ଭୁବନେଶ୍ବର: ରଥଯାତ୍ରା ଅବ୍ୟବହିତ ପୂର୍ବରୁ ପୁରୀ ପଠାଯାଇଛି ୩୫୦ କିଲୋଗ୍ରାମ ବାସୁଙ୍ଗା ପାଟ। ସହିଦନଗରସ୍ଥିତ ‘ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍)’ କାର୍ଯ୍ୟାଳୟ ପରିସରରୁ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ପ୍ରେରଣ କରାଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତିରେ ପ୍ରେରଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ କରିବା ପୂର୍ବରୁ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଧୂପ, ଦୀପ, ପୁଷ୍ପାଦି ପ୍ରଦାନ କରି ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ପ୍ରେରଣ କରିଛନ୍ତି।

Advertisment

୧୯୮୧ ମସିହାରୁ ଯୋଗାଇ ଆସୁଛି ସେରିଫେଡ୍ 
କେବଳ ବିଗ୍ରହଙ୍କ ସେବାରେ ଲାଗେ, ଏହାର ବାଣିଜ୍ୟିକ ବ୍ୟବହାର ନାହିଁ 

ସୂଚନଯୋଗ୍ୟ, ବାସୁଙ୍ଗା ପାଟ ହେଉଛି ଏକ ପବିତ୍ର ଓ ଅତ୍ୟନ୍ତ ଶକ୍ତିଶାଳୀ ରେଶମ ଡୋରି ଯାହା ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି, ପଇତା ଓ ରାକ୍ଷୀ ଆଦି ତିଆରି କରିବାରେ ବ୍ୟବହାର କରାଯାଇଥାଏ। ୧୯୮୧ ମସିହାରୁ ସେରିଫେଡ୍‌ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଏହି ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଚଳିତବର୍ଷ ୩୫୦ କିଲୋଗ୍ରାମ  ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି।  ଏହି ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ କରାଯାଇଥାଏ। ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଓ ଆର. ଉଦୟଗିରି ବ୍ଲକର ଜନଜାତି ରେଶମ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ହୋଇଥାଏ। ଏଥିରେ କୋରାପୁଟ ଜିଲ୍ଲାରୁ ସଂଗୃହୀତ କଇଥ ଫଳର ଅଠା ଲଗାଯାଇ ରଙ୍ଗାୟିତ କରାଯାଇଥାଏ। 

ଏହି କୋଷାଗୁଡ଼ିକୁ ସେରିଫେଡ୍‌ ଦ୍ୱାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣା ସ୍ଥିତ ସିଲ୍କ ପ୍ରଡକ୍‌ସନ୍‌ ଆଣ୍ଡ୍‌ ଟେକ୍‌ନିକାଲ୍‌ ଅପ୍‌ଗ୍ରେଡେସନ୍‌ ସେଣ୍ଟରଠାରେ ପ୍ରକ୍ରିୟାକରଣ କରାଯାଏ। ଶ୍ରୀମନ୍ଦିର ପ୍ରଶାସନର ଆବଶ୍ୟକତା ଅନୁଯାୟୀ ବାସୁଙ୍ଗା ପାଟ ଡୋରି ଭାବରେ ପ୍ରସ୍ତୁତ କରି ମଧ୍ୟ ପ୍ରେରଣା କରାଯାଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହାର କୌଣସି ବାଣିଜ୍ୟିକ ବ୍ୟବହାର କରାଯାଇନଥାଏ । ଆଜିର କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଯୁଗ୍ମ ଶାସନ ସଚିବ ମଧୁମିତା ରଥ, ସେରିଫେଡ୍‌ ଅଧ୍ୟକ୍ଷ ଭାଗୀରଥୀ ନନ୍ଦ, ସେରିଫେଡ୍‌ ପରିଚାଳନା ନିର୍ଦ୍ଦେଶକ ବିକ୍ରମାଦିତ୍ୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।