ଭୁବନେଶ୍ବର : ଗତ ଜାନୁଆରି ୧୫ ତାରିଖ ପରେ କରୋନା ପ୍ରଭାବିତ ଦେଶରୁ ୩୬ ଜଣ ଓଡ଼ିଶା ଫେରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ, ଗୁରୁବାର କରୋନା ଲକ୍ଷଣ ସନ୍ଦେହରେ ଆଉ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ହୋମ ଆଇସୋଲେସନ୍ରେ ରଖାଯିବା ସହ ଏବେସୁଦ୍ଧା ମୋଟ୍ ୩୪ ଜଣଙ୍କୁ ଘରେ ରଖି ଚିକିତ୍ସା କରାଯାଉଛି। ଏବେ ବି କଟକ ଏସ୍ସିବି ମେଡିକାଲରେ ୨ ଜଣଙ୍କୁ ସ୍ବତନ୍ତ୍ର ଵାର୍ଡ଼ରେ ରଖାଯାଇଛି। ଫୁଲବାଣୀର ଜଣେ ବ୍ୟକ୍ତିଙ୍କୁ ଡିସ୍ଚାର୍ଜ କରାଯାଇଛି। ମୋଟ୍ ୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ମୁମ୍ବାଇ ସ୍ଥିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି)କୁ ପଠାଯାଇଥିଲା। ସେମାନଙ୍କ ଭିତରୁ ୫ଜଣଙ୍କର ନେଗେଟିଭ୍ ରିପୋର୍ଟ ଆସିଥିବା ସରକାର ଜଣାଇଛନ୍ତି।
କରୋନା ୱାର୍ଡର ସ୍ଥିତିକୁ ନେଇ ସନ୍ତୋଷ ବ୍ୟକ୍ତ କଲେ କେନ୍ଦ୍ରୀୟ ଟିମ୍
କଟକ : ମାରାତ୍ମକ କରୋନା ଭାଇରସ୍ର ମୁକାବିଲା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଆଡଭାଇଜରି କିପରି ଭାବେ ପାଳନ କରାଯାଉଛି, ସେ ସଂପର୍କରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗୁରୁବାର ତିନିଜଣିଆ କେନ୍ଦ୍ରୀୟ ପ୍ରତିନିଧିମଣ୍ଡଳୀ କଟକ ବଡ଼ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଏହି ଟିମ୍ ଏସ୍ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡ ଓ ଆଇସୋଲେସନ୍ ୱାର୍ଡ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନ ପରେ ଏସ୍ସିବିର ଉପଲବ୍ଧ ବ୍ୟବସ୍ଥାକୁ ନେଇ ଟିମ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି।ଆଜି ମଧ୍ୟାହ୍ନ ୧ଟା ବେଳେ ଡାକ୍ତର ଶିଖା ବର୍ଦ୍ଧନ, ଡାକ୍ତର କପୁର ଚୌଧୁରୀ ଓ ଡାକ୍ତର ଅନୁରାଧା ସୋଲାନିଆଙ୍କୁ ନେଇ ଗଠିତ ତିନିଜଣିଆ ଟିମ୍ ଏସ୍ସିବି ପରିସରରେ ପହଞ୍ଚିଥିଲେ। ଏହି ଟିମ୍ ତୁରନ୍ତ କରୋନା ୱାର୍ଡ୍ ପରିଦର୍ଶନ କରିବା ସହ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡରେ ଥିବା ଡାକ୍ତରୀ ଛାତ୍ରୀ ଓ ଯୁବ ଇଂଜିନିୟରଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଉଭୟଙ୍କ ପରୀକ୍ଷା ରିପୋର୍ଟ ଆସି ନ ଥିଲେ ବି ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି ଓ ଆମେ ଆଶା କରୁଛୁ ସେ ଦୁହିଁଙ୍କ ରିପୋର୍ଟ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଭଳି ନେଗେଟିଭ୍ ଆସିବ ବୋଲି ଟିମ୍ ସଦସ୍ୟା ଶିଖା ବର୍ଦ୍ଧନ ଓ ଜନସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶକ ଡାକ୍ତର ସୁଶାନ୍ତ କୁମାର କର ସୂଚନା ଦେଇଥିଲେ। ଏହି ଟିମ୍ ସହିତ ଏସ୍ସିବି ପଲମ୍ୟୁନାରି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏସ୍ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର ୱାର୍ଡରେ ୬୬ଟି ବେଡ଼୍ ଓ ୮ଟି ଆଇସିୟୁ ବେଡ୍ ରହିଥିବା ନେଇ ସେ କେନ୍ଦ୍ରୀୟ ଟିମ୍କୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଏସ୍ସିବିରେ ବର୍ତ୍ତମାନ ସୁଦ୍ଧା ୩ଜଣ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଭିତରୁ ୨ଜଣଙ୍କ ରକ୍ତ ନମୁନାର ରିପୋର୍ଟ ଆସି ନାହିଁ। ଖୁବ୍ଶୀଘ୍ର ଏହି ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି।