ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ପାଟଣାଗଡ଼ ଉପଖଣ୍ଡର ୩୫ ଶ୍ରମିକ; ଭିଡିଓ ଜରିଆରେ ଉଦ୍ଧାର ପାଇଁ ଗୁହାରି

ପାଟଣାଗଡ଼ : ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ୩୫ ଜଣ ଶ୍ରମିକ ସେଠାରେ ବନ୍ଧା ପଡ଼ିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଭିଡିଓ ଜରିଆରେ ସେମାନେ ନିବେଦନ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ହେଲେ ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗ ନିକଟରେ ଏହାର ସୂଚନା ନଥିବା କହାଯାଇଛି।

ପ୍ରକାଶ ଯେ, ବେଲପଡ଼ା ବ୍ଲକ ଘଘରା ଗ୍ରାମର ଡିଲେଶ୍ବର ବେହେରା ନାମକ ଦଲାଲ ପାଟଣାଗଡ଼ ବ୍ଲକ୍‌ର ମଲିକମୁଣ୍ଡା ଏବଂ ଖପ୍ରାଖୋଲ ବ୍ଲକ୍‌ର ଲୁହାସିଂହା, ଚାଉଳବାଞ୍ଜି ଗ୍ରାମରୁ ୩୫ ଜଣ ଶ୍ରମିକଙ୍କୁ ଗତ କିଛି ମାସ ହେଲା ତେଲେଙ୍ଗାନା ରାଜ୍ୟକୁ ନେଇଥିଲେ। ଶ୍ରମିକ ପିଛା ୫୦ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ଲୋଭ ଦେଖାଇ ଏକ ଇଟାଭାଟିରେ ଶ୍ରମିକ ପହଞ୍ଚାଇଥିଲେ। ହେଲେ ସେମାନଙ୍କୁ କୌଣସି ଅଗ୍ରିମ ଟଙ୍କା ନଦେଇ ଚାଲି ଆସିଥିଲେ। ଏବେ ଇଟାଭାଟି ମାଲିକ ସଲିମ ସେଖ୍ ସେମାନଙ୍କୁ ଆଦୌ ଟଙ୍କା ଦେଉ ନଥିବା, ମାଗିଲେ ମାଡ଼ ମାରୁଥିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଏପରିକି ମହିଳା ଶ୍ରମିକମାନଙ୍କୁ ବେଶ୍ୟାଳୟରେ ବିକ୍ରି କରିଦେବାକୁ ଧମକ ଦେଉଥିବା ବିଷୟରେ ଉକ୍ତ ଶ୍ରମିକମାନେ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଫୋନ ଯୋଗେ କହିଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ ଜାରି କରି ନିବେଦନ କରିଛନ୍ତି।

ଏ ସମ୍ପର୍କରେ ବେଲପଡ଼ା ସହକାରୀ ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆଙ୍କୁ ପଚାରିବାରୁ ସେ କହିଥିଲେ, ତାଙ୍କ ପାଖରେ କୌଣସି ସୂଚନା ନାହିଁ। କରୋନା ସମୟରେ ଅଣପଞ୍ଜୀକୃତ ଶ୍ରମିକମାନେ ବାହାର ରାଜ୍ୟରୁ ଫେରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶ୍ରମିକମାନେ ରାଜ୍ୟ ବାହାକୁ ଯିବା ସମୟରେ ପଞ୍ଜୀକରଣ କରିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତଥାପି ଶ୍ରମିକମାନେ ବିନା ପଞ୍ଜୀକରଣରେ ଲୁଚିକରି ବାହାର ରାଜ୍ୟକୁ ଯାଉଛନ୍ତି। ତେଣୁ ଏହି ଅଣପଞ୍ଜୀକୃତ ଶ୍ରମିକମାନଙ୍କ ତଥ୍ୟ ବିଭାଗ ପାଖରେ ନାହିଁ ଏବଂ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର