ରାଉରକେଲାରେ ପ୍ରଥମ ଦିନରେ ୩୬୫୨ ଜଣଙ୍କୁ ବୁଷ୍ଟର୍‌ ଡୋଜ୍‌

ରାଉରକେଲା: ଜିଲ୍ଲାରେ ଜୁଲାଇ୧୫ ତାରିଖ ଠାରୁ ବୁଷ୍ଟର୍‌ ଡୋଜ୍‌ ଟିକାଦାନ ଆରମ୍ଭ ହୋଇଯାଇଛି। ୧୮-୫୯ ବର୍ଷ ବର୍ଗର ହିତାଧିକାରୀଙ୍କୁ ବୁଷ୍ଟର୍‌ ଡୋଜ୍‌ ଦିଆଯାଇଥିଲା। ପ୍ରଥମ ଦିନରେ ମୋଟ୍‌ ୩, ୬୫୨ ହିତାଧିକାରୀ କୋଭିଡ୍‌ ଟିକା ଦିଆଯାଇଛି। ଏହି ଟିକାକରଣ ପାଇଁ ଜିଲ୍ଲାରେ ୪୦ରୁ ଅଧିକ କେନ୍ଦ୍ର କରାଯାଇଛି। ଏହି କ୍ରମରେ, ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଅଞ୍ଚଳରେ ୪ଟି କେନ୍ଦ୍ର ରହିଛି। ସେଗୁଡ଼ିକ ହେଲା, ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌), ପାନପୋଷ ସବଡିଭିଜନାଲ ହସପିଟାଲ, ଇଏସ୍‌ଆଇ ହସପିଟାଲ, ଉତ୍କଳମଣୀ ଗୋପବନ୍ଧୁ ହୋମିଓପାଥି କଲେଜ ଓ ବନ୍ଧମୁଣ୍ଡା ରେଲୱେ ହସପିଟାଲ। ଆସନ୍ତା ୭୫ ଦିନ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ।

ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲଠାରେ ଏହି ଟିକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସରୋଜ ମିଶ୍ର ଶୁଭାରମ୍ଭ କରିଥିଲେ। କହିଲେ, ଟିକା ହେଉଛି ଆମର ସୁରକ୍ଷା କବଚ। ଏହି ଟିକାକରଣ ପାଇଁ ବିଗତ ଦିନରେ କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିଥିଲା। ତେଣୁ ଏବେ ୭୫ ଦିନ ଯାଏଁ ଚାଲିବାକୁ ଥିବା ଏହି ବୁଷ୍ଟର ଡୋଜ୍ ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତ ହିତାଧିକାରୀ ସାମିଲ ହେବାକୁ ଡା. ମିଶ୍ର ଆହ୍ବାନ କରିଥିଲେ। ପ୍ରକାଶଥାଉକି, କୋଭିଡ୍‌ ନିୟମର କଡ଼ଶ ପାଳନ ପୂର୍ବକ ଆଜି କେନ୍ଦ୍ରରେ ସ୍ପଟ୍‌ ପଞ୍ଜିକରଣ କରି ଟିକା ଦିଆଯାଇଥିଲା। ବୁଷ୍ଟର ଡୋଜ୍ ଟିକାକରଣକୁ ବ୍ୟାପକ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜିଲ୍ଲାରେ ବୁଷ୍ଟର ଡୋଜ୍ ସହିତ କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକାକରଣ ମଧ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର