ଓଡ଼ିଶା ପୂର୍ବଭାରତର ଉତ୍ପାଦ ଶିଳ୍ପ ହବ୍: ମୁଖ୍ୟମନ୍ତ୍ରୀ: ୪ ଶିଳ୍ପର ଲୋକାର୍ପଣ ଓ ୧୪ଟିର ଭିତ୍ତିପ୍ରସ୍ତର

୧୮ଟି ପ୍ରକଳ୍ପରେ ୩,୫୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ୨୦୨୫ ବେଳକୁ ଓଡ଼ିଶା ଦେଶରେ ଉତ୍ପାଦ ଶିଳ୍ପର ପେଣ୍ଠସ୍ଥଳୀ ହେବ। ରାଜ୍ୟକୁ ଅଧିକରୁ ଅଧିକ ଶିଳ୍ପ ଆଣିବା ପାଇଁ ସରକାର ଏକ ବଳିଷ୍ଠ କ୍ରିୟାନ୍ବୟନ ଯୋଜନା ପ୍ରସ୍ତୁତ କରିଛନ୍ତି। ମଙ୍ଗଳବାର ସଚିବାଳୟରେ ଭିଡିଓ କନଫରେନ୍‌ସିଂ ଜରିଆରେ ୪ଟି ଶିଳ୍ପର ଲୋକାର୍ପଣ ଓ ୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮ଟି ଶିଳ୍ପ ପାଇଁ ୨ ହଜାର ୧୯୬ କୋଟି ୩୦ ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗରେ ୩ ହଜାର ୪୬୫ ଜଣଙ୍କୁ ନିଯୁକ୍ତି ମିଳିବ। ୨୦୧୮ରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମିଳିଥିବା ପ୍ରତିଶ୍ରୁତି ମୁତାବକ ବର୍ତ୍ତମାନ ସୁଦ୍ଧା ୧୦୦ଟି ପ୍ରସ୍ତାବ ବିଧିବଦ୍ଧ ଭାବେ ଆସିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୫ ସୁଦ୍ଧା ରାଜ୍ୟରେ ଅଢ଼େଇ ଲକ୍ଷ ପୁଞ୍ଜି ବିନିଯୋଗ କରାଯାଇ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପୁଣି ଥରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଟି ଶିଳ୍ପର ଲୋକାର୍ପଣ କରିଥିଲେ। ଯାଜପୁର କଳିଙ୍ଗନଗରରେ ଇମାମି ସିମେଣ୍ଟ କମ୍ପାନି ପକ୍ଷରୁ ୪୦୧ କୋଟି ଟଙ୍କା ବ୍ୟୟରେ ବର୍ଷକୁ ଦେଢ଼ ମିଲିୟନ ଟନ୍ ସିମେଣ୍ଟ ଉତ୍ପାଦନ କାରଖାନା ସହ ୧୫ ମେଗାଵାଟ୍ କ୍ୟାପଟିଭ୍ ପାଵାର ପ୍ଲାଣ୍ଟର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି କଟକ ଜଗତପୁର ଶିଳ୍ପାଞ୍ଚଳ ଫେଜ୍-୨ରେ ୧୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବାଭଳି ଜୟ ଭାରତ ମସଲା ପକ୍ଷରୁ ୪୫ କୋଟି ଟଙ୍କା ବ୍ୟୟରେ ଘଣ୍ଟାକୁ ୩ ମେଟ୍ରିକ୍ ଟନ୍ ପାସ୍ତା ଉତ୍ପାଦନ କରଖାନା, ଯାଜପୁର କଳିଙ୍ଗନଗରରେ ବ୍ରାହ୍ମଣୀ ରିଭର ପିଲେଟ ଲିମିଟେଡ ପକ୍ଷରୁ ୪୦ କୋଟି ଟଙ୍କା ବ୍ୟୟରେ ୪୮୭ ଜଣଙ୍କୁ ନିଯୁକ୍ତି କ୍ଷମତା ବିଶିଷ୍ଟ ପିଲେଟ ଉତ୍ପାଦନ ପ୍ଲାଣ୍ଟ ଓ ଖୋର୍ଦ୍ଧା ଭଗବାନପୁରରେ ୭ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟରେ ଉତ୍କଳ ବ୍ରିକ୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୩୨ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବାଭଳି ଫ୍ଲାଇ ଆସ୍ ବ୍ରିକ୍ସ ନିର୍ମାଣ କାରଖାନାର ଲୋକାର୍ପଣ ମୁଖ୍ୟମନ୍ତ୍ରୀ କରିଥିଲେ। ଏହା ସହିତ ୧୪ଟି ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହିନ୍ଦୁସ୍ତାନ କୋକା କୋଲା ବିଭରେଜ ପକ୍ଷରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ନିଶାମୁକ୍ତ ପାନୀୟ ପ୍ଲାଣ୍ଟ, ନରଭେରାମ ପାଵାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଢେଙ୍କାନାଳ ଗୁଣ୍ଡିଚାପଡ଼ା ଶିଳ୍ପାଞ୍ଚଳରେ ଲୁହାପଥର ପିଲେଟ ପ୍ଲାଣ୍ଟ, ସମ୍ବଲପୁର ଲାପଙ୍ଗରେ ହିଣ୍ଡାଲକୋ ସୋଲାର ପକ୍ଷରୁ ସୌର ଶକ୍ତି ପ୍ଲାଣ୍ଟ, ଏକେଏମ ଆଗ୍ରୋ ପକ୍ଷରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ପନିପରିବା ପ୍ରକ୍ରିୟାକରଣ ୟୁନିଟ୍, କଟକ ରାମଦାସପୁରରେ ଇନଫ୍ୟୁନେକ୍ସ ହେଲ୍ଥକେୟାର ତରଫରୁ ତରଳ ଇଞ୍ଜେକସନ୍, ଝାରସୁଗୁଡ଼ାରେ ରୁଣୟ ରିଫାଇନିଂ ପକ୍ଷରୁ ଆଲୁମିନିୟମ୍ ପ୍ରକ୍ରିୟାକରଣ ୟୁନିଟ୍, ସମ୍ବଲପୁର ହୀରାକୁଦଠାରେ ହିଣ୍ଡାଲକୋ ଗ୍ୟାସିଫିକେସନ ତରଫରୁ କୋଇଲା ଗ୍ୟାସିଫିକେସନ ୟୁନିଟ୍, ଯାଜପୁର ବଡ଼ଚଣାରେ ଓମଜେ ଇଭି ପକ୍ଷରୁ ଦୁଇ ଚକିଆ ଓ ତିନିଚକିଆ ଇଲେକ୍ଟ୍ରି ମୋଟର ଯାନ ଉତ୍ପାଦନ ୟୁନିଟ୍, ଅନୁଗୁଳ ଆଲୁମିନିୟମ ପାର୍କରେ ସୁଷମା ଫେରା ଆଲୟଏଜ ପକ୍ଷରୁ ଆଲୁମିନିୟମ କଣ୍ଡକଟର ୟୁନିଟ୍, ଏ.ବି ଦୀନେଶ କଂକ୍ରିଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ କଟକ ରାମଦାସପୁରରେ ଏଏସି ବ୍ଲକସ, ଆଗନିକ୍ ଫୁଡ ପ୍ରୋସେସିଂ ପକ୍ଷରୁ କଟକ ରାମଦାସପୁରରେ ଫଳରସ ପ୍ରକ୍ରିୟାକରଣ ୟୁନିଟ୍, ଡେରାସ ସି ଫୁଡ ପାର୍କରେ ଓଡ଼ିଶା ଆକ୍ବା ଟ୍ରେଡର୍ସ ଆଣ୍ଡ୍ ମେରାଇନ୍ ଏକ୍ସପୋଟର୍ସ ପକ୍ଷରୁ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ୟୁନିଟ୍, ଅନୁଗୁଳ ଆଲୁମିନିୟମ ପାର୍କରେ ସାଫାୟାର ଆଲୁମିନା ପକ୍ଷରୁ ଆଲୁମିନିୟମ କଣ୍ଡକ୍ଟର ଏବଂ ଡେରାସ ସି ଫୁଡ୍ ପାର୍କରେ ବ୍ରାଇଟ ଷ୍ଟାର ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ନିର୍ମାଣ ହେବାକୁ ଥିବା ସି ଫୁଡ ପ୍ରକ୍ରିୟାକରଣ ଓ ଶୀତଳିକରଣ ଭଣ୍ଡାରର ଶିଳାନ୍ୟାସ କରାଯାଇଥିଲା।

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଅବସରରେ ସୂଚନା ଦେଇ କହିଥିଲେ, ଶିଳ୍ପ ପ୍ରତିଷ୍ଠା ପରେ କିପରି ତାହା ବ୍ୟବସାୟିକ ସଫଳତା ପାଇବ ସେଥିପାଇଁ ନୂଆକରି ଗୋଟିଏ ଷ୍ଟେଟ୍ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ ପୋର୍ଟାଲ ଜରିଆରେ ଇ-ସୁବିଧାର ପ୍ରଚଳନ କରାଯାଇଛି। ଏହି ଲୋକାର୍ପଣ ସମାରୋହରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରୟଣ ଗୁପ୍ତା, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା, ଶ୍ରମ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଓ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର