ବାଲେଶ୍ବର : ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ବିବିସିସିବି)ରେ ଦୁର୍ନୀତି ଓ ବେଆଇନ କାରବାରର ପେଡ଼ି ଖୋଲିବା ପରେ କର୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିଯୁକ୍ତି ସର୍ତ୍ତାବଳୀ ଉଲ୍ଲଂଘନ କରି ବ୍ୟାଙ୍କ ଅଧୀନ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ଶାଖାରେ ନିଯୁକ୍ତ ହୋଇଥିବା ୩୬ ଜଣ ଡାଟାଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବା ପାଇଁ ନିର୍ଦେଶାନାମା ଜାରି ହୋଇଛି।
ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ବ୍ୟାଙ୍କର ଏଚ୍ଆର୍ ପଲିସି-୨୦୧୧ ଦ୍ବାରା ପ୍ରଣୀତ ନିଯୁକ୍ତି ସର୍ତ୍ତାବଳୀକୁ ଉଲ୍ଲଂଘନ କରାଯାଇ ୩୭ ଜଣ ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଓଡ଼ିଶା ସମବାୟ ସମିତି ରେଜିଷ୍ଟ୍ରାରଙ୍କ କୌଣସି ଅନୁମତି ନିଆଯାଇ ନଥିଲା। ୨୦୧୭ ମସିହାରେ ଏପରି ବେଆଇନ ନିଯୁକ୍ତି ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଫଳରେ ଅଭିଯୋଗର ତଦନ୍ତ ହେବା ସହ ସବୁ କଳା କାରନାମା ପଦାକୁ ଆସିଥିଲା। ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ନିର୍ଦେଶ ଦିଆଯାଇଥିଲା। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଆଉଟ୍ସୋର୍ସିଂ ସଂସ୍ଥା ମାଧ୍ୟମରେ ଏହି ନିଯୁକ୍ତି ଦିଆଯାଇଥିବାରୁ ଏଥିରେ କିଛି ଅସଂଗତି ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ।
ହେଲେ ଏତିକିରେ ଏହି କଳା କାରନାମାର ଦାଗ ଲିଭିନଥିଲା। ସୁଜିତ ନାୟକ ଓ ଅନ୍ୟ କିଛି ସଚେତନ ବ୍ୟକ୍ତି ଭୁବନେଶ୍ବର ଆର୍ସିଏସ୍ଓଙ୍କଠାରେ ପୁଣି ଏ ନେଇ ଅଭିଯୋଗ କରିଥିଲେ। ଫଳରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଆର୍ସିଏସ୍ଓ ବାଲେଶ୍ବର ଡିଆରସିଏସ୍ଙ୍କୁ ନିର୍ଦେଶ ଦେଇଥିଲେ। ଡିଆର୍ସିଏସ୍ଙ୍କ ତଦନ୍ତ ପରେ ବ୍ୟାଙ୍କର ବହୁ ବେଆଇନ କାରବାର ପଦାକୁ ଆସିଥିଲା। ବ୍ୟାଙ୍କରେ କେବଳ ବେଆଇନ ନିଯୁକ୍ତି ନୁହେଁ, ବିଭିନ୍ନ ସମୟରେ ବିନା ଟେଣ୍ଡରରେ ମନମୁଖି ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ମଧ୍ୟ ଜଣାପଡ଼ିଥିଲା। ଏହି ରିପୋର୍ଟ ଆଧାରରେ ଗତ ୧୫ ତାରିଖ ଦିନ ଚିଠି ନମ୍ବର ଏକ୍ସଆଇଭି-୩୮/୧୬-୧୪୬୬୧/ବ୍ୟାଙ୍କ-୩/୧୫-୭-୨୦୧୯ରେ ବ୍ୟାଙ୍କର ସମ୍ପାଦକଙ୍କୁ ଆଉଟ୍ସୋର୍ସିଂ ଏଜେନ୍ସି ସହିତ ହୋଇଥିବା ଚୁକ୍ତିନାମାକୁ ତୁରନ୍ତ ରଦ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ଗତକାଲି ବ୍ୟାଙ୍କ କର୍ତୃପକ୍ଷ ନିଯୁକ୍ତ ହୋଇଥିବା ୩୬ ଜଣ ଡାଟାଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବା ପାଇଁ ନିର୍ଦେଶାନାମା ଜାରି କରିଛନ୍ତି। ଏ ନେଇ ବ୍ୟାଙ୍କର ସଂପାଦକ ତଥା ମୁଖ୍ୟ ପରିଚାଳନା ଅଧିକାରୀ ଅଜିତ ପଟ୍ଟନାୟକ ସୁନ୍ଦରଗଡ଼ସ୍ଥିତ ଗୋଲଡେନ୍ ସିକ୍ୟୁରିଟି ସଂସ୍ଥାର ମୁଖ୍ୟ ଦୀପକ କୁମାର ସ୍ବାଇଁଙ୍କୁ ଚିଠି ନମ୍ବର ବିବିସିସିବି/ଏଚ୍ଆର୍ଡି/୨୨୩୫/୨୦୧୯-୨୦ ଏବଂ ବ୍ୟାଙ୍କର ସମସ୍ତ ଶାଖା ପରିଚାଳକମାନଙ୍କୁ ଚିଠି ନମ୍ବର ବିବିସିସିବି/ଏଚ୍ଆର୍ଡି/୨୨୩୬ (୩୦)/୨୦୧୯-୨୦ ପ୍ରଦାନ କରିଥିବା ଜଣାପଡ଼ିଛି। ବହିଷ୍କୃତ ହୋଇଥିବା ଡାଟାଏଣ୍ଟ୍ରି ଅପରେଟରଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଶାଖାରେ କାର୍ଯ୍ୟ କରୁଥିବା ୨୦ ଜଣ, ଭଦ୍ରକ ଜିଲ୍ଲାର ବିଭିନ୍ନ ଶାଖାରେ କାମ କରୁଥିବା ୧୨ ଜଣ, ବାଲେଶ୍ବର ମୁଖ୍ୟ ଶାଖାରେ କାମ କରୁଥିବା ଜଣେ, ଭଦ୍ରକ ମୁଖ୍ୟ ଶାଖାରେ କାମ କରୁଥିବା ଜଣେ ଏବଂ ମୁଖ୍ୟ କାର୍ଯ୍ୟାଳୟରେ କାମ କରୁଥିବା ୨ ଜଣ ରହିଛନ୍ତି।
ସୂଚନାଯାଗ୍ୟ; ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ବେଆଇନ କାରବାର ସମ୍ବନ୍ଧରେ ୨୦୧୭ ମସିହାରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିବା ବେଳେ ଗତ ୧୧ ତାରିଖ ଦିନ ପୁଣି ଦୁର୍ନୀତିର ଫର୍ଦ ଓଲଟାଯାଇଥିଲା। ଖବର ପ୍ରକାଶ ପାଇବା ପେର ଆର୍ସିଏସ୍ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ଡିଆରସିଏସ୍ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।