ୍ୟର ଅବତାରଣା କରିଛନ୍ତି, ତାହା ଯେ କୌଣସି ବ୍ୟକ୍ତିକୁ ଆଚମ୍ବିତ କରିବ।

ବିଳମ୍ବିତ ନିର୍ମାଣ ପାଇଁ ଖର୍ଚ୍ଚ ବୃଦ୍ଧି ଆକାଶ ଛୁଆଁ, ୨୦ ହଜାର କୋଟି ବରବାଦ
ସିଏଜି ସ୍ବତନ୍ତ୍ର ରିପୋର୍ଟରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ବଛା ବଛା ସଚିବ ଦାୟିତ୍ବରେ ଥିଲେ, କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ
କେତେ ଜମି ଜଳସେଚିତ ହେଲା ମିଳିତ ସର୍ଭେ ରିପୋର୍ଟ ଏଯାଏ ପ୍ରସ୍ତୁତ ହୋଇନି

ସିଏଜି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ୨୦୧୪ରୁ ୨୦୧୯; ଏହି ଅବଧିରେ ସମଲ ସେଚ ପ୍ରକଳ୍ପ ଦ୍ବାରା ୧ଲକ୍ଷ ୫୬୮ ହେକ୍ଟର ଜମି ଜଳସେଚିତ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୩୩ ହଜାର ୮୯୯ ହେକ୍ଟର (୩୪%) ଜମିରେ ପାଣି ପହଞ୍ଚି ପାରିଥିଲା। ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଜରିଆରେ ୧ଲକ୍ଷ ୨୮ ହଜାର ୧୨ ହେକ୍ଟର ଜଳସେଚନ କରାଯାଇଥାନ୍ତା। ଏହି ସମୟ ମଧ୍ୟରେ ୩୩ ହଜାର ୭୧୦ ହେକ୍ଟର (୨୬%) କରାଯାଇପାରିଥିଲା। ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ୨୯ ହଜାର ୯୦୦ ହେକ୍ଟର ଜମି ଜଳସେଚିତ ପାଇଁ ଲକ୍ଷ୍ୟ ଥିବା ବେଳେ ହାସଲ ହୋଇଥିଲା ମାତ୍ର ୩୮୬୦ ହେକ୍ଟର( ୧୩%)। ସେହିପରି ରେଙ୍ଗାଳି ଦକ୍ଷିଣ ଶାଖା କେନାଲ ଦ୍ବାରା ୧ଲକ୍ଷ ୨୧ ହଜାର ୨୦୦ ହେକ୍ଟର ଜମି ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ହେଁ ୧୭୬୦୬ ହେକ୍ଟର (୧୫%) ହାସଲ ହୋଇପାରିଥିଲା। ରେଙ୍ଗାଳି ବାମ ଶାଖା କେନାଲ ଜରିଆରେ ୧ଲକ୍ଷ ୧୪ ହଜାର ୩୦୦ ହେକ୍ଟର ଜମିକୁ ପାଣି ଦେବା ସ୍ଥାନରେ ମାତ୍ର ୨୮ ହଜାର ୪୭୧ ହେକ୍ଟର (୨୫%) ଜଳସେଚିତ କରାଯାଇଥିଲା। ଏହାଛଡା ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୯ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଯଥାକ୍ରମେ ୧୬୧୨ ହେକ୍ଟର ଓ ୭୨୫୦ ହେକ୍ଟର ଜମିକୁ ସେଚ ସୁବିଧା ଦେବା ସରକାର ଟାର୍ଗେଟ ନେଇଥିଲେ। ମାତ୍ର ହାସଲ ହୋଇଥିଲା ଯଥାକ୍ରମେ ୭୭୨ ଏବଂ ୪୧୦୦ ହେକ୍ଟର। ମୋଟାମୋଟି ଭାବେ ଏହି ୭ଟି ଉତ୍ସରୁ ୫ଲକ୍ଷ ୨ହଜାର ୮୪୨ ହେକ୍ଟର ଜମିକୁ ସେଚ ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ସେଥରୁ ମାତ୍ର ୨୪% ଅର୍ଥାତ୍ ୧ଲକ୍ଷ ୨୨ ହଜାର ୪୧୮ ହେକ୍ଟର ଜମିକୁ ପାଣି ଦିଆଯାଇଥିବା ଜଳସଂପଦ ବିଭାଗ ଦାବି କରିଛି।

ଉଲ୍ଲେଖନୀୟ ଘଟଣା ହେଉଛି, ବାସ୍ତବବାଦୀ ଯୋଜନା ଓ ନକ୍ସା ବୈଧାନିକ ଅନୁମତି ଇତ୍ୟାଦି ହାସଲ ନ କରି ଲକ୍ଷ୍ୟହୀନ ଅର୍ଥବ୍ୟୟ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି। ବିଭାଗ ତରବରିଆ ଭାବେ ଟେଣ୍ଡର କରିବା ଯୋଗୁଁ ଜଳସଂପଦ ବିଭାଗର ସେଚ ଲକ୍ଷ୍ୟ କେବଳ ଯେ ନୈରାଶ୍ୟଜନକ ହେଉଛି ତାହା ନୁହେଁ, ବରଂ ମୂଳ ଅଟକଳ ଅନେକ କ୍ଷେତ୍ରରେ ୧୮୨% ରୁ ୪୫୯୬%କୁ ବୃଦ୍ଧିପାଇଛି। ଟଙ୍କା ହିସାବରେ ଦେଖିଲେ, ୨୦୨୦ ମାର୍ଚ୍ଚ ସୁଦ୍ଧା କେବଳ ନିର୍ମାଣ ବିଳମ୍ବ ଯୋଗୁଁ ପାଖାପାଖି ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ମୂଲ୍ୟ ବଢ଼ିଯାଇଥିଲା। ଦୃଷ୍ଟାନ୍ତ ସ୍ବରୂପ ସୁବର୍ଣ୍ଣରେଖା ସେଚ ପ୍ରକଳ୍ପ ପାଇଁ ମୂଳ ଅଟକଳ ଥିଲା ୨୮୫ କୋଟି। ୨୦୨୦ ବେଳକୁ ତାହା ୪୭୬୫ କୋଟି ଟଙ୍କାରେ ପହଞ୍ଚିଥିଲା। ଲୋୟର ସୁକତେଲର ମୂଳ ଅଟକଳ ୨୧୭ କୋଟି ୧୩ଲକ୍ଷରୁ ବଢି ୨୩୪୮ କୋଟିରେ ପହଞ୍ଚିଥିଲା। ଲୋୟର ଇନ୍ଦ୍ର ପ୍ରକଳ୍ପ ୨୧୧ କୋଟି ୭୦ଲକ୍ଷରୁ ପହଞ୍ଚିଥିଲା ୧୭୫୩ କୋଟି ୬୪ ଲକ୍ଷ ଟଙ୍କା। ଆନନ୍ଦପୁର ବ୍ୟାରେଜର ପ୍ରାରମ୍ଭିକ ଅଟକଳ ୫୮୧କୋଟି ୪୦ଲକ୍ଷ ଥିବା ବେଳେ ଏହା ବୃଦ୍ଧି ପାଇ ୨୯୯୦ କୋଟିରେ ପହଞ୍ଚିଥିଲା। ମୋଟାମୋଟି ଭାବେ ଏହି ଚାରିଟି ପ୍ରକଳ୍ପ ପାଇଁ ମୂଳ ଅଟକଳ ଥିଲା ୧୨୯୫ କୋଟି ୨୩ଲକ୍ଷ ଟଙ୍କା। ୨୦୧୯ ବେଳକୁ ତାହା ୧୧ ହଜାର ୯୯୫ କୋଟି ୯୨ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହାଛଡ଼ା ଅପର ଇନ୍ଦ୍ରାବତୀ, ସମଲ, ରେଙ୍ଗାଳି ଦକ୍ଷିଣ ଏବଂ ବାମ କେନାଲର ମୂଳ ଅଟକଳ ପ୍ରାୟ ୫୯୨ କୋଟି ଥିବା ବେଳେ ତାହା ୧୭ହଜାର ୧୩ କୋଟି ୯୭ଲକ୍ଷକୁ ଛୁଇଁଯାଇଥିଲା। ଅଧିକ ବିଡ଼ମ୍ବନା ହେଲା- ରେଙ୍ଗାଳିର ଉଭୟ ବାମ ଏବଂ ଦକ୍ଷିଣ କେନାଲ କାମ ୧୯୭୮ରୁ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ୪୪ବର୍ଷ ମଧ୍ୟରେ ତାହା ଶେଷ ହୋଇପାରିନାହିଁ। ସମଲ ପ୍ରକଳ୍ପ ଓ ଲୋୟର ଇନ୍ଦ୍ର ପ୍ରକଳ୍ପ ମଧ୍ୟ ଯଥାକ୍ରମେ ୧୯୮୨ ଓ ୧୯୯୯ରୁ ଆରମ୍ଭ ହୋଇ ତଥାପି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।

ଏଠାରେ ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ଜଳସେଚନକୁ ଅଧିକ ଗୁରୁତ୍ବ ଦେବାକୁ ଯାଇ ରାଜ୍ୟର ବଚ୍ଛା ବଚ୍ଛା ଅଧିକାରୀଙ୍କୁ ଏହି ବିଭାଗର ସଚିବ ଭାବେ ନିଯୁକ୍ତି ଦେଇ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ପରବର୍ତ୍ତୀ ସମୟରେ ମୁଖ୍ୟଶାସନ ସଚିବ କିମ୍ବା ଉନ୍ନୟନ କମିସନର ଭାବେ କାର୍ଯ୍ୟ କରିଛନ୍ତି। ଏହା ସତ୍ତ୍ବେ ଜଳସଂପଦ ବିକାଶର କଚ୍ଛପ ଗତି, ବିଳମ୍ବିତ ପ୍ରକଳ୍ପ କାର୍ଯ୍ୟ ପାଇଁ ମୂଳ ଆକଳନ ଠାରୁ ବାସ୍ତବ ଖର୍ଚ୍ଚ ଆକାଶଛୁଆଁ ହେବା ଏବଂ ଯୋଜନାଗତ ବିଭ୍ରାଟରୁ ବିଭାଗ ଏପର୍ଯ୍ୟନ୍ତ ବର୍ତ୍ତିପାରିନାହିଁ। ଏସବୁ ବିଭ୍ରାଟ ପାଇଁ କିନ୍ତୁ କାହାକୁ ଦାୟୀ କରାଯାଇନାହିଁ। ସିଏଜି ଏସବୁ ଅନିୟମିତତାକୁ ଅଙ୍ଗୁଳି ନିର୍ଦେଶ କରିଆସୁଥିଲେ ମଧ୍ୟ ତାହାକୁ ଆମ ବ୍ୟବସ୍ଥାରେ ଯଥୋଚିତ ଗୁରୁତ୍ବ ଦେବାର ସୁଯୋଗ ମଧ୍ୟ ନାହିଁ। କାରଣ ୨୦ବର୍ଷ ତଳର ସିଏଜି ରିପୋର୍ଟକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍) ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନାହିଁ। ଫଳରେ ଦାୟୀ ଅଫିସରଙ୍କ ମଧ୍ୟରୁ ଅନେକ ଅବସର ନେଇସାରିଲେଣି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଅବକାଶ ନାହିଁ। ଏ କ୍ଷେତ୍ରରେ ପବ୍ଲିକ ଆକାଉଣ୍ଟ୍ସ କମିଟି (ପିଏସି)କୁ ବିଧାନସଭା ଉତ୍ତରଦାୟୀ ନ କରିବା ମଧ୍ୟ ଅନ୍ୟ ଏକ ବିତର୍କିତ ପ୍ରସଙ୍ଗ। ଆଗାମୀ ପିଢି ବୈଧାନିକ କମିଟିରେ ଥିବା ସଦସ୍ୟମାନଙ୍କ ଅବହେଳାକୁ ଆଙ୍ଗୁଠି ଉଠାଇବ ନାହିଁ ତ?

ସମ୍ବନ୍ଧିତ ଖବର