ଅନୁଗୁଳ: ଜଙ୍ଗଲ ଛାଡ଼ି ଜନବସତିମୁହାଁ ହେଉଛନ୍ତି ହାତୀ। ଗାଁ ମୁଣ୍ଡରେ ଡେରା ପକାଇବା ସହ ଚାଷବାସ ନଷ୍ଟ କରୁଛନ୍ତି। ଏଥିପାଇଁ ଦିନକୁ ଦିନ ହାତୀ-ମଣିଷ ଲଢ଼େଇ ଉଗ୍ର ହେବାରେ ଲାଗିଛି। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଗତ ୧୦ ବର୍ଷରେ ୩୬୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତ୍ୟୁହାରରେ ଅବିଭକ୍ତ ଢେଙ୍କାନାଳ ସାରା ରାଜ୍ୟରେ ପ୍ରଥମରେ ରହି ଅଲୋଡ଼ା ରେକର୍ଡ କରିଛି। ହେଲେ ଏହାକୁ କମାଇବା ପାଇଁ କୌଣସି ବିଧିବଦ୍ଧ ଯୋଜନା କରାଯାଉନାହିଁ। ଦୁଇବର୍ଷ ହେଲା ଅନୁଗୁଳ ଓ ଢେଙ୍କାନାଳରେ ହାତୀ-ମଣିଷ ବିବାଦ ତୀବ୍ର ହୋଇଛି। ଉଭୟ ଜିଲ୍ଲାର ଏମିତି କେଉଁ ଅଞ୍ଚଳ ନାହିଁ ଯେଉଁଠାରେ କି ହାତୀ ଭୟ ନାହିଁ। ଏପରିକି ଅନୁଗୁଳ ସହର ପାଖରେ ବି ସଞ୍ଜରେ ହାତୀ ବୁଲିଲେଣି। ଢେଙ୍କାନାଳ ସଦର ବ୍ଲକ୍‌ରେ ହାତୀ ଉପଦ୍ରବ ଅସମ୍ଭାଳ। ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳ‌ ସମେତ ମହୀଧରପୁର, ଛେଣ୍ଡିପଦା, କଣିହାଁ, ଆଠମଲ୍ଲିକ, ପାଳଲହଡ଼ା, ତାଳଚେର ଅଞ୍ଚଳରେ ହାତୀ ଉପଦ୍ରବ ଏଇ କିଛି ବର୍ଷ ହେଲା ବଢ଼ିଛି। ‌ସେହିପରି ଢେଙ୍କାନାଳ ଜିଲ୍ଲା ସାରା ହାତୀ-ମଣିଷ ବିବାଦ ଲାଗି ରହିଛି। ହାତୀ ପଲ ଆଉ ଜଙ୍ଗଲକୁ ନ ଯାଇ ଗାଁ ପାଖାପାଖି ରହୁଛନ୍ତି। କାହାକୁ କେତେବେଳେ ପାଇଲେ ଦଳି ଦେଉଛନ୍ତି।

Advertisment

ଏଇ ୧୦ ବର୍ଷରେ ଅନୁଗୁଳ ଜିଲ୍ଲାରେ ହାତୀ ପାଦତଳେ ୧୪୧ ଜଣଙ୍କ ଜୀବନ ଯାଇଛି। ଶହେରୁ ଅଧିକ ଲୋକ ଅକର୍ମଣ୍ୟ ହୋଇଛନ୍ତି। ସରକାରୀ ହିସାବ ଅନୁସାରେ, ୨୦୨୨ ପରେ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଛି। ୨୦୨୨-୨୩ରେ ହାତୀ ଆକ୍ରମଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦୨୩-୨୪ରେ ଏ ପର୍ଯ୍ୟନ୍ତ ୨୧ ଜଣଙ୍କ ଜୀବନ ଗଲାଣି। କିନ୍ତୁ ୧୦ ବର୍ଷ ତଳେ ଏହି ମୃତ୍ୟୁସଂଖ୍ୟା ବହୁତ କମ୍‌ ଥିଲା। ୨୦୧୪-୧୫ରେ ମାତ୍ର ୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦୧୫-୧୬ରେ ହାତୀ ଆକ୍ରମଣରେ ୯ ଜଣ ପ୍ରାଣ ହରାଇଥିଲେ। ଏପଟେ ଅନୁଗୁଳ ତୁଳନାରେ ଢେଙ୍କାନାଳ ଜିଲ୍ଲାରେ ସ୍ଥିତି ଅଧିକ ଉଦ୍‌ବେଗଜନକ। ଚଳିତ ଆର୍ଥିକ ବର୍ଷରେ ହାତୀ ଆକ୍ରମଣରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୨-୨୩ରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦୨୦-୨୧ରେ ୩୩ ଜଣଙ୍କ ଜୀବନ ଯାଇଥିଲା। ୨୦୧୪-୧୫ରେ ୧୪ ଜଣ ଓ ୨୦୧୫-୧୬ରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୧୦ ବର୍ଷ ହେଲା ପ୍ରତି ବର୍ଷ ଅତି କମ୍‌ରେ ୧୩ ଜଣଙ୍କର ହାତୀ ପାଦତଳେ ଜୀବନ ଯାଇଛି। ଏମିତି ଏହି ୧୦ ବର୍ଷ ଭିତରେ ୨୨୭ ଜଣ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ବର୍ଷକୁ ବର୍ଷ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ସ୍ଥାୟୀ ପଦକ୍ଷେପ ନିଆଯାଉନି। ବରଂ, ଏ ଗାଁରୁ ସେ ଗାଁକୁ ହାତୀପଲକୁ ଘଉଡ଼ାଇ ନିଜ ଦାୟିତ୍ବ ସାରି ଦେଉଛି ବନବିଭାଗ। ଗୋଟିଏ ବନାଞ୍ଚଳରୁ ଅନ୍ୟ ବନାଞ୍ଚଳକୁ ହାତୀ ପଲ ଯାଇ ଉତ୍ପାତ କରୁଛନ୍ତି। ଗାଁ ପାଖରେ ସହଜରେ ଓ ସୁବିଧାରେ ଆମ୍ବ, ପଣସ, ତାଳ, ମହୁଲ ସାଙ୍ଗକୁ ପନିପରିବା ଓ ଧାନ ମିଳୁଥିବାରୁ ସେମାନେ ଆଉ ଜଙ୍ଗଲକୁ ଯିବା ପାଇଁ ଚାହୁଁନାହାନ୍ତି। ତେଣୁ ଅନୁଗୁଳ-ଢେଙ୍କାନାଳ ସୀମାନ୍ତ ବନ୍ତଳା ଓ ହିନ୍ଦୋଳ ଅଞ୍ଚଳରେ ହାତୀ-ମଣିଷ ବିବାଦ ବଢ଼ିବାରେ ଲାଗିଛି।