ଦୁଇ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୩୫୮୩ କୋଟି ଟଙ୍କାର ସରକାରୀ ବ୍ୟବସାୟ

ନୂଆ ସହଭାଗୀ କ୍ଷେତ୍ର ଚିହ୍ନଟ କରି ଅଧିକ ଗୋଷ୍ଠୀଙ୍କୁ ସାମିଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପାଂଚ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ୫ ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରଥମ ୨ ବର୍ଷରେ ମିଶନ ଶକ୍ତି ବିଭାଗ ୩୫୮୩ କୋଟି ଟଙ୍କାର ବ୍ୟବସାୟ ବିଭିନ୍ନ ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ସଂଯୋଜିତ କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ ଏ ସମ୍ବନ୍ଧିତ ବିଷୟ ଏବଂ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟବସାୟରେ ସାମିଲ କରିବା ଦିଗରେ ବିଭିନ୍ନ ବିଭାଗମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନେଇଥିବା ପଦକ୍ଷେପର ସମୀକ୍ଷାକରି ସହଭାଗିତା ନିମନ୍ତେ ନୂଆ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ଏଥିରେ ସଂପୃକ୍ତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପ୍ରାଥମିକ ସ୍ୱାସ୍ଥ୍ୟ, ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ, କୁକୁଡ଼ା ପାଳନ, ପଶୁପାଳନ, ବ୍ୟବସାୟିକ ଭିତ୍ତିରେ ପନିପରିବା ଚାଷ, କୃଷି ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଚାରା ପ୍ରସ୍ତୁତି ନର୍ସରୀ, ବୃକ୍ଷରୋପଣ, ଚଣା ଓ ମାଣ୍ଡିଆ ଭିତ୍ତିକ ଦ୍ରବ୍ୟ ପ୍ରସ୍ତୁତି, କୃଷି-ଉଦ୍ୟୋଗ, ଆଶ୍ରମ ବିଦ୍ୟାଳୟମାନଙ୍କୁ ଖାଦ୍ୟ ଓ ପନିପରିବା ଯୋଗାଣ, ପାଇପ ଜଳ ଯୋଗାଣ ପ୍ରକଳ୍ପରେ ଜଳ ଯୋଗାଣର ତଦାରଖ, ଇକୋ-କ୍ୟାମ୍ପ ଆଦି ପରିଚାଳନା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ମିଟର ରିଡିଂ ଏବଂ ବିଦ୍ୟୁତ ଦେୟ ଆଦୟ କାର୍ଯ୍ୟରେ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ବିଦ୍ୟୁତ ବିତରକ କଂପାନିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର