୯୭୨ ପଦ ପାଇଁ ୩୫ ହଜାର ପରୀକ୍ଷାର୍ଥୀ, ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ପଦବି ପାଇଁ ୧୯ରେ ପରୀକ୍ଷା

ଭୁବନେଶ୍ବର : ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ପଦବି ଲାଗି ଆସନ୍ତା ୧୯ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ୯୭୨ ପଦବି ଲାଗି ରାଜ୍ୟ ସିଲେକ୍ସନ ବୋର୍ଡ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ ୩୫ ହଜାର ପ୍ରାର୍ଥୀ ଅଂଶଗ୍ରହଣ କରିବେ। ଭୁବନେଶ୍ବର ସମେତ କଟକ, ବାଲେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁର ସହରର ୮୦ଟି ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷାର ସୁପରିଚାଳନା ଉପରେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ବାରୋପ କରିଛି। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଆଜି ପରୀକ୍ଷା କେନ୍ଦ୍ର ହୋଇଥିବା ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି/ଡିସିପିଙ୍କ ନିକଟକୁ ଚିଠି ଲେଖି ସମସ୍ତ ପ୍ରକାର ଆବଶ୍ୟକ ପଦ‌କ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ପରୀକ୍ଷା ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟକୁ ଗ୍ରହଣ କରି ସାଇତି ରଖିବା ଓ ବଣ୍ଟନ ବ୍ୟବସ୍ଥାକୁ ଗୋପନୀୟ ରଖିବା, ପରୀକ୍ଷା ସାମଗ୍ରୀ ରହୁଥିବା ସ୍ଥାନ, ପରୀକ୍ଷା କେନ୍ଦ୍ରରେ ବ୍ୟାପକ ପୁଲିସ ମୁତୟନ କରିବାକୁ ପରାମର୍ଶ ଦିଆଯାଇଛି। ବୋର୍ଡ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର