ଜାଲ୍‌ ସାର୍ଟିଫିକେଟ୍‌ରେ ୩୫ବର୍ଷ ଚାକିରି, ମାର୍ଚ୍ଚରେ ଅବସର ନେଲେ ଜାଲ ଶିକ୍ଷକ

ଯାଜପୁର: ମାଟ୍ରିକ ସାର୍ଟିଫିକେଟ ଜାଲ୍। ମାଧ୍ୟମିକ ଶିକ୍ଷକ ତାଲିମ୍ (ସିଟି) ସାର୍ଟିଫିକେଟ ବି ଜାଲ। ଜାଲ ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଶିକ୍ଷକ ଚାକିରି କଲେ ଦୀର୍ଘ ୩୫ବର୍ଷ। ଗତ ମାର୍ଚ୍ଚ ୨୧ରେ ଶିକ୍ଷକତାରୁ ଅବସର ନେଇଛନ୍ତି। ଶିକ୍ଷା ବିଭାଗ ଏହି ଜାଲିଆତିର ସୁରାଗ ପାଇଲା ନାହିଁ । ଏଭଳି ଏକ ସାଂଘାତିକ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ହାତରେ ଲାଗିଛି। ଶିକ୍ଷା ବିଭାଗରେ ଶିକ୍ଷକମାନଙ୍କ ନିଯୁକ୍ତି ସମ୍ବନ୍ଧୀୟ ସାର୍ଟିଫିକେଟ ଯାଞ୍ଚ ଏକ ପ୍ରହସନ ବୋଲି ଜଳଜଳ ଦିଶୁଛି।

କଟକ ଜିଲ୍ଲାରୁ ଚୋରା ସାର୍ଟିଫିକେଟ୍ ରାକେଟ୍ ସମ୍ପର୍କରେ ମିଳିଥିବା ତଥ୍ୟ ମୁତାବକ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍ ଅନ୍ତର୍ଗତ ରୁଗୁଡିସାହି ପ୍ରାଥମିକ ବିଦ୍ୟାଳୟରେ ଭୀମସେନ ବେହେରା ଶିକ୍ଷକ ଚାକିରି କରିଆସୁଥିଲେ। ଗତ ୩୧ମାର୍ଚ୍ଚ ୨୦୨୧ରେ ଶ୍ରୀ ବେହେରା ଅବସର ନେଇଛନ୍ତି। ଶ୍ରୀ ବେହେରା ଶିକ୍ଷକ ନିଯୁକ୍ତି ବେଳେ ଦେଇଥିବା ମାଟ୍ରିକ ସାର୍ଟିଫିକେଟ ଓ ମାର୍କସିଟ୍ ଅନୁଯାୟୀ ପଦ୍ମପୁରସ୍ଥିତ ମହାଲକ୍ଷ୍ମୀ ଉଚ୍ଚବିଦ୍ୟାଳୟର ରୋଲ୍ ନମ୍ବର ୦୪ଏଚ୍ ୫୨୨ରେ ଏପ୍ରିଲ ୧୯୭୭ ମସିହାରେ ମୋଟ ୮୦୦ ରୁ ୪୨୧ ନମ୍ବର ରଖି ‌ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ନିଯୁକ୍ତି ବେଳେ ଦେଇଥିବା ମାଧ୍ୟମିକ ଶିକ୍ଷକ ତାଲିମ (ସିଟି) ସାର୍ଟିଫିକେଟ ଓ ମାର୍କସିଟ୍‌ରୁ ଜଣାଯାଏ ଯେ ରୋଲ୍ ନମ୍ବର ୫୪୯ରେ ମାଧ୍ୟମିକ ତାଲିମ ଶିକ୍ଷା କେନ୍ଦ୍ର ଜଗତସିଂହପୁରରୁ ଜୁଲାଇ ୧୯୮୩ ମସିହାରେ ମୋଟ ୧୦୫୦ ରୁ ୬୨୨ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଶ୍ରୀ ବେହେରା ନିଯୁକ୍ତି ସମୟରେ ଦେଇଥିବା ମାଟ୍ରିକ ଓ ସିଟି ସାର୍ଟିଫିକେଟ ଜାଲ୍‌ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା କଟକ କାର୍ଯ୍ୟାଳୟର ତଥ୍ୟ କହୁଛି । ମାଧ୍ୟମିକ ଶିକ୍ଷା ପରିଷଦ କଟକର ତଥ୍ୟ ଅନୁଯାୟୀ ଶ୍ରୀ ବେହେରା ନିଯୁକ୍ତି ସମୟରେ ଦେଇଥିବା ସିଟି ସାର୍ଟିଫିକେଟଟି ବାବାଜୀ ସାହୁଙ୍କର ଓ ସେ ୫୪୦ ମାର୍କ ରଖି ଶିକ୍ଷା ତାଲିମ କେନ୍ଦ୍ର(ପୁରୁଷ)ବଲାଙ୍ଗୀରରୁ ସେକେଣ୍ଡ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ମାଟ୍ରିକ ସାର୍ଟିଫିକେଟର ୦୪ଏଚ୍ ୫୨୨ ରୋଲ ନମ୍ବର କୌଣସି ପରୀକ୍ଷାର୍ଥୀଙ୍କୁ ଦିଆଯାଇ ନାହିଁ। ଜାଲିଆତିର ସାଂଘାତିକ ତଥ୍ୟ ପଦାକୁ ଆସିବା ପରେ ଶିକ୍ଷା ବିଭାଗରେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି।

ଶିକ୍ଷାଗତ ଯୋଗ୍ୟତା ନଥାଇ ବର୍ଷ ବର୍ଷ ଧରି ଶ୍ରୀ ବେହେରା କିଭଳି ଶିକ୍ଷାଦାନ କଲେ ? ଶିକ୍ଷା ବିଭାଗ ବିଭାଗ ବିଭିନ୍ନ ସମୟରେ ବାରମ୍ବାର ସାର୍ଟିଫିକେଟ ଯାଞ୍ଚ କରୁଥିବାବେଳେ ଏହି ଜାଲ ସାର୍ଟିଫିକେଟ କେମିତି ଧରାପଡୁ ନଥିଲା ? ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

ସମ୍ବନ୍ଧିତ ଖବର