ବାଲେଶ୍ବର/ଜଳେଶ୍ବର: ଚଳିତ ବନ୍ୟାରେ ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକରେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୪୦ ହଜାରରୁ ଊର୍ଦ୍ଧ୍ବ ଲୋକ ବନ୍ୟା ଆଶ୍ରୟସ୍ଥଳରେ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି। ରାଜ୍ୟ ସରକାର ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ ସହାୟତା କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏସ୍ଆରସି କ୍ଷମତା ଦେଇଥିଲେ ମଧ୍ୟ ବ୍ଲକ୍ସ୍ତରରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇ ପାରୁନଥିବାରୁ ରିଲିଫ କାର୍ଯ୍ୟ ବିଳମ୍ବିତ ହୋଇଛି। ଏପରିକି କେଉଁ ପଞ୍ଚାୟତ ଓ କେଉଁ ଗାଁ ରିଲିଫ ତାଲିକାରେ ସ୍ଥାନ ପାଇବ, ସେହି ଗାଁ ଜଳବନ୍ଦି ହୋଇଥିଲା କି ନାହିଁ, ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁନାହିଁ। ଭୋଗରାଇ, ବାଲେଶ୍ବର ସଦର ବ୍ଲକ ଓ ବାଲିଆପାଳ ବ୍ଲକରେ ରିଲିଫ୍ ତାଲିକା ପ୍ରସ୍ତୁତି ନେଇ ରାଜନୈତିକ ହସ୍ତକ୍ଷେପ ମଧ୍ୟ ଅଭିଯୋଗ ହୋଇଛି। ସରକାର ୭ ଦିନ ରିଲିଫ ଦେବାକୁ ଘୋଷଣା କରିଥିବା ବେଳେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ପାଇଁ ବିଡିଓମାନଙ୍କୁ ଦାୟିତ୍ବ ଦେଇଛନ୍ତି। ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଦ୍ବାରା ନିୟୋଜିତ ନୋଡାଲ୍ ଅଫିସରମାନେ ସହାୟତା କରିବେ ବୋଲି ନିର୍ଦ୍ଦେଶ ରହିଛି। ହେଲେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ବିଡିଓ ଓ ବରିଷ୍ଠ ଅଧିକାରୀମାନେ ଚାପରେ କାମ କରୁଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ସୁବର୍ଣ୍ଣରେଖା, ଜଳକା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଯୋଗୁଁ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ବର, ବାଲେଶ୍ବର ସଦର, ରେମୁଣା ବ୍ଲକର ୧୧୦ଟି ପଞ୍ଚାୟତର ୩୫୩ ଗାଁ ଓ ଜଳେଶ୍ବର ପୌରାଞ୍ଚଳର ୧୭ଟି ଵାର୍ଡର ୨୧୦୨୩୫ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ପ୍ରଶାସନ ଓଡ଼ିଶା ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ପ୍ରଭାବିତଙ୍କ ମଧ୍ୟରୁ ୪୦ରୁ ୪୫ ପ୍ରତିଶତ ଲୋକ ଜଳବନ୍ଦି ହୋଇ ରହିଥିଲେ। ସେମାନଙ୍କୁ ଜରୁରୀକାଳୀନଭିତ୍ତିରେ ୪୪୩ କୁଇଣ୍ଟାଲ ଚୁଡ଼ା, ୪୦.୫ କୁଇଣ୍ଟାଲ ଗୁଡ଼, ଶୁଖିଲା ଖାଦ୍ୟ ସହ ୮୦ ରୋଲ୍ ପଲିଥିନ ଦିଆଯାଇଛି। ବନ୍ୟା ପରେ ରିଲିଫ ସହାୟତା, ଜରୁରୀ ସ୍ବାସ୍ଥ୍ୟସେବା, ପିଇବା ପାଣି, ପୁନଃନିର୍ମାଣ ଓ ଥଇଥାନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଉପରୋକ୍ତ ୬ଟି ବ୍ଲକରେ ଏବେ ବି ୫୦ରୁ ଊର୍ଦ୍ଧ୍ବ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସେଠାରେ ରିଲିଫ୍ ଓ ଅନ୍ୟାନ୍ୟ ସହାୟତା ଯୋଗାଇବା କାଠିକର ପାଠ ହୋଇଛି। ଅଗଷ୍ଟ ୩୦ ତାରିଖ ସୁଦ୍ଧା ବନ୍ୟା ପ୍ରଭାବିତ ୬ଟି ଯାକ ବ୍ଲକରେ କ୍ଷୟକ୍ଷତି ଆକଳନ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆକଳନ ପାଇଁ ନିୟୋଜିତ ହୋଇଥିବା ଟିମ୍ଗୁଡ଼ିକ ସରଜମିନ ତଦନ୍ତ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ବର୍ଷାଦିନ ଚାଲିଥିବାରୁ ବନ୍ୟାରେ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକୁ ବିପନ୍ନମାନେ ଯେନତେନ ପ୍ରକାରରେ ସଜାଡ଼ିବାକୁ ତରତର ହେଉଛନ୍ତି। ନିୟମ ମୁତାବକ ଭଙ୍ଗାଘର ଯାଞ୍ଚ କରିବା ପରେ ତାଲିକା ପ୍ରସ୍ତୁତ ହେବା କଥା।
ଏଭଳି ଅବସ୍ଥାରେ କ୍ଷୟକ୍ଷତି ଆକଳନ କରୁଥିବା ଟିମ୍ କେତେ ଶୀଘ୍ର ସର୍ଭେ ସାରିବେ ଓ ଲୋକେ ପୁଣି ବର୍ଷା ପୂର୍ବରୁ ଘର ସଜାଡ଼ିବେ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପାଣି ଛାଡୁଥିବା ଗାଁ’ ଗୁଡ଼ିକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ନଳକୂପ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ଗାଁଗୁଡ଼ିକରୁ ବନ୍ୟାପାଣି ନିଷ୍କାସିତ ହୋଇନାହିଁ, ସେସବୁ ଗାଁକୁ ପ୍ରଶାସନ ଯେତିକି ପାଣି ପାଉଚ୍ ପଠାଇଛି ତାହା ବନ୍ୟା ଦୁର୍ଗତଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/bls-flood-ee.jpg)