ଛତ୍ରପୁର : ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍ ଯୋଜନାରେ ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ୫୦୩ ପଞ୍ଚାୟତରୁ ମୋଟ ୩୫ହଜାର ୧୧୪ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ୨୦୧୯ ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍ ଯୋଜନାରେ ଜିଲ୍ଲାରୁ ୨୫ ହଜାର ୫୧୮ ହିତାଧିକାରୀଙ୍କ ନାମ ପ୍ରକାଶ ପାଇଛି। ସେହିପରି 'ଫନି' ବାତ୍ୟାରେ ଘର ହରାଇଥିବା ୯୫୯୬ ଜଣ ହିତାଧିକାରୀଙ୍କ ନାମ ନୂତନ ତାଲିକାରେ ଯୋଡ଼ି ହୋଇଛି।
ଆଗାମୀ ଦିନରେ ମୋଟ ୩୫ହଜାର ୧୧୪ ଜଣ ସମ୍ଭାବ୍ୟ ଯୋଗ୍ୟ ଆବାସ ହିତାଧିକାରୀ ପକ୍କାଘର ପାଇବେ। ତେବେ ଏହି ତାଲିକାରେ ଥିବା ହିତାଧିକାରୀମାନେ ପ୍ରକୃତରେ ଯୋଗ୍ୟ ନା ଅଯୋଗ୍ୟ, ଏନେଇ ଆରଏଚ୍ (ରୁରାଲ୍ ହାଉସିଂ) ପୋର୍ଟାଲରେ ଅନଲାଇନ୍ ମାଧ୍ୟମରେ କିମ୍ବା ବ୍ଲକ, ପଞ୍ଚାୟତ ଓ ଜିଲ୍ଲା କାର୍ଯ୍ୟାଳୟରେ ସିଧାସଳଖ ଭାବେ ଆପତ୍ତିଅଭିଯୋଗ କରିବାକୁ ପ୍ରଶାସନ ଘୋଷଣା କରିଛି। ଏଥିପାଇଁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସୂଚନା ଥାଉକି, ୨୦୧୬ ମସିହା ଠାରୁ ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଆବାସ ଯୋଜନାରେ ୧ ଲକ୍ଷ ୩୨ ହଜାର ପକ୍କା ଘର ନିର୍ମାଣ ସରିଛି। ୨୦୧୧ ଜନଗଣନା ଅନୁସାରେ ଜିଓ ଟ୍ୟାଗିଂ ହୋଇ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପକ୍କାଘର ମଞ୍ଜୁର ହୋଇଛି।