ବ୍ରହ୍ମପୁର: ୨୦୨୩-୨୪ ଖରିଫ୍ ଧାନକିଣା ଆଉ ମାତ୍ର ୧୫ଦିନ ବାକି ରହିଛି। ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ଲକ୍ଷ ୧୦ହଜାର ୭୫୦ ଚାଷୀଙ୍କ ଠାରୁ ୪୪ଲକ୍ଷ ୩୯ହଜାର କ୍ବିଣ୍ଟାଲ୍ ଧାନକ୍ରୟ ହୋଇ ସାରିଲାଣି। ଜିଲ୍ଲାର ଅଧିକାଂଶ ମଣ୍ଡିରେ ଆଉ ଧାନକିଣା ହେଉନାହିଁ। ସେପଟେ ଜିଲ୍ଲାର ୧୦ରୁ ଅଧିକ ବ୍ଲକ୍ରେ ଧାର୍ଯ୍ୟ କୋଟା ପୂରଣ ହୋଇ ସାରିଲାଣି। ମୋଟାମୋଟି ଭାବେ କହିବାକୁ ଗଲେ ଆଉ କିଛି ହାତଗଣତି ଚାଷୀଙ୍କୁ ଛାଡ଼ି ଦେଲେ ଧାନ ବିକିବା ପାଇଁ ଆଉ କେହି ନାହାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ପ୍ରାୟ ୩୫ହଜାର ଚାଷୀ ମଣ୍ଡିକୁ ଆସି ନାହାନ୍ତି। ତେବେ ସେମାନେ କାହାକୁ ଧାନ ବିକିଲେ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହେବା ପାଇଁ ମୋଟ ୧ଲକ୍ଷ ୪୬ହଜାର ୫୪୧ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ଜିଲ୍ଲା ପାଇଁ ଚଳିତ ବର୍ଷ ୪୮ଲକ୍ଷ ୧୪ ହଜାର କ୍ବିଣ୍ଟାଲ୍ ଧାନକ୍ରୟ କରିବାକୁ ଟାର୍ଗେଟ ଆସିଥିଲା। ଗତବର୍ଷ ୫୧ଲକ୍ଷ ୫୪ହଜାର କ୍ବିଣ୍ଟାଲ୍ ଟାର୍ଗେଟ ମିଳିଥିବା ବେଳେ ଏଥର ବର୍ଷା ଅଭାବ ଯୋଗୁ ଧାନ ଫସଲ ପ୍ରଭାବିତ ହୋଇଥିଲା। ଏଣୁ କୋଟା କିଛିଟା ହ୍ରାସ କରାଯାଇଥିଲା। ତଥାପି ଏଥର କୋଟା ପୂରଣ ହୋଇ ନାହିଁ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଧାନକ୍ରୟ କରାଯିବ ବୋଲି ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଥିଲା। ହେଲେ ବର୍ତ୍ତମାନ ଧାନବିକ୍ରି କରିବା ପାଇଁ ଆଉ ସେଭଳି ଚାଷୀ ନାହାନ୍ତି। ଏ ସମ୍ପର୍କରେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହନ୍ତି, ଜିଲ୍ଲାର ଅଧିକାଂଶ ଚାଷୀ ଧାନବିକ୍ରି କରି ସାରିଲେଣି। ଏବେ ଯେଉଁ ବଳକା ଚାଷୀ ରହିଛନ୍ତି, ସେମାନେ ବିଭିନ୍ନ କାରଣ ଯୋଗୁ ମଣ୍ଡିରେ ଧାନବିକ୍ରି କରି ନପାରି ଦଲାଲକୁ ବିକ୍ରି କରି ଦେଇଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ସେପଟେ ଜିଲ୍ଲାର ବେଲଗୁଣ୍ଠା, ବୁଗୁଡ଼ା, ଦିଗପହଣ୍ଡି, ଚିକିଟି, ହିଂଜିଳି, ପାତ୍ରପୁର, ରଂଗେଇଲୁଣ୍ଡା, ସାନଖେମୁଣ୍ଡି, ସୋରଡ଼ା, ଖଲ୍ଲିକୋଟ ଭଳି ବିଭିନ୍ନ ବ୍ଲକ୍କୁ ମିଳିଥିବା ଧାନ ସଂଗ୍ରହ କୋଟା ପୂରଣ ହୋଇ ସାରିଲାଣି।
ବେଲଗୁଣ୍ଠା ବ୍ଲକ୍ରେ ୪ହଜାର ୪୧୪ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୨ହଜାର ୮୧୬ ଚାଷୀ ଧାନ ବିକିଛନ୍ତି। ଏହି ବ୍ଲକ୍ର କୋଟା ପୂରଣ ହୋଇଥିଲେ ସୁଦ୍ଧା ଆହୁରି ପ୍ରାୟ ୧୫ଶହ ଚାଷୀ ତାଙ୍କ ଧାନ ବିକ୍ରି କରି ନାହାନ୍ତି। ସେହିପରି ଦିଗପହଣ୍ଡି ବ୍ଲକ୍ରେ ୯ହଜାର ୩୪୬ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୬ହଜାର ୬୨୦ ଚାଷୀ ଧାନ ବିକ୍ରି କରିଛନ୍ତି। ଏହି ବ୍ଲକ୍ର ଆହୁରି ପ୍ରାୟ ୨୭ଶହ ଚାଷୀ ଧାନ ବିକି ନାହାନ୍ତି। ସେହିଭଳି ପାତ୍ରପୁର ବ୍ଲକ୍ରେ ୬ହଜାର ୮୭୨ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୪ହଜାର ୪୦୪ ଚାଷୀ ଧାନ ବିକ୍ରି କରିଛନ୍ତି। ଏହି ବ୍ଲକ୍ରୁ ମଧ୍ୟ ଆହୁରି ପ୍ରାୟ ୨୪ଶହ ଚାଷୀ ଧାନ ବିକ୍ରି କରି ନାହାନ୍ତି। ବିଭିନ୍ନ ବ୍ଲକ୍ରେ ଏଭଳି ସମସ୍ୟା ରହିଛି। ତେବେ ଚାଷୀ ଧାନ ବିକ୍ରି ନକରିବାର କାରଣ କ’ଣ ବୋଲି ଏବେ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/RAJNAGAR-MANDI-RE-DHANA-PADI-RAHICHI_6.jpg)