ଭୁବନେଶ୍ବର : ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ବାତ୍ୟା, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ବାତ୍ୟା ପ୍ରତିରୋଧକ ଲୁଣା ବନ୍ଧ ନିର୍ମାଣ କରିବାକୁ ସ୍ଥିର କରିଛନ୍ତି। ଏଥିରେ ୩୬ଟି ପ୍ରକଳ୍ପ ମାଧ୍ୟମରେ ୧୯୮.୮୧ କିମିର ଲୁଣା ବନ୍ଧ ନିର୍ମାଣ କରାଯିବ। ତିନି ବର୍ଷରେ ଏହି ପ୍ରକଳ୍ପ ଶେଷ ହେବାକୁ ଥିବାବେଳେ ଏଥିପାଇଁ ୭୬୫କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ପ୍ରକଳ୍ପ ନେଇ ଏପର୍ଯ୍ୟନ୍ତ ଡିପିଆର୍ ପ୍ରସ୍ତୁତ ହୋଇନଥିଲେ ବି ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ତେଣୁ ଏନେଇ ଡିପିଆର୍ ଚୂଡ଼ାନ୍ତ କରିବା ସହ କେଉଁ ଅଞ୍ଚଳରେ କେତେ କିମି ବନ୍ଧ ନିର୍ମାଣ ହେବ ତା’ର ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ କରିବା ପରେ ଏହାର କାମ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ଶୀଘ୍ର ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି।
ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ଏହି ପ୍ରକଳ୍ପ ହେବ। କେଉଁ ଜିଲ୍ଲାରେ କେତୋଟି ପ୍ରକଳ୍ପ ରହିବ ଓ କେତେ ଅର୍ଥ ଖର୍ଚ୍ଚ ହେବ ସେନେଇ ସବିଶେଷ ତଥ୍ୟ ମଗାଯାଇଛି। ଆସନ୍ତା ସପ୍ତାହରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/road-f.jpg)