ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଆରାଧ୍ୟ ଦେବତା ହେଉଛନ୍ତି ଦଧିବାମନଜିଉ। ଏଠାରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ପୂଜା ପାଇଆସୁଛନ୍ତି। କେନ୍ଦୁଝରର ବଳଦେବଜିଉଙ୍କ ପରେ ଆନନ୍ଦପୁରର ଦଧିବାମନଜିଉଙ୍କ ରଥଯାତ୍ରା ଜିଲ୍ଲାରେ ପ୍ରସିଦ୍ଧ ଲାଭ କରିଛି। ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ ନିର୍ମାଣ କାମ ଦ୍ରୁତଗତିରେ ଚାଲିଛି। ୮ରୁ ୧୦ଜଣ ମହାରଣା ରଥ କାମରେ ନିୟୋଜିତ ହୋଇଛନ୍ତି। ପ୍ରାଚୀନ ଉତ୍କଳୀୟ ପରମ୍ପରା ଅନୁସାରେ ଦଧିବାମନଜିଉଙ୍କ ମନ୍ଦିର ନିର୍ମାଣ ହୋଇଛି। ଏହାର ଉଚ୍ଚତା ୭୨ଫୁଟ୍। ୧୬୬୧ ଖ୍ରୀଷ୍ଟାବ୍ଦରେ କେନ୍ଦୁଝର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜ କେନ୍ଦୁଝରରେ ବଳଦେବଜିଉଙ୍କ ମନ୍ଦିର ନିର୍ମାଣ କରିବା ପରେ ୧୬୭୫ରେ ଆନନ୍ଦପୁରରେ ଦଧିବାମନଜିଉଙ୍କ ମନ୍ଦିର ନିର୍ମାଣ କରିଥିଲେ। ଏହାର ମୁଖ୍ୟମନ୍ଦିର ଓ ଜଗମୋହନ ଶିଳ୍ପୀଶାସ୍ତ୍ରକୁ ଅନୁକରଣ କରାଯାଇ ପିଢ଼ ମନ୍ଦିର ଶୈଳୀରେ ନିର୍ମାଣ ହୋଇଥିବା ଜଣାଯାଏ। ପରେ ରାଜା ରଘୁନାଥ ଭଞ୍ଜ ମନ୍ଦିର ଚାରିପାଖରେ ପାର୍ଶ୍ବଦେବତା ବିଷ୍ଣୁ, ବରାହ ଓ ନୃସିଂହଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ତାଙ୍କ ଶାସନ କାଳରେ ୧୭୦୦ରୁ ୧୭୧୯ ମଧ୍ୟରେ ମୁଖ୍ୟମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଲକ୍ଷ୍ମୀ ମନ୍ଦିର ନିର୍ମାଣ ହେବା ସହିତ ଜଗମୋହନ ମଧ୍ୟରେ ଗରୁଡ଼ ମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା। ୧୭୮୪ରେ ରାଜା ପ୍ରତାପ ବଳଭଦ୍ର ନାରାୟଣ ଭଞ୍ଜ ହାଟଡିହି ବ୍ଲକ୍ ଢେଙ୍କାରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବିଗ୍ରହ ଆଣି ପଶ୍ଚିମ ପାର୍ଶ୍ବରେ ପ୍ରତିଷ୍ଠା କରାଇଥିଲେ। ଏହି ଠାକୁର ଢେଙ୍କା ଜଗନ୍ନାଥ ନାମରେ ପରିଚିତ।
୧୯୦୬ରେ ରାଜା ଗୋପୀନାଥ ଭଞ୍ଜ ଦଧିବାମନ ମନ୍ଦିରର ମୁଖଶାଳା, ପାଚେରି, ଭଣ୍ଡାରଘର, ଗନ୍ତାଘର, ସ୍ନାନମଣ୍ଡପ ନିର୍ମାଣ କରିଥିଲେ। ଦୁଇବର୍ଷ ତଳେ ପ୍ରଶାସନ ସହଯୋଗରେ ନୂତନ ସ୍ନାନମଣ୍ଡପ ନିର୍ମାଣ କରାଯାଇଛି। ମନ୍ଦିର ନିର୍ମାଣ ପରଠାରୁ ଆନନ୍ଦପୁରରେ ରଥଯାତ୍ରା ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇଆସୁଛି। ଏହା ୩୫୦ ବର୍ଷ ପୁରୁଣା ବୋଲି ସାହିତ୍ୟିକ ରମାକାନ୍ତ ନାୟକ ପ୍ରକାଶ କରିଛନ୍ତି। କେବଳ କୋଭିଡ ସମୟରେ ତିନିଠାକୁର ବଡ଼ଦାଣ୍ଡକୁ ଆସିପାରି ନଥିବା ବେଳେ ବେଢ଼ାରେ ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା। ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ ପୂଜକଭାବେ ପ୍ରହଲ୍ଲାଦ ମିଶ୍ର କାର୍ଯ୍ୟ କରିଥିଲେ। ଏବେ ତାଙ୍କ ବଂଶଧରଙ୍କ ଦ୍ବାରା ପୂଜାର୍ଚ୍ଚନା ଚାଲିଛି। ମନ୍ଦିରର ପରିଛା ସୁଦର୍ଶନ ମିଶ୍ର ରହିଥିବା ବେଳେ ପୂର୍ବରୁ ତାଙ୍କର ବଂଶଧର ନାରାୟଣ ମିଶ୍ର, ଉପେନ୍ଦ୍ର ମିଶ୍ର, ରାମଚନ୍ଦ୍ର ମିଶ୍ର ପ୍ରମୁଖ ଏହି ଦାୟିତ୍ବ ତୁଲାଇଥିଲେ। ପୂର୍ବରୁ ରାଜାଙ୍କ ଦାନରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଏବେ ପ୍ରଶାସନ ସହଯୋଗରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। କେନ୍ଦୁଝର ଜିଲ୍ଲାର ଦ୍ବିତୀୟ ବୃହତ ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।