କଟକ : ଗୋଟିଏପଟେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପସନ୍ଦର କଲେଜରେ ନାମ ଲେଖାଇବାର ସୁଯୋଗ ମିଳୁନି। ଅନ୍ୟପଟେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ କଲେଜରେ ସିଟ୍ ଖାଲି ପଡ଼ୁଛି। ‘ସାମ୍‌ସ’ ବା ‘ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌’ର ତ୍ରୁଟି ଯୋଗୁଁ ଏବେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ସବୁଠୁ ଉଦ୍‌ବେଗଜନକ ଚିତ୍ର ସାମ୍‌ନାକୁ ଆସିଛି। ଯେଉଁଥିପାଇଁ ଚଳିତ ବର୍ଷ ଅକ୍ଟୋବର ୧୩ରେ ୟୁଜି ଓ ୧୭ରେ ପିଜି କ୍ଲାସ୍‌ ଆରମ୍ଭ ହୋଇଥିବା ବେଳେ ବିଶ୍ବବିଦ୍ୟାଳୟରେ ୟୁଜିର ୧୬୦ ଓ ପିଜିର ୨୦୦ ସିଟ୍‌ ଖାଲି ପଡ଼ିଛି। ଅର୍ଥାତ୍‌, କ୍ଲାସ୍‌ ଆରମ୍ଭ ହେବାର ୨/୩ ମାସ ପରେ ବି ନାମଲେଖା ପ୍ରକ୍ରିୟା ଶେଷ ହେଉନାହିଁ। ତିନିରାଉଣ୍ଡ ଆଡମିସନ୍‌ ଶେଷ ହେବାପରେ ଏବେ ବଳକା ସିଟ୍‌କୁ ପୂରଣ କରିବାପାଇଁ କଲେଜ ଓ ବିଶ୍ବବିଦ୍ୟାଳୟଙ୍କୁ ସ୍ପଟ୍‌ ଆଡମିସନ୍‌ କରିବାକୁ ସାମ୍‌ସ ପକ୍ଷରୁ ଦାୟିତ୍ବ ଠେଲି ଦିଆଯାଇଛି। ‌

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୯-୨୦୧୦ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ପ୍ରକ୍ରିୟାକୁ ସରଳ କରିବା ପାଇଁ ଆରମ୍ଭ ହୋଇଥିଲା ‘ସାମ୍‌ସ’ ବ୍ୟବସ୍ଥା। କିନ୍ତୁ ‘ସାମସ୍‌’ ପକ୍ଷରୁ ନାମ ଲେଖା ବ୍ୟବସ୍ଥାରେ ବ୍ୟବହାର କରାଯାଉଥିବା ସିଜିପିଏ (କ୍ୟୁମୁଲେଟିଭ୍‌ ଗ୍ରେଡ୍‌ ପଏଣ୍ଟ ଆଭରେଜ୍‌)କୁ ପ୍ରତିଶତରେ ପରିଣତ କରିବା ସୂତ୍ର ଲାଗୁ କରାଯାଉଛି। ଏହା ତ୍ରୁଟିପୂର୍ଣ୍ଣ ବୋଲି ବହୁ ଶିକ୍ଷାବିତ୍‌ ମତ ଦେଇ ଆସିଛନ୍ତି। ଅନ୍ୟପଟେ ନାମ ଲେଖା ସମୟରେ ‘ସାମ୍‌ସ’ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପୂରା ତାଲିକା ପ୍ରକାଶ କରାଯାଉ ନାହିଁ। ଏଥିରେ ସବୁ ଛାତ୍ରଛାତ୍ରୀଙ୍କ ପୂରା ନମ୍ବର କେତେ ରହିଛି, ନମ୍ବର ପରିବର୍ତ୍ତନ କେମିତି ହେଉଛି, କାହାକୁ କେଉଁଠି ୱେଟେଜ୍‌ ମିଳିଲା ତାହାର ସୂଚନା ଦିଆଯାଉ ନାହିଁ। ଏପରି ହେବାଦ୍ବାରା ଛାତ୍ରଛାତ୍ରୀ ସିଜିପିଏ ଓ ପ୍ରତିଶତ ମାର୍କକୁ ନେଇ ଦ୍ବନ୍ଦ୍ବରେ ରହିବା ସହ ‘ସାମ୍‌ସ’ ନିକଟରେ ଅଭିଯୋଗ କରିବାର ସୁଯୋଗ ପାଇପାରୁ ନାହାନ୍ତି।

୨୦୨୧-୨୦୨୨ ଶିକ୍ଷା ବର୍ଷ‌ର ନଭେମ୍ବର ୧୫ରେ କ୍ଲାସ୍‌ ଆରମ୍ଭ ହୋଇଥିବା ବେଳେ ନାମ ଲେଖା ପ୍ରକ୍ରିୟା ୨୦୨୨ ଜାନୁଆରି ୨୫ ପର୍ଯ୍ୟନ୍ତ ଚାଲିଥିଲା। ଏପରିସ୍ଥଳରେ ବହୁ ପିଲାଙ୍କ ପ୍ରଥମ ସେମିଷ୍ଟର ନଷ୍ଟ ହୋଇଥିଲା। ୩ଟି ପର୍ଯ୍ୟାୟରେ ନାମ ଲେଖା ଶେଷ ହୋଇଥିଲେ ବି ଏବେ ରେଭେନ୍ସା ବିଶ୍ବବିଦ୍ୟାଳୟର ଅନେକ ବିଭାଗରେ ବହୁସିଟ୍‌ ଖାଲି ପଡ଼ିଛି। ରେଭେନ୍ସା ଅର୍ଥନୀତି ପିଜି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାହିଦା ଥିବା ବେଳେ ବିଭାଗର ୮୪ଟି ସିଟ୍‌ରୁ ଗତ ୨୬ ତାରିଖ ସୁଦ୍ଧା ୧୭ଟି ସିଟ୍‌ ଖାଲି ପଡ଼ିଛି। ବିଶ୍ବବିଦ୍ୟାଳୟର ପିଜି ଓ ୟୁଜିର ଅନେକ ଗୁରୁତ୍ବପୂର୍ଣ୍ଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାହିଦା ଥିବା ବିଭାଗରେ ଏବେ ଏଭଳି ସ୍ଥିତି। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପ୍ରକ୍ରିୟାରେ ସଂଶୋଧନ ଆଣିବାକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷାବିତ୍ ମତ ଦେଇଛନ୍ତି।