ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣରେ ପୀଡ଼ିତ ଓଡ଼ିଶାର ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୩୫ ଜଣ ଆକ୍ରାନ୍ତଙ୍କ ଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୩୭ ଜଣ ସକ୍ରିୟ ରୋଗୀଙ୍କ ମଧ୍ୟରୁ ୨ ଜଣଙ୍କୁ କେବଳ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଛି। ଏମାନେ ଖୁବ ଶୀଘ୍ର ସୁସ୍ଥ ହୋଇ ଯିବେ  ବୋଲି ଆମେ ଅ‌ାଶା କରୁଛୁ। ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

Advertisment

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି, ଓଡ଼ିଶାର ୮୦ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଠାରେ କରୋନା ଲକ୍ଷଣ ନାହିଁ । ସୁରକ୍ଷା ପାଇଁ ଆମେ ସେମାନଙ୍କୁ ହସ୍ପିଟାଲରେ ରଖିଛୁ । ଏମାନେ ହସ୍ପିଟାଲରେ ରହିବା ଦ୍ୱାରା ସଂକ୍ରମଣ ବ୍ୟାପିବାର  ଆଶଙ୍କା ରହିବ ନାହିଁ । ଏବେ ଏମାନଙ୍କ ଠାରେ ଏବେ କାଶ, ଛିଙ୍କ ଆଦି କୌଣସି ଲକ୍ଷଣ ନାହିଁ ।  କିଛି ରୋଗୀ ଖୁବ ଶୀଘ୍ର କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହୋଇଯିବେ । ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଅଧିକ ଯତ୍ନ ନେବାକୁ ପଡ଼ିଥାଏ ।  ଓଡ଼ିଶାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାତ୍ର ୮ ପ୍ରତିଶତ ରୋଗୀ ୬୦ ବର୍ଷ ବୟସରୁ ଅଧିକ । ଆମେ ଯଥା ସମ୍ଭବ ପଦକ୍ଷେପ ନେଇ ଆମ ଲୋକଙ୍କୁ ସୁରକ୍ଷିତ ରଖିପାରିଛୁ ବୋଲି ସେ  କହିଛନ୍ତି ।

publive-image

ସେ କହିଛନ୍ତି ଯେ,  ଆମେ ଅଧିକରୁ ଅଧିକ ଟେଷ୍ଟିଂ ଲାଗି ଉଦ୍ୟମ କରୁଛୁ। ଏହା ଦ୍ବାରା ଅଧିକ ସଂଖ୍ୟକ ପଜିଟିଭ ଓ ନେଗେଟିଭ୍ ଚିହ୍ନଟ ହୋଇପାରିବେ। ଅଧିକ ପଜେଟିଭ ଚିହ୍ନଟ ହେବା ଦ୍ବାରା ସେମାନଙ୍କୁ ହସ୍ପିଟାଲରେ ରଖାଯିବ ଓ ସଂକ୍ରମଣ ବ୍ୟାପିବା କମିବ। ଏହି କାରଣରୁ ରାଜ୍ୟ ସରକାର ଟେଷ୍ଟିଂ ସଂଖ୍ୟା ବଢ଼ାଇଛନ୍ତି। କେବଳ ପୁରୀ, କଟକ, ଭୁବନେଶ୍ୱର ଓ ଅନୁଗୁଳରେ ଟେଷ୍ଟିଂ କରୁ ନାହୁଁ ବରଂ ଓଡ଼ିଶାର ସବୁ ଜିଲ୍ଲାରେ ଟେଷ୍ଟିଂ କରୁଛୁ । ଆମର ଟିମ ଗାଁକୁ ଗାଁ ଯାଇ  ନମୁନା ସଂଗ୍ରହ  କରୁଛନ୍ତି । ସେଠାରେ ନମୁନା ସଂଗ୍ରହ କେନ୍ଦ୍ର ତିଆରି କରିଛନ୍ତି ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ଫେବ୍ରୁଆରି ମାସଠାରୁ ଆମେ ଟେଷ୍ଟିଂ କ୍ଷମତା ବଢ଼ଇଛୁ । ଆଗାମୀ ଦିନରେ ଆମେ ୨ରୁ ୩ ଗୁଣ ଅଧିକ ଟେଷ୍ଟିଂ କରିବୁ । ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ ଓ ଅନ୍ୟ କର୍ମଚାରୀମାନେ ଦିନ ରାତି କାମ କରୁଛନ୍ତି। ଆମେ ସତର୍କ ଅଛୁ ବୋଲି ଓଡ଼ିଶା ସୁରକ୍ଷିତ ଅଛି ।