ସହରାଞ୍ଚଳ ଆବାସ ଯୋଜନାରେ ୩୬ ହଜାର ୬୨ଟି ନୁଆ ଘର ମଞ୍ଜୁର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଜାଗା ମିସନ ଜରିଆରେ ସହରାଞ୍ଚଳରେ ବାସ କରୁଥିବା ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ରାଜ୍ୟ ସରକାର ଆଜି ୩୬ ହଜାର ୬୨ଟି ନୂଆ ଘର ମଞ୍ଜୁର କରିଛନ୍ତି। ଏ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏସବୁ ବାସଗୃହ ନିର୍ମାଣ କାମ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେସୁଦ୍ଧା ୧ ଲକ୍ଷ ୫୫ ହଜାର ୭୮ଟି ପରିବାରକୁ ଆବାସ ଗୃହ ଯୋଗାଇ ଦିଆଯାଇଛି।

ସହରାଞ୍ଚଳ ବାସହୀନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମୁତାବକ ଜାଗା ମିସନ ସଂକ୍ରାନ୍ତ ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍‌ସିଂ ଜରିଆରେ ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ୭୬ଟି ସହରାଞ୍ଚଳ ପାଇଁ ଏହି ନୂଆ ପ୍ରକଳ୍ପ ମଞ୍ଜୁର କରିବା ସହ ସର୍ଭେ ମାଧ୍ୟମରେ ହିତାଧିକାରୀ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ପ୍ରତି ଘର ସହ ପାଇଖାନା ଓ ଗାଧୁଆଘର ବ୍ୟବସ୍ଥା ଯେପରି ରହିବ, ସେଥିପାଇଁ ବ୍ୟବସ୍ଥା କରାଯିବ।

କମିଟି ବୈଠକରେ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ କହିଥିଲେ, ଏବେସୁଦ୍ଧା ଏହି ଯୋଜନାରେ ୧୧୪ଟି ସହରାଞ୍ଚଳରେ ୧ ଲକ୍ଷ ୫୫ ହଜାର ୭୮ଟି ପରିବାରକୁ ଘର ଯୋଗାଇ ଦିଆଯାଇଛି। ସେଥିରୁ ୬୪ ହଜାର ୫ଟି ବାସଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି। ଅବଶିଷ୍ଟ ଘରର ନିର୍ମାଣ ତ୍ବରାନ୍ବିତ କରାଯାଇଛି। ସ୍ବତନ୍ତ୍ର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଜଣାଇଥିଲେ ୧ ଲକ୍ଷ ୫ ହଜାର ଲୋକଙ୍କୁ ଲ୍ୟାଣ୍ଡ ଏଣ୍ଟାଟାଇଟେଲ୍‌ମେଣ୍ଟ ପ୍ରମାଣପତ୍ର ଓ ୬୫ ହଜାର ପରିବାରଙ୍କୁ ଲ୍ୟାଣ୍ଡ୍‌ ରାଇଟ୍‌ସ୍‌ ପ୍ରମାଣପତ୍ର ଯୋଗାଇ ଦିଆଯାଇଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥନନ୍‌ କହିଥିଲେ, ନୂଆ ଅନୁମୋଦିତ ଘର ମଧ୍ୟରୁ ୧୬ ହଜାର ୪୬୩ଟି ଘର ହିତାଧିକାରୀମାନଙ୍କ ଦ୍ବାରା ନିର୍ମିତ ହେବ। ୧୫ ହଜାର ୧୧୫ଟି ଘର ସ୍ବଳ୍ପମୂଲ୍ୟରେ ନିର୍ମାଣ କରାଯିବ। ବସ୍ତିରେ ଥିବା ସ୍ଥାନରେ ୪ ହଜାର ୪୮୪ଟି ଗୃହ ନିର୍ମାଣ କରାଯାଇ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ୧ ଲକ୍ଷ ୯୧ ହଜାର ୧୪୦ ପରିବାରଙ୍କୁ ସାମିଲ କରାଯାଇଛି। ଏହି ବାସ ଗୃହ ତିଆରି ବାବଦରେ କେନ୍ଦ୍ର ସରକାର ଓ ରାଜ୍ୟ ସରାକର ଉଭୟ ପାଣ୍ଠି ଯୋଗାଇଥାନ୍ତି। ଘର ପିଛା କେନ୍ଦ୍ର ସରକାର ୧.୫୦ ଲକ୍ଷ ଟଙ୍କା ଓ ରାଜ୍ୟ ସରକାର ଜମିର ମୂଲ୍ୟ ସହ ନଗଦ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥାନ୍ତି। ଚ​ଳିତ ବର୍ଷ ମାର୍ଚ୍ଚସୁଦ୍ଧା ଏହି ଯୋଜନାରେ ପ୍ରାୟ ୧୪୯୬ କୋଟି ଟଙ୍କା ବିନିଯୋଗ ହୋଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର