ବରଗଡ଼-ଝାରସୁଗୁଡ଼ା ସେତୁ ସମେତ ୩ ପ୍ରକଳ୍ପ ପାଇଁ ୩୬୮ କୋଟି

ପୂଜାରୀପାଲି-ଜରିମୂଳ ମଧ୍ୟରେ ଜଳଭଣ୍ଡାର ଉପରେ ଦ୍ବିତୀୟ ପୋଲ

ସମ୍ବଲପୁର: ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ସିଧାସଳଖ ସଡ଼କପଥରେ ଯୋଡ଼ିବା ପାଇଁ ହୀରାକୁଦ ଜଳଭଣ୍ଡାର ଉପରେ ସେତୁ ନିର୍ମାଣ ତଥା ବରଗଡ଼ ଜିଲ୍ଲାର ଆଉ ଦୁଇଟି ରାସ୍ତା ପ୍ରକଳ୍ପ ପାଇଁ କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେତୁଟି ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର ଭିକମପାଲି ଗ୍ରାମପଂଚାୟତ ପୂଜାରୀପାଲି ଡଙ୍ଗାଘାଟରୁ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ୍‌ର ଜରିମୂଳ ଘାଟ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମିତ ହେବ। ଏଥି ପାଇଁ ୨୭୪ କୋଟି ଟଙ୍କା ଆବଣ୍ଟିତ ହୋଇଛି।

ସେହିପରି  ବରଗଡରୁ ଭଟଲି ଦେଇ ଅମ୍ବାଭନା ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ ତଥା ପଦ୍ମପୁର-ପାଟଣାଗଡ ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ ପାଇଁ ମୋଟ ଅବଶିଷ୍ଟ ୯୪.୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଏକ ପତ୍ର ଜରିଆରେ ଅବଗତ କରାଇଛନ୍ତି। ଏହି ତିନିଟି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ନିତ କରିବା ପାଇଁ ରାଜ୍ୟକୁ କେନ୍ଦ୍ରୀୟ ରାସ୍ତା ଓ ଭିତ୍ତିଭୂମି ପାଣ୍ଠି (ସିଆରଏଫ)ରୁ ଅର୍ଥ ଆବଣ୍ଟନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଉପରୋକ୍ତ ତିନିଟି ପ୍ରକଳ୍ପ ପାଇଁ ଅର୍ଥ ଆବଣ୍ଟନ କରିବାକୁ ବିଜେପି ସାଂସଦ ଶ୍ରୀ ପୁଜାରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକାରୀଙ୍କୁ ଅନୁରୋଧ କରି ପତ୍ର ଲେଖିବା ପରେ କେନ୍ଦ୍ରମନ୍ତ୍ରୀ ତତ୍ପରତା ପ୍ରଦର୍ଶନ ପୂର୍ବକ ଏଥି ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ସେତୁ କାମ ଶୀଘ୍ର ଆରମ୍ଭ କରିବା ପାଇଁ ଜଳଭଣ୍ଡାର ଭିତରେ ମୃତ୍ତିକା ପରୀକ୍ଷଣ ବି କରା ସରିଛି। ଏଥି ପାଇଁ ଶ୍ରୀ ପୂଜାରୀ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ଭିକମପାଲିରୁ ଜରିମୂଳ ସେତୁ ହୀରାକୁଦ ଜଳଭଣ୍ଡାର ଉପରେ ଦ୍ବିତୀୟ ସେତୁ ହେବ। ଏହା ପୂର୍ବରୁ ସମ୍ବଲପୁର ଜିଲ୍ଲା ରେଂଗାଲି ନିକଟରେ ଇବ୍‌ ନଦୀ ମୁହାଣରେ ଆଉ ଏକ ସେତୁ ତିଆରି ହୋଇ ସାରିଛି।

ସମ୍ବନ୍ଧିତ ଖବର