ଅପରାଧ ଜାଲରେ ଓଡ଼ିଶାର ୩୫ ପ୍ରତିଶତ ବିଧାୟକ

୫ ସାଂସଦଙ୍କ ନାମରେ ରହିଛି ଅପରାଧିକ ମାମଲା

ଭୁବନେଶ୍ୱର : ଜଣେ କି ଦୁଇଜଣ ନୁହେଁ, ପାଖାପାଖି ୩୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ରହିଛି ଫୌଜଦାରୀ ମାମଲା। ଏମାନଙ୍କ ମଧ୍ୟରୁ ୨୮ ପ୍ରତିଶତଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ଲୋକସଭାରେ ୧୪.୩ ପ୍ରତିଶତ ଓ ରାଜ୍ୟସଭା କ୍ଷେତ୍ରରେ ୨୦ ପ୍ରତିଶତ ସାଂସଦ ମଧ୍ୟ ନିଜକୁ ଏଭଳି ମାମଲାରୁ ଦୂରେଇ ପାରିନାହାନ୍ତି।

ରାଜନେତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତ୍ୱରିତ ତଦନ୍ତ ପାଇଁ ୧୨ଟି ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା ଲାଗି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ପ୍ରତିଶ୍ରୁତି ରଖିବା ପରେ ଓଡ଼ିଶାର ଏସବୁ ବିଧାୟକ ଓ ସାଂସଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

୨୦୧୪ ନିର୍ବାଚନରେ ଦାଖଲ ହୋଇଥିବା ସତ୍ୟପାଠକୁ ଆଧାର କରି ଏଡିଆର୍‌ ଓଡ଼ିଶା ଇଲେକ୍ସନ ଓ୍ଵାଚ୍‌ ଦେଇଥିବା ରିପୋର୍ଟ ସୂଚାଉଛି, ବିଧାନସଭାର ମୋଟ ୧୪୭ ବିଧାୟକଙ୍କ ମଧ୍ୟରୁ ୫୨ ଜଣ ବିଧାୟକ ଅପରାଧରେ ଛନ୍ଦି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣ ବିଧାୟକ ଶାସକ ବିଜେଡିର। କଂଗ୍ରେସର ୯, ବିଜେପିର ୮, ୨ ସ୍ୱାଧୀନ, ସମତାକ୍ରାନ୍ତି ଦଳ ବିଧାୟକଙ୍କ ନାମରେ ବି ଅପରାଧିକ ମାମଲା ରହିଛି। ବିଜେଡିର ୨୩ ଜଣଙ୍କ ନାମରେ ଗୁରୁତର ମାମଲା ରହିଛି।

ଅନୁରୂପ ଭାବେ ଏହି ତଥ୍ୟ ବୟାନ କରୁଛି ଯେ ଲୋକସଭାରେ ଓଡ଼ିଶାର ୨୧ ଜଣ ସାଂସଦଙ୍କ ମଧ୍ୟରୁ ୩ଜଣ ନିଜର ଅପରାଧିକ ଇତିହାସ ସଂପର୍କରେ ସତ୍ୟପାଠରେ ଠାରିଛନ୍ତି। ଏମାନଙ୍କ ମଧ୍ୟରୁ ବିଜେଡିର ଦୁଇଜଣ ଅଛନ୍ତି ଓ ଜଣେ ସଙ୍ଗିନ ଅପରାଧ ମାମଲାରେ ଛନ୍ଦି ହୋଇଛନ୍ତି। ଅନ୍ୟ ଜଣକ ହେଲେ ବିଜେପି ସାଂସଦ। ସେହିଭଳି ରାଜ୍ୟସଭାରେ ୧୦ଜଣ ସାଂସଦଙ୍କ ମଧ୍ୟରୁ ୨ଜଣଙ୍କ ନାମରେ ମାମଲା ରହିଛି। ଜଣେ କଂଗ୍ରେସ ଓ ଜଣେ ବିଜେଡିର।

ଉଲ୍ଲେଖଯୋଗ୍ୟ, ଲୋକ ପ୍ରତିନିଧିଙ୍କ ବିରୋଧରେ ହତ୍ୟା, ଅପହରଣ ଠାରୁ ଆରମ୍ଭ କରି ଦୁଷ୍କର୍ମ ଆଦି ମାମଲାକୁ ନେଇ ସାରା ଦେଶରେ ଉଦ୍‌ବେଗ ପ୍ରକାଶ ପାଇଛି। ହେଲେ ଏସବୁ ମାମଲାର ବିଚାରରେ ଅହେତୁକ ବିଳମ୍ବ ଘଟୁଥିବାରୁ ସେଗୁଡ଼ିକର ତ୍ୱରିତ ଶୁଣାଣି ଉପରେ ଉଚ୍ଚତମ ନ୍ୟାୟାଳୟ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର