୩ ଜିଲ୍ଲାକୁ ଆସିଲେଣି ୩୫ ହଜାର ପ୍ରବାସୀ, ଏଯାଏଁ ମିଳିନି ୧୫୪୪ ସ୍ବାବ ପରୀକ୍ଷା ରିପୋର୍ଟ

କଟକ: କୋଭିଡ୍-୧୯ ମୁକାବିଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଉଛି ସ୍ବାବ ପରୀକ୍ଷା। କିନ୍ତୁ ସ୍ବାବ ପରୀକ୍ଷା ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବେ ରାଜ୍ୟରେ ‌କୋଭିଡ ମୁକାବିଲାର ସଫଳତାକୁ ନେଇ ଆଶଙ୍କା ସୃଷ୍ଟି କଲାଣି। କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କ ପରୀକ୍ଷାରୁ ଏହା ଜଣାପଡ଼ିଛି। ଏହି ୩ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୭୮୦ ସ୍ବାବ ସଂଗ୍ରହ ହୋଇଛି। ସେଥିମଧ୍ୟରୁ ମିଳିଛି ୧୨ ହଜାର ୨୩୬ର ରିପୋର୍ଟ। ଅର୍ଥାତ ୧୫୪୪ଟି ରିପୋର୍ଟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।

ସରକାରୀ ରେକର୍ଡ ଅନୁଯାୟୀ, କଟକ ଜିଲ୍ଲାକୁ ମେ ୨୧ ତାରିଖ ସୁଦ୍ଧା ୧୩ ହଜାର ପ୍ରବାସୀ ଫେରିଛନ୍ତି। କିନ୍ତୁ ଗତକାଲି ସୁଦ୍ଧା ସ୍ବାବ ସଂଗ୍ରହ ହୋଇଛି ମାତ୍ର ୬ ହଜାର ୮୦୦। ଆଉ ୬ ହଜାର ୩୦୦ର ରିପୋର୍ଟ ଆସିଛି। ଅର୍ଥାତ ୫ଶହ ସ୍ବାବ ପରୀକ୍ଷାର ରିପୋର୍ଟ ପଡ଼ିରହିଛି। ସେହିଭଳି କେନ୍ଦ୍ରାପଡା ଜିଲ୍ଲାକୁ ଗତକାଲି ସୁଦ୍ଧା ୧୫ ହଜାରରୁ ଅଧିକ ପ୍ରବାସୀ ଆସିଥିବା ବେଳେ ସ୍ବାବ ସଂଗ୍ରହ ହୋଇଛି ମାତ୍ର ୩ ହଜାର ୯୪୮। ୩ ହଜାର ୨୬୭ଟି ସ୍ବାବର ରିପୋର୍ଟ ଆସିଥିବା ବେଳେ ୬୮୨ଟି ସ୍ବାବ ରିପୋର୍ଟ ପଡି ରହିଛି। ଜଗତସିଂହପୁର ଜିଲ୍ଲାକୁ ଗତକାଲି ସୁଦ୍ଧା ୬ ହଜାରରୁ ଅଧିକ ପ୍ରବାସୀ ଫେରିଥିବା ବେଳେ ଗତକାଲି ସୁଦ୍ଧା ସ୍ବାବ ସଂଗ୍ରହ ହୋଇଛି ୩ ହଜାର ୩୨। ସେଥିରୁ ୨୬୬୯ଟିର ରିପୋର୍ଟ ମିଳିଥିବା ବେଳେ ୩୬୨ଟି ରିପୋର୍ଟ ପଡି ରହିଛି। ଅର୍ଥାତ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଭଳି ୩ଟି ଜିଲ୍ଲାକୁ ପାଖାପାଖି ୩୫ ହଜାର ପ୍ରବାସୀ ଫେରିଥିବା ବେଳେ ସ୍ବାବ ସଂଗ୍ରହ ହୋଇଛି ମାତ୍ର ୧୩ ହଜାର ୭୮୦। ସେଥିରୁ କାଲି ସୁଦ୍ଧା ୧୨ ହଜାର ୨୩୬ଟି ରିପୋର୍ଟ ଆସିଥିବା ବେଳେ ୧୫୪୪ ରିପୋର୍ଟକୁ ଅପେକ୍ଷା କରାଯାଉଛି। ସଂଗୃହୀତ ସ୍ବାବ ପୁଣି କେବଳ ପ୍ରବାସୀଙ୍କର ନୁହେଁ। ପଜିଟିଭ୍ ବାହାରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ସଂଗୃହୀତ ସ୍ବାବ ବି ଏହି ସଂଖ୍ୟା ଭିତରେ ରହିଛି।

କଟକରେ କେବଳ କଟକ ବଡ ମେଡିକାଲରେ ସ୍ବାବ ପରୀକ୍ଷା ବ୍ୟବସ୍ଥା ରହିଛି। କଟକର ଏସ୍‌ସିବି ଉପରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଅନୁଗୁଳ ଭଳି ଜିଲ୍ଲା ସିଧାସଳଖ ନିର୍ଭରଶୀଳ। କିନ୍ତୁ ପ୍ରବାସୀ ଅଧିକ ସଂଖ୍ୟାରେ ଆସିବା ପରେ ଯାଜପୁର ଓ ଭଦ୍ରକ ଅଞ୍ଚଳରୁ ସଂଗ୍ରହ ହେଉଥିବା ସ୍ବାବ ଭୁବନେଶ୍ବରର ବିଭିନ୍ନ କେନ୍ଦ୍ରକୁ ବି ପଠାଯାଉଛି। ବର୍ତ୍ତମାନ ରିପୋର୍ଟ ପାଇଁ ୪୮ ଘଣ୍ଟା ଏମିତିକି ସ୍ଥଳ ବିଶେଷରେ ୬୦ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସଂଗୃହୀତ ସ୍ବାବକୁ ପରୀକ୍ଷା କରିବା ଏବଂ ରିପୋର୍ଟ ଦେବା ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଥିବାବେଳେ ଏବେ ସ୍ବାବ ସଂଗ୍ରହ ହାର ବି ହ୍ରାସ ପାଇବାରେ ଲାଗିଛି। ସବୁ ପୁରୁଣା ସ୍ବାବ ରିପୋର୍ଟ ଆସିବା ପରେ ସେହି ହାରରେ ନୂଆ ସ୍ବାବ ସଂଗ୍ରହ କରାଯାଉଛି। ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରଥମ କେତେ ଦିନ ପ୍ରବାସୀମାନେ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ସେହିଠାରୁ ସ୍ବାବ ସଂଗ୍ରହ କରାଯିବା ପରେ ସେମାନଙ୍କୁ ବିଭିନ୍ନ କ୍ବାରାଣ୍ଟିନ କେନ୍ଦ୍ରକୁ ପଠାଯାଉଥିଲା। କିନ୍ତୁ ସଂଖ୍ୟା ବଢିବା ଏବଂ ରିପୋର୍ଟ ବିଳମ୍ବ ହେବା ଯୋଗୁଁ ସେହି ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର