କୋରାପୁଟ: କୋରାପୁଟ ଜିଲ୍ଲାର ୩ ପୌରପାଳିକା ଓ ଗୋଟିଏ ଏନଏସିରେ ଗୁରୁବାର ମତଦାନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ ହେବାକୁ ଥିବାବେଳେ ୩୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିପାଇଁ ବୁଧବାର ବୁଥ୍କୁ ଯାଇଛନ୍ତି ପୁଲିଂ ପାର୍ଟି। କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ୪ ପ୍ରାର୍ଥୀ ଓ ୨୧ ୱାର୍ଡରେ ୮୦ କାଉନସିଲର ପ୍ରାର୍ଥୀ ଲଢ଼ୁଛନ୍ତି । ସେହିପରି ସୁନାବେଡ଼ା ପୌରପରିଷଦ ଅଧୀନରେ ୨୮ ୱାର୍ଡରେ ୯୩ କାଉନସିଲର ପ୍ରାର୍ଥୀଙ୍କ ସମେତ ୧୪ ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ଲଢ଼ୁଛନ୍ତି।
ଅନ୍ୟ ପଟେ କୋଟପାଡ଼ ଏନଏସିର ୧୩ ୱାର୍ଡରେ କାଉସିଲର ପଦବୀ ଦୌଡ଼ରେ ୪୩ ଏବଂ ଅଧ୍ୟକ୍ଷ ପଦ ପାଇଁ ୫ ପ୍ରାର୍ଥୀ ରହିଛନ୍ତି। ସେହିପରି ଜୟପୁର ପୌରପାଳିକାର ୨୮ ୱାର୍ଡ ପାଇଁ ଜଣେ ପୌରାଧ୍ୟକ୍ଷ ଓ ୧୧୮ କାଉନସିଲର ପ୍ରାର୍ଥୀ ହୋଇଛନ୍ତି। କୋରାପୁଟରେ ୩୨ ହଜାରରୁ ଅଧିକ ଭୋଟର ରହିଥିବା ବେଳେ ସୁନାବେଢାରେ ୩୬ ହଜାର, କୋଟପାଡରେ ୧୨ହଜାର ୫୦୦ ଓ ଜୟପୁରରେ ୬୧ ହଜାର ଭୋଟର ରହିଛନ୍ତି। ମତାଦାନକୁ ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ପିଙ୍କ ବୁଥ୍ ଓ ୧୨ରୁ ଅଧିକ ମଡେଲ ବୁଥ୍ର ପ୍ରୟାସ କରାଯାଇଛି ବୋଲି ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର କହିଛନ୍ତି ।
ପୌର ନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିବା ବେଳେ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରାଶାସନିକ ତତ୍ପରତା ପ୍ରକାଶ ପାଇଛି। ତେବେ କୋରାପୁଟ ଜିଲ୍ଲାର ତିନିଟ ପୌରପାଳିକା ଓ ଗୋଟିଏ ଏନଏସିରେ ୧୬୬ ବୁଥ୍ରେ ମତଦାନ ହେବ। ସେଥିରେୁ ୭୮ ସମ୍ବେଦନଶୀଳ ବୁଥ୍ ରହିଥିବାବେଳେ ୧୦ ଅତିସମ୍ବେଦନଶୀଳ ବୁଥ୍ ରହିଛି। ପ୍ରତି ବୁଥରେ ଜଣେ କନଷ୍ଟେବଳ ଓ ଜଣେ ହୋମଗାର୍ଡ ରହିବେ। ଏହାସହ ଦୁଇ ଜଣ ଅତିରିକ୍ତ ଏସପି, ୪ ଏଡିସିପିଓଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଅପ୍ରତିକର ପରିସ୍ଥିତିକୁ ଏଡେଇବାକୁ ୧୮ ମୋବାଇଲ ପାର୍ଟି ରହିଛନ୍ତି। ଏହି ଟିମ୍ ଘଟଣା ଘଟିବା କ୍ଷଣି ତୁରନ୍ତ କଣ୍ଟ୍ରୋଲରୁମ୍କୁ ଖବର ଦେବା ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିବ ବୋଲି ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି।