ଭୁବନେଶ୍ବର: ବାତ୍ୟା ‘ଦାନା’ ପ୍ରଭାବରେ ଅନୁଗୁଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ନୟାଗଡ଼, କଟକ ଓ ଢେଙ୍କାନାଳ ଆଦି ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏଥିରେ ୧୦୮ଟି ବ୍ଲକର ୧୬୭୧ଟି ଗ୍ରାମପଞ୍ଚାୟତର ୮୩୧୭ଟି ଗାଁ ପ୍ରଭାବିତ ହୋଇଥିବାବେଳେ ୩୧ଟି ସହରାଞ୍ଚଳରେ ୪୨୬ଟି ୱାର୍ଡର ମୋଟ ୩୫ଲକ୍ଷ ୯୫ହଜାର ୧୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହାସହ  ଲଗାଣ ବର୍ଷା ଯୋଗୁ ୬,୫୯,୮୪୨ରୁ ଅଧିକ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Advertisment

ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାରମ୍ଭିକ ଆକଳନ ଅନୁଯାୟୀ, ୧୨୫୦୯୧.୭ ହେକ୍ଟର ଚାଷ ଜମି ଓ ୫୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଦ୍ବାରା କୁଡ଼ିଆ ଘର, ମାଟି ଘର ଓ ଚାଳ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି।  ଏହାସହ ମନ୍ତ୍ରୀ କହିଛନ୍ତି ଯେ ବାତ୍ୟାପ୍ରବଣ ଓଡ଼ିଶାରେ କାହିଁକି ପ୍ରତିଥର ବାତ୍ୟାରେ ଝାଟି ମାଟି ଘର ଭାଙ୍ଗୁଛି? ପିଏମ୍‌ ଆବାସ ଯୋଜନାରେ ଅନିୟମିତତା ହୋଇଛି କି? ଏହାର ତଦନ୍ତ ହେବ। ପୂର୍ବ ସରକାର ଏତେ ଲୋକଙ୍କୁ ଘର ଯୋଗାଇଥିବା କହୁଥିବା ବେଳେ ଏବେବି ବାତ୍ୟା ବନ୍ୟାରେ ଲୋକଙ୍କ ଘର ଭାଙ୍ଗିବା ଗ୍ରହଣୀୟ ନୁହେଁ। ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଆବାସ ଯୋଗାଇ ଦିଆଯିବ। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଯେପରି ଘର ଭାଙ୍ଗିବନି ସେନେଇ ଆମ ସରକାର ଦୀର୍ଘମିଆଦି ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।ନଭେମ୍ବର ୨ ସୁଦ୍ଧା ସମସ୍ତ ବିଭାଗର ସଚିବ ଓ ୧୪ଟି ଜିଲ୍ଲାର ଜିଲ୍ଲାପାଳମାନେ ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ଏହି ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ। ବାତ୍ୟା ଓ ବନ୍ୟା ଯୋଗୁ ୮,୧୦,୮୯୬ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ସେମାନଙ୍କୁ ୬୨୧୦ଟି ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଏବେ ବହୁ ଲୋକ ଘରକୁ ଫେରି ଯାଇଥିବାବେଳେ ୧୧୭୮ଟି ଆଶ୍ରୟସ୍ଥଳୀରେ ଲୋକ ଅଛନ୍ତି। ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ। ଏବେ ସୁଦ୍ଧା ୨୩୨୨ କୁଇଣ୍ଟାଲ ଚୁଡ଼ା, ୨୯୭ କୁଇଣ୍ଟାଲ ଗୁଡ଼ ଓ ୭୫୫ ପ୍ୟାକେଟ୍ ପଲିଥିନ୍ ରୋଲ୍‌ ରିଲିଫ ଆକାରରେ ବଣ୍ଟା ହୋଇଛି। କେବଳ ଭଦ୍ରକ ଜିଲ୍ଲାରେ ବନ୍ୟା ‌େଯାଗୁ ୨୫୭୦୯ଜଣ ଲୋକ ଘରକୁ ଯାଇପାରିନାହାନ୍ତି। ସେମାନଙ୍କୁ ୪୨୬ଟି ଆଶ୍ରୟସ୍ଥଳରେ ରଖାଯାଇଛି। ଭଦ୍ରକ ଜିଲ୍ଲାରେ ୨୧୮ଟି ବିଦ୍ୟୁତ ଖୁଣ୍ଟ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରୁ ୧୯୧ଟିଖୁଣ୍ଟକୁ ପୁନଃସ୍ଥାପିତ କରାଯାଇଛି। ଖୁବ୍‌ ଶୀଘ୍ର ବିଦ୍ୟୁତ ସରବରାହ ସ୍ବାଭାବିକ ହେବ। ଏବେ ବିଭିନ୍ନ ଜିଲ୍ଲାରେ ୩୩୫ଟି ଡାକ୍ତରୀ ଦଳ ଓ ୨୦୧ଟି ପଶୁ ଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି।  ଏହାସହ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବାତ୍ୟା ସମୟରେ ବିଭିନ୍ନ ମଧ୍ୟରେ ସୁସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଫଳରେ ବାତ୍ୟାର ସଫଳ ପରିଚାଳନା ସମ୍ଭବ ହୋଇପାରିଲା। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ‘ଶୂନ ମୃତ୍ୟୁ’। ବାତ୍ୟାରେ କୌଣସି ଲୋକଙ୍କର ମୃତ୍ୟୁ ହୋଇନି।