୩୭୦ ଉଚ୍ଛେଦ ଅମିତ ଶାହଙ୍କ ନିର୍ଭୀକ ନେତୃତ୍ବର ପରିଚୟ: ଧର୍ମେନ୍ଦ୍ର

‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ବର : ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଦେଶକୁ ଏକୀକୃତ କରିବା ଓ ତିନି ତଲାକକୁ ବେଆଇନ ଘୋଷଣା କରିବା ଅମିତ ଶାହଙ୍କ ନିର୍ଭୀକ ନେତୃତ୍ୱର ପରିଚୟ ଦିଏ। ଶାହଙ୍କ ସ୍ପଷ୍ଟତା, ଦୃଢ଼ ନିଷ୍ପତ୍ତି, ରାଜନୈତିକ ଇଚ୍ଛା ଶକ୍ତି କାରଣରୁ ଦେଶର ଅନ୍ତରୀଣ ସୁରକ୍ଷା ସୁଦୃଢ଼ ହୋଇଛି। ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରେ ଅମିତ ଶାହ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଭୁବନେଶ୍ବର ହୋଟେଲ ମେ’ ଫେୟାର କନଭେନସନ୍‌ରେ ସୋମବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରାଜନୈତିକ ଜୀବନ ଏବଂ ବିଜେପିର ସଫଳତାର କାହାଣୀକୁ ନେଇ ରଚିତ ପୁସ୍ତକ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣକୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁସ୍ତକଟି କେବଳ ଜଣେ ବ୍ୟକ୍ତିର ପ୍ରଶଂସା ପାଇଁ ନୁହେଁ, ବରଂ ଗୋଟିଏ ବିଚାରଧାରା ଓ ଜଣେ କାର୍ଯ୍ୟକର୍ତ୍ତାର କାହାଣୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କର ବିଶେଷ ସମର୍ପଣ ଭାବ ରହିଛି ବୋଲି ବର୍ଣ୍ଣନା କରିବାକୁ ଯାଇ ଧର୍ମେନ୍ଦ୍ର କହିଥିଲେ, ୧୯୮୪ ମସିହାରେ ଗୁଜୁରାଟର ଅହମ୍ମଦବାଦସ୍ଥିତ ଜଗନ୍ନାଥ ମନ୍ଦିରରେ ବିରାଜମାନ ପ୍ରଭୁ ଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିଲେ। ଏହି ଅଭାବନୀୟ ଘଟଣା ପରେ ମହାପ୍ରଭୁଙ୍କ ପ୍ରତି ଲୋକମାନଙ୍କ ଆସ୍ଥା କିପରି ଅତୁଟ ରହିବ ସେନେଇ ମୋଦୀ ଓ ଶାହ ରାଜରାସ୍ତାକୁ ଓହ୍ଲାଇଥିଲେ। ସେହି ଘଟଣା ପରେ ଜନଆସ୍ଥା ପାଇଁ ଆଜି ପୃଥିବୀରେ ବିଜେପି ଏକ ସଶକ୍ତ ରାଜନୈତିକ ସଂଗଠନ ପାର୍ଟି ଭାବେ ଉଭା ହୋଇଛି।

ନିର୍ବାଚନ ଜିତିବା ପାଇଁ ବୁଥ୍‌ ପରିଚାଳନା ଗୁରୁତ୍ବପୂର୍ଣ୍ଣ: ସୌମ୍ୟରଂଜନ
୧୯୮୪ରେ ଅହମଦାବାଦରେ ଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି ପୋଡ଼ି ପରେ ରାସ୍ତାକୁ ଓହ୍ଲାଇଥିଲେ ମୋଦୀ, ଶାହ

ସେ କହିଥିଲେ ଯେ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ହୋଇଥିବା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଶାହ କହିଛନ୍ତି। ସାରା ଦେଶରେ କିପରି ପାଇକ ବିଦ୍ରୋହର ଗାଥା ଉଜ୍ଜୀବିତ ରହିବ, ଓଡ଼ିଶା ଇତିହାସ ସାରା ଦେଶରେ ପହଞ୍ଚାଇବା ପାଇଁ ହିନ୍ଦୀରେ ଅନୁବାଦ କରିବା, ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଆ ସଂଗ୍ରାମୀଙ୍କ ଇତିହାସକୁ ବଟ୍ଟବୃକ୍ଷର ରୂପ ଦେବା ପାଇଁ ଅମିତ ଶାହ ମୋତେ ବିଗତ ଦିନରେ ପରାମର୍ଶ ଦେଇଛନ୍ତି। ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ବେଳେ ଓଡ଼ିଶାର ସଂଗଠନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ପ୍ରତି ବ୍ଲକର କାର୍ଯ୍ୟକର୍ତ୍ତାଙ୍କ ସହ କଥା ହୋଇ ରଣନୀତି ପ୍ରସ୍ତୁତ କରୁଥିଲେ। ଯେଉଁଥିପାଇଁ ଓଡ଼ିଶାରେ ବିଜେପି ତିନି ନମ୍ବରରୁ ଉଠି ଦୁଇ ନମ୍ବର ଦଳ ହୋଇଛି। ୧୨ରୁ ୧୪% ଭୋଟ୍ ପାଉଥିବା ଦଳ ଆଜି ୩୦ରୁ ୩୮% ପର୍ଯ୍ୟନ୍ତ ଭୋଟ୍‌ ପାଇଛି। ଏହା ଶାହଙ୍କ ଦୃଢ଼ ସଂଗଠକର କୃତିତ୍ୱକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଓ ଶାହଙ୍କ ନେତୃତ୍ୱରେ ଆଜି ଗରିବ କଲ୍ୟାଣ ହିଁ ଶାସନର ମୂଳ କେନ୍ଦ୍ରବିନ୍ଦୁ ହୋଇଛି। ଶକ୍ତିଶାଳୀ ସଂଗଠନ ବା ଶାସନ ବ୍ୟବସ୍ଥା କେବଳ କ୍ଷମତାକୁ ଉପଭୋଗ କରିବା ନୁହେଁ ବରଂ ଶାସନକୁ ଲୋକସେବା ଆଧାରରେ ନୂଆ ବେଞ୍ଚମାର୍କ ସ୍ଥାପନ ହେବା ଦରକାର, ଯାହା ଲୋକାର୍ପିତ ପୁସ୍ତକରେ ବର୍ଣ୍ଣନା କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କହିଥିଲେ, ରାଜନୈତିକ ଦଳଗୁଡ଼ିକର ଜୀବନୀ ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବା ଦରକାର। ଏହାଦ୍ବାରା ଏହା ତଳସ୍ତରର କର୍ମୀଙ୍କ ନିକଟରେ ପହଞ୍ଚିପାରିବ। ଏହି ପୁସ୍ତକରୁ ଅମିତ ଶାହଙ୍କର କିଛି ଗୁପ୍ତ କଥା, ସଂଳାପ ଓ ସୂଚନା ଆଶା କରୁଥିଲୁ। ତାହା କିନ୍ତୁ ନାହିଁ। ଲେଖକ ଦଳର ସଦସ୍ୟ ଥିବାରୁ ହୁଏତ ପଚାରି ପାରିନାହାନ୍ତି କିମ୍ବା ଶାହ ତାଙ୍କ ପ୍ରଶ୍ନକୁ ଚତୁରତାର ସହ ଏଡ଼ାଇ ଦେଇଛନ୍ତି।

ସେ କହିଥିଲେ, ଆମ ରାଜନୈତିକ ଦୃଶ୍ୟପଟ୍ଟରେ ଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ଅମିତ ଶାହ ଜଣେ ଅଦ୍ଭୂତ ସଫଳ କାହାଣୀର ନାୟକ। କାରଣ ସେ ଜୀବନରେ ଏତେ ‌ଉତ୍‌ଥାନ ଓ ପତନ ଦେଇ ଗତି କରିବା ପରେ ବି ମାନସିକ ସନ୍ତୁଳନ ରକ୍ଷା କରି ସଫଳ କାହାଣୀର ରଚୟିତା ହୋଇପାରିଛନ୍ତି। ଭୋଟ୍‌ କାଙ୍ଗାଳ ନେତା ଓ ସଫଳତାର ଭୋକ ଯେଉଁମାନଙ୍କୁ ଆକ୍ରାନ୍ତ କରିଛି ସେମାନେ ଶାହଙ୍କ କାହାଣୀ ପଢ଼ିବା ଦରକାର।

ପୁସ୍ତକର ଲେଖକ ଏଥିରେ ଶାହଙ୍କ ମୂଳମନ୍ତ୍ର ସଂଗଠନ, ସଂରଚନା, ସଂଘର୍ଷ, ପ୍ରବାସ ଥିବା ଉଲ୍ଲେଖ କରିଛନ୍ତି। ରାଜନେତାମାନେ ପୂର୍ଣ୍ଣକାଳୀନ ରାଜନୀତି କଲେ ହିଁ ଶାହଙ୍କ ଭଳି ରାଜନେତା ହୋଇପାରିବେ। ପ୍ରବାସ ଉପରେ ଲଘୁ ମନ୍ତବ୍ୟ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଯଦି ଓଜନ କମାଇବାର ଅଛି ତେବେ ନିର୍ବାଚନ ଲଢ଼। ଟିକେଟ ନମିଳିଲେ ବି ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼। ଦୁଆର ଦୁଆର ବୁଲି ଭୋଟ୍ ମାଗି, ପ୍ରଚାର କଲେ ନିଶ୍ଚିତ ଓଜନ ୫କେଜି କମିବ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ବର୍ତ୍ତମାନ ନିର୍ବାଚନରେ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରି କହିଥିଲେ, ଆମେ ଧୀରେ ଧୀରେ ରାଜନୈତିକ ଶକ୍ତି ଓ ରାଜନୈତିକ କ୍ଷମତାକୁ ଏକ ଛୋଟିଆ ଦଳ ଓ ଗୋଷ୍ଠୀ ହାତରେ ଛାଡ଼ିବାକୁ ଚାହୁଁଛୁ; ଯାହା ପାଖରେ ଅଜସ୍ର ପଇସା ଅଛି। ଏହି ଚିନ୍ତା ଆମକୁ ବିବ୍ରତ କରୁଛି। ଏହା ଆମ ଅର୍ଥନୈତିକ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥା ଏଭଳି ପ୍ରଭାବିତ ହେବ ତାହା ଆମେ ବୁଝିପାରିବାନି। ନିର୍ବାଚନ ପ୍ରକ୍ରିୟାରେ ସଂସ୍କାରର ଆବଶ୍ୟକତା ଅଛି ବୋଲି ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ, କିଛି ବର୍ଷ ପୂର୍ବେ ରାଜନୀତିରେ ଧର୍ମ, ସମ୍ପ୍ରଦାୟ, ଜାତି କଥା କହିବାକୁ ଆମେ ସଙ୍କୋ‌ଚବୋଧ କରୁଥିଲେ। କିନ୍ତୁ ଏବେ ତାହା ରାଜନୀତିରେ ସାଧାରଣ ପ୍ରସଙ୍ଗ ହୋଇଯାଇଛି। ପୁଣି ରାଷ୍ଟ୍ରକୃପା ବାଣ୍ଟି ଏକ ନୂତନ ବର୍ଗ ସୃଷ୍ଟି କରାଯାଇଛି। ଯାହାକୁ ଲାଭାର୍ଥୀ ବା ହିତାଧିକାରୀ କୁହାଯାଉଛି। ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ , ଅମିତ ଶାହଙ୍କ ସଫଳତା ପଛରେ ସୋସିଆଲ ଇଞ୍ଜିନିୟରିଂ ଗୋଟିଏ କାରଣ ହୋଇଥାଇପାରେ। ତାହାସହ ବୁଥ୍‌ର ତଳସ୍ତରରେ ପହଞ୍ଚିବା ପାଇଁ କର୍ମକର୍ତ୍ତା ସଂଖ୍ୟା ଓ ସାମର୍ଥ୍ୟର ମଧ୍ୟ ଆବଶ୍ୟକତା ରହିଛି। ଶୋଭାଯାତ୍ରା ଓ ସାଧାରଣ ସଭାରେ ରାଜନୀତି ହୁଏନି। ରାଜ‌ନୀତି ବୁଥ୍‌ରେ ହୁଏ। ବୁଥ୍‌ ପରିଚାଳନା ଠିକ୍‌ ଭାବେ କରିନପାରିଲେ ‌ତୁମେ ଯେତେ ଲୋକପ୍ରିୟ ହୁଅ କି ଭଲ ଭାଷଣ ଦିଅ ବିଜୟ ଆଦୌ ସମ୍ଭବ ହେବନାହିଁ। ଅଧିକାଂଶ ଦଳ ବୁଥ୍‌ ପରିଚାଳନା ଠିକ୍‌ ଭାବେ କରନ୍ତିନି ତେଣୁ ସଫଳତା ପାଅନ୍ତିନି। ଶେଷରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବହିଟି ଅତ୍ୟନ୍ତ ଗ୍ରହଣୀୟ, ପଠନୀୟ। ଏହି ବହିଟି ପଢ଼ିଲେ ଜଣେ ରାଜନେତା ନିଶ୍ଚିତ ଭାବେ ନିଜର ରାଜନୈତିକ ସଂଗଠନ ବିଷୟରେ ଚିନ୍ତା କରିବାକୁ ବାଧ୍ୟ ହେବ। ଏହାହିଁ ଏହି ବହିର ସଫଳତା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସାଂସଦ ସ୍ବପନ ଦାସଗୁପ୍ତା କହିଥିଲେ ଓଡ଼ିଶାରେ ତୁଳନାମତ୍କ ରାଜନୀତି ଦେଖିବାକୁ ମିଳୁଛି। ହେଲେ ପଡ଼ୋଶୀ ରାଜ୍ୟରେ ତାହା ନାହିଁ। ଅମିତ ଶାହ ଜଣେ ଆକର୍ଷିତ ବ୍ୟକ୍ତିତ୍ବ କିନ୍ତୁ ଜଣେ ଶୁଦ୍ଧ ରାଜନେତା। ଯିଏ ରାଜନୀତିରେ ଶୁଅନ୍ତି, ରାଜନୀତିରେ ଉଠନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ସୃଜନଶୀଳ ରାଜନେତା। କିନ୍ତୁ ଶାହ ଜଣେ ରଣନୀତି ପ୍ରସ୍ତୁତ କରୁଥିବା ରାଜନେତା। ଶାହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ‌ଦେଶର ପ୍ରତି ଲୋକସଭା ଆସନରେ କିପରି ବିଜୟ ହାସଲ ହେବ ସେନେଇ ରଣନୀତି ପ୍ରସ୍ତୁତ କରନ୍ତି। ସେ କେବେ କୌଣସି କାର୍ଯ୍ୟ ଅଧାରୁ ଛାଡ଼ନ୍ତିନି। ସେ ଦେଶର ସବୁ ଅଞ୍ଚଳକୁ ବୁଝିଛନ୍ତି, ଆଉ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଅମିତ ଶାହ ଏଭଳି ରାଜନେତା ଯିଏ ବୁଥ୍‌ ସ୍ତରରୁ ଆସି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିଛନ୍ତି। ଶାହଙ୍କ ଫୋକସ୍‌ରେ ଓଡ଼ିଶା ଅଛି। ଏହା ମୁଁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ତାଙ୍କ ସହ କାର୍ଯ୍ୟ କରିବା ବେଳେ ଜାଣିପାରିଛି। ଶାହ ୧୨ଥର ଓଡ଼ିଶା ଆସିଥିବା‌େବଳେ ଯେତିକି ସମୟ ପାଇଁ ଆସନ୍ତି ସେଥିରେ କିପରି ସବୁ ବର୍ଗର ଲୋକଙ୍କୁ ଭେଟିପାରିବେ ତାହା ଉପରେ ଧ୍ୟାନ ଦିଅନ୍ତି।

ଏହି ପୁସ୍ତକକୁ ଇଂରାଜୀ ଓ ହିନ୍ଦୀରେ ରଚନା କରିଥିବା ଲେଖକ ଅନିର୍ବାଣ ଗାଙ୍ଗୁଲି ଓ ଶିବାନନ୍ଦ ଦ୍ବିବେଦୀ କିପରି ତାଙ୍କ ଲେଖା ପାଇଁ ତଥ୍ୟ ସଂଗ୍ରହ କରିଛନ୍ତି ସେ ଅନୁଭୂତି କହିଥିଲେ। ପୁସ୍ତକର ପ୍ରକାଶନୀ ସଂସ୍ଥା ବ୍ଲୁମ୍‌ସବୁରୀର ପ୍ରବୀଣ ତିୱାରୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଦେଇଥିଲେ। ଟାଇମ୍‌ପାସ୍‌ ପ୍ରକାଶନ ସଂସ୍ଥାର ମୁଖ୍ୟ ତଥା ସାହିତ୍ୟିକ ସରୋଜ ବଳ ଏହି ପୁସ୍ତକଟିର ଓଡ଼ିଆ ଅନୁବାଦ କରିଛନ୍ତି। ଏହି ପୁସ୍ତକଟିରେ ୩୫୫ ପୃଷ୍ଠା ଥିବାବେଳେ ଏହାର ମୂଲ୍ୟ ୩୯୯ଟଙ୍କା ରହିଛି। ଏଥିରେ ଶାହଙ୍କ କିଛି ବିରଳ ଫଟୋ ମଧ୍ୟ ଅଛି।

ସମ୍ବନ୍ଧିତ ଖବର