୩୬ଟି ଟ୍ରେନ୍‌ରେ ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ୍‌

ଭୁବନେଶ୍ବର : ରେଳ ଯାତ୍ରୀମାନଙ୍କ ଚାହିଦା ଓ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍‌ରେ ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ ପ୍ରତି ମହିଳା ଯାତ୍ରୀଙ୍କ ସକରାତ୍ମକ ଅନୁଭୂତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ ଟ୍ରେନଗୁଡ଼ିକରେ ଏହି ସୁବିଧା ଉପଲବ୍ଧ କରାଇବା ପାଇଁ ଯୋଜନା କରିଛି। ‘ସ୍ବଚ୍ଛ ରେଳ – ସ୍ବଚ୍ଛ ଭାରତ’ ଅଭିଯାନର ଏକ ଅଂଶ ଭାବେ ରେଳବାଇ ପ୍ରତି ଯାତ୍ରୀମାନଙ୍କ ସକରାତ୍ମକ ମନୋଭାବ ବୃଦ୍ଧି କରାଇବା ଉଦ୍ଦେଶ୍ୟ ସହିତ ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପୂର୍ବତଟ ରେଳପଥ ପ୍ରୟାସ କରୁଛି। ୩୬ଟି ଟ୍ରେନ୍‌ରେ ସମୁଦାୟ ୯୧ଟି ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ ପୂର୍ବତଟ ରେଳପଥ ପକ୍ଷରୁ ଉପଲବ୍ଧ କରାଯାଇଛି।

ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ଯଥା ପୁରୀ, ଭୁବନେଶ୍ୱର ଓ ବିଶାଖାପାଟଣାରୁ ଛାଡୁଥିବା ୩୬ଟି ଗୁରୁତ୍ୱପୂର୍ଣ ଟ୍ରେନ୍‌ର ବିଭିନ୍ନ କୋଚ୍‌ଗୁଡ଼ିକରେ ସମୁଦାୟ ୯୧ଟି ସାନିଟାରି ନାପକିନ୍‌ ଭେଣ୍ଡିଙ୍ଗ ମେସିନ ଯୋଗାଇ ଦିଆଯାଇଛି। ଟ୍ରେନଗୁଡ଼ିକରେ ଅଧିକ ସଂଖ୍ୟକ ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ ଉପଲବ୍ଧ କରାଇବାରେ ପୂର୍ବତଟ ରେଳପଥ ଭାରତୀୟ ରେଳବାଇରେ ପ୍ରଥମ ରେଳପଥ ହୋଇଛି।

ପ୍ରତିଟି ନାପକିନ୍‌ର ମୂଲ୍ୟ ୫ ଟଙ୍କା ରହିଛି। ଯାତ୍ରୀମାନେ ୫ ଟଙ୍କିଆ ମୁଦ୍ରାକୁ ମେସିନ ମଧ୍ୟରେ ପକାଇଲେ ନାପକିନ୍‌ ମେସିନରୁ ଖଣ୍ଡେ ନାପକିନ ପାଇପାରିବେ। ପ୍ରତିଟି ମେସିନ୍‌ରେ ପ୍ରାୟ ୭୫ଟି ନାପକିନ ରଖାଯାଇଛି।

ସମ୍ବନ୍ଧିତ ଖବର