୩୬ ହଜାର ପରୀକ୍ଷାର୍ଥୀ ଦେଲେ ଜେଇଇ ମେନ୍‌ ଅଫ୍‌ ଲାଇନ୍‌

ଏପ୍ରିଲ ୩୦ରେ ପରୀକ୍ଷା ଫଳ

୧୫ ଓ ୧୬ ତାରିଖରେ ଅନଲାଇନ୍‌ ପରୀକ୍ଷା

ଭୁବନେଶ୍ୱର : ଶାନ୍ତିଶୃଙ୍ଖଳାର ସହ ଆଜି ଦୁଇଟି ସିଟିଂରେ ଶେଷ ହୋଇଛି ଜେଇଇ ମେନ୍‌ ଅଫ୍‌ଲାଇନ୍‌ ପରୀକ୍ଷା। ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁର ସହରର ୮୨ଟି କେନ୍ଦ୍ରରେ ପ୍ରାୟ ୩୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଜେଇଇ ମେନ୍‌ ପାଇଁ ୪୪,୪୮୮ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଫ୍‌ଲାଇନ୍‌(ପେନ୍‌ ଆଣ୍ଡ ପେପର୍‌)ରେ ୩୬,୪୯୯ ଛାତ୍ରଛାତ୍ରୀ ରହିଥିଲେ। ଭୁବନେଶ୍ୱର ସହରରେ ହୋଇଥିବା ୧୦ରୁ ଅଧିକ କେନ୍ଦ୍ରରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କଡ଼ା ଯାଞ୍ଚ ଭିତରେ ପରୀକ୍ଷାର୍ଥୀଙ୍କୁ ହଲ୍‌ ଭିତରକୁ ଛଡ଼ାଯାଇଥିଲା। ନିର୍ଧାରିତ ସମୟ ପରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିବା ପରୀକ୍ଷାର୍ଥୀ ଆଜି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଆସନ୍ତା ଏପ୍ରିଲ ୧୫ ଓ ୧୬ ତାରିଖରେ ଅନ୍‌ଲାଇନ୍‌(କମ୍ପ୍ୟୁଟର ବେସଡ୍‌) ରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ବ୍ୟତୀତ ଅନୁଗୁଳ ଓ ଜୟପୁର ସହରରେ ବି ପରୀକ୍ଷା କେନ୍ଦ୍ର କରାଯିବ। ଅନ୍‌ଲାଇନ୍‌ ପରୀକ୍ଷା ଦେବା ଲାଗି ୭,୯୮୯ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ଏପ୍ରିଲ ୩୦ରେ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ। ଜୁନ୍‌ ମାସରୁ କାଉନସେଲିଂ ପ୍ର୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର