ପାରୋଲରେ ଯାଇ ୩୬ କଏଦୀ ଫେରିଲେ; ଫେରିଲାନି ଦୁର୍ଦ୍ଦାନ୍ତ କାଳୁ, ପଳାତକ ଘୋଷିତ

ବ୍ରହ୍ମପୁର: କୋଭିଡ୍‌ ମହାମାରୀ ସମୟରେ ଜେଲ୍‌ରେ ଭିଡ଼ ଓ ସଂକ୍ରମଣ କମାଇବା ପାଇଁ କଏଦୀମାନଙ୍କୁ ସ୍ବତନ୍ତ୍ର ପାରୋଲ୍‌ ଦିଆ ଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏକ ହାଇପାୱାର୍‌ କମିଟି ଦ୍ବାରା ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଜେଲ୍‌ରୁ ଛାଡ଼ କରା ଯାଇଥିଲା। ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମଧ୍ୟ ୩୬ଜଣ କଏଦୀ ଛାଡ଼ ପାଇଥିଲେ। ତନ୍ମଧ୍ୟରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ମଧ୍ୟ ଥି‌ଲେ। ସେହି ୩୬ଜଣ କଏଦୀ ଆତ୍ମସମର୍ପଣ କରି ସାରିଛନ୍ତି।

କିନ୍ତୁ ୩୦ଦିନ ପାଇଁ ପାରୋଲରେ ଯାଇଥିବା କାଳୁ ନାଏକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବର୍ତ୍ତମାନ ସୁଦ୍ଧା ଜେଲ୍‌କୁ ଫେରି ନାହିଁ। ପ୍ରାୟ ବର୍ଷେ ହେଲା ସେ ଫେରାର୍‌ ରହିଥିବା ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। କୋଭିଡ୍‌ ପାରୋଲ୍‌ରେ ଯାଇଥିବା ଯେଉଁ କଏଦୀ ଜେଲ୍‌କୁ ଫେରି ନାହାନ୍ତି, ସେମାନେ ୧୫ଦିନ ମଧ୍ୟରେ ଆତ୍ମସମର୍ପଣ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ଏବେ ରାଜ୍ୟର ବିଭିନ୍ନ ଜେଲ୍‌ରୁ ପାରୋଲ୍‌ରେ ଯାଇ ଫେରାର୍‌ ଥିବା କଏଦୀଙ୍କ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି।

କୋଭିଡ୍‌ ବେଳେ ବ୍ରହ୍ମପୁର ଜେଲ୍‌ରୁ ପର୍ଯ୍ୟାୟ କ୍ରମେ ୩୬ଜଣ କଏଦୀ ଛାଡ଼ ପାଇଥିଲେ। ଯେଉଁ କଏଦୀମାନଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ଆସିଥିଲା ଓ ତାଙ୍କ ପରିବାର ଲୋକଙ୍କ ଜିମାରେ ନେବା ପାଇଁ ରାଜି ହୋଇଥି‌ଲେ, ସେମାନଙ୍କୁ ଛାଡ଼ କରା ଯାଇଥିଲା। ପ୍ରାୟ ୨ବର୍ଷ ପର୍ଯ୍ୟନ୍ତ ଏହି କଏଦୀମାନେ ବାହାରେ ରହିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ୩୬ଜଣ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। କିନ୍ତୁ ୩୬ ଜଣଙ୍କ ମଧ୍ୟରୁ ୧୧ ଜଣ ଜେଲ୍‌କୁ ଫେରିଛନ୍ତି। ଅନ୍ୟ ୨୫ଜଣ ପୁଣିଥରେ ଛାଡ଼ ପାଇଛନ୍ତି।

ଏମାନଙ୍କ ମଧ୍ୟରୁ କିଏ ସର୍ତମୂଳକ ଜାମିନ୍‌ ପାଇଥିବା ବେଳେ ଆଉ କେଉଁ କଏଦୀଙ୍କୁ ସମୟ ପୂର୍ବରୁ ମୁକ୍ତି ମିଳିଛି। ରାଜ୍ୟସ୍ତରରେ ଗଠିତ ହୋଇଥିବା ବୋର୍ଡ଼ର ଅନୁମତି କ୍ରମେ ଆଜୀବନ ସଜା ଭୋଗୁଥିବା କଏଦୀମାନେ ସମୟ ପୂର୍ବରୁ ମୁକ୍ତି ପାଇଛନ୍ତି। ୧୩ବର୍ଷ ସଜା କାଟିବା ପରେ ଜଣେ ଆଜୀବନ କଏଦୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇଥାଏ। ସେହିପରି ବିଭିନ୍ନ ସମୟରେ କଏଦୀମାନଙ୍କୁ ଜିଲ୍ଲାସ୍ତରରେ ଗଠିତ କମିଟିର ଅନୁମୋଦ କ୍ରମେ ୩୦ଦିନିଆ ପାରୋଲ୍‌ରେ ଛଡ଼ା ଯାଇଥାଏ। କବିସୂର୍ଯ୍ୟନଗର ଥାନା ଇଲାକାର କାଳୁକୁ ଏକ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ ହୋଇଥିଲା। କାଳୁ ହେଉଛି ଗଞ୍ଜାମ ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ନାଏକଙ୍କ ସହଯୋଗୀ। ଦିଲ୍ଲୀପ ମଧ୍ୟ ୨୦୨୧ରେ ପାରୋଲରେ ଯାଇଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। କାଳୁକୁ ୨୦୨୨ ଜାନୁଆରି ମାସରେ ୩୦ଦିନ ପାଇଁ ପାରୋଲ୍‌ ମିଳିଥିଲା। କିନ୍ତୁ ପାରୋଲ୍‌ ସମୟ ସରିବା ପରେ ସେ ଆତ୍ମସମର୍ପଣ କରି ନଥିଲା। ଏଣୁ ଜେଲ୍‌ ତରଫରୁ କବିସୂର୍ଯ୍ୟନଗର ଥାନା ପୁଲିସକୁ ଖବର କରା ଯାଇଥିଲା। କାଳୁକୁ ବର୍ତ୍ତମାନ ପଳାତକ ଘୋଷଣା କରାଯାଇଛି। ପ୍ରାୟ ବର୍ଷେ ହେଲା ପୁଲିସ ତାକୁ ଖୋଜୁଛି। ହେଲେ ବର୍ତ୍ତମାନ ସୁଦ୍ଧା ତା’ର ପତ୍ତା ମିଳି ନାହିଁ।

ସମ୍ବନ୍ଧିତ ଖବର