ଆଳି : କଟକ-ଚାନ୍ଦବାଲି ରାସ୍ତାର ଆଳି ନିକଟ ସିଙ୍ଗିରି ଛପୋଲିଆ ନିକଟରେ ହାଇୱାକୁ ପଛପଟୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ୍ ରାସ୍ତାତଳକୁ ଓଲଟି ପଡିଛି। ବସ୍ଯାତ୍ରୀଙ୍କ ମଧ୍ୟରୁ ୩୬ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ବସ୍ ଡ୍ରାଇଭର୍ ଓ କଣ୍ଡକ୍ଟର ଫେରାର ହୋଇଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ବୁଧବାର ସକାଳେ ‘ନାୟକ’ ଟ୍ରାଭେଲ୍ସ ନାମକ ଘରୋଇ ବସ୍ ୫୫ ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ କଟକ ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୧୦ଟା ସମୟରେ ସିଙ୍ଗିରି ଛପୋଲିଆ ନିକଟରେ ବସ୍ଟି ଏକ ରାସ୍ତାରେ ପୂର୍ବରୁ ଅଟକି ରହିଥିବା ହାଇୱାକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବାପରେ ଭାରସାମ୍ୟ ହରାଇ ବସ୍ଟି ରାସ୍ତାର ବାମପାର୍ଶ୍ବକୁ ଓଲଟି ପଡ଼ିଥିଲା। ସେହିପରି ହାଇୱାଟି ଡାହାଣ ପାର୍ଶ୍ବକୁ ଗଡ଼ି ଯାଇଥିଲା। ହାଇୱା ଭିତରେ କେହି ନ ଥିବା ସୂଚନା ମିଳିଛି। ବସ୍ରେ ଥିବା ୫୫ ଯାତ୍ରୀଙ୍କ ମଧ୍ୟରୁ ୩୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୨ ମହିଳା ଓ ୨ ଶିଶୁ ଅଛନ୍ତି।