ସରକାରୀ ତାଲିକାରେ ମୃତ୍ୟୁ ସଂଖ୍ୟା ୩୭ ଛୁଇଁଲା, ପୁରୀ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୮

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ପ୍ରାୟ ୫୦ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା କୁହାଯାଉଥିବା ବେଳେ ସରକାରୀ ଭାବେ ଏହି ସଂଖ୍ୟା ୩୭ ଛୁଇଁଛି। ଏଥିମଧ୍ୟରୁ ସର୍ବାଧିକ ୨୧ଜଣ ପୁରୀ ଜିଲ୍ଲାର। ଏହା ସହିତ ଛୋଟ ବଡ଼ ମିଶାଇ ୧୭ ଲକ୍ଷ ୩୭ ହଜାର ୪୭୩ଟି ପଶୁ ପକ୍ଷୀ ମରିଛନ୍ତି। ୫ ଲକ୍ଷରୁ ଅଧିକ ସଂଖ୍ୟକ ଘର ଭାଙ୍ଗିଥିବା ବେଳେ ଏଥି ମଧ୍ୟରୁ ସର୍ବାଧିକ ୧.୮୯ ଲକ୍ଷ ଘର ପୁରୀ ଜିଲ୍ଲାର। ସେହିପରି ୫୨୪୪ଟି ପ୍ରାଥମିକ ସ୍କୁଲ ଘର, ୧୦୩୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଘର ଭାଙ୍ଗିଛି।

ଆଜି ରାଜ୍ୟ ସ୍ବତନ୍ତ୍ର ଜରୁରୀକାଳୀନ ଅପରେସନ କେନ୍ଦ୍ର ଉପରୋକ୍ତ ତଥ୍ୟମାନ ଉପସ୍ଥାପନ କରି ବାତ୍ୟା ସ୍ଥିତି କେତେ ଗମ୍ଭୀର ତାହା ବୟାନ କରିଛି। ଏହି ତଥ୍ୟ ମୁତାବକ ୧୪ଟି ଜିଲ୍ଲାର ୧୫୫ଟି ବ୍ଲକ, ୫୧ଟି ସହରାଞ୍ଚଳ ସହିତ ୧୬୬୪୭ଟି ଗ୍ରାମ ପ୍ରଭାବିତ ହୋଇଛି। ୧ କୋଟି ୪୮ ଲକ୍ଷ ୨୮ ହଜାର ୮୪ଜଣ ଲୋକ ପ୍ରଭାବିତ ହୋଇଛନ୍ତିି। ଫନିର କରାଳ ଗ୍ରାସରେ ପ୍ରାଣ ହରାଇଛନ୍ତି ୩୭ଜଣ। ଏଥିମଧ୍ୟରୁ ପୁରୀ ଜିଲ୍ଲାର ୨୧ଜଣ ହୋଇଥିବା ବେଳେ କଟକ ଜିଲ୍ଲାର ୫ଜଣ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ୪ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୩ଜଣ ଅନ୍ତର୍ଭୁକ୍ତ। କେବଳ ମଣିଷ ନୁହଁନ୍ତି, ୧୭ ଲକ୍ଷ ୩୭ ହଜାର ୪୭୩ଟି ପଶୁ ପକ୍ଷୀ ମରିଛନ୍ତି। ସେଥିମଧ୍ୟରେ ଅଛନ୍ତି ଗାଈଗୋରୁ ଭଳି ୨୭୫ଟି ବଡ଼ ପଶୁ ଥିବା ବେଳେ ୪୧୫ଟି ଛୋଟ ପଶୁ ଓ ୧୭.୩୬ ଲକ୍ଷ କୁକୁଡ଼ା ଇତ୍ୟାଦି।

୧୬୬୪୭ ଗ୍ରାମ, ୧.୪୮ କୋଟି ଲୋକ ପ୍ରଭାବିତ, ୧୭.୩୭ ଲକ୍ଷ ପଶୁ ପକ୍ଷୀ ମୃତ
୫.୮ ଲକ୍ଷ ଘର, ୫୨୪୪ଟି ସ୍କୁଲ, ୧୦୩୧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଭାଙ୍ଗିଛି

ଏହି ବାତ୍ୟା ଯୋଗୁଁ ୯୮୦.୬୯ କି.ମି. ନଦୀ/ଲୁଣାବନ୍ଧ ନଷ୍ଟ ହୋଇଛି। ୨୨୭ଟି ଘାଇ ସୃଷ୍ଟି ହେବା ସହିତ ୫୫୯୬ କି.ମି. ସଡ଼କ, ୩୨୬ଟି ପୋଲ ବି କ୍ଷତିଗ୍ରସ୍ତ ହୋଇଛି। ୯୬୯୩ କି.ମି. ଦୈଘ୍ୟର ଗ୍ରାମ୍ୟ ସଡ଼କ, ୪୬୧୦ଟି ଗୃହ ପ୍ରଭାବିତ ହୋଇଛି। ପୁରୀ, ଖୋର୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୩୨୯୦ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଭାଙ୍ଗିଥିବା ଏହି ଆକଳନରୁ ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ସଂପର୍କିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସୂଚାଉଛି ଯେ ମୋଟ ୧୪ ଲକ୍ଷ ୧୮ ହଜାର ୮୨ଜଣ ଲୋକଙ୍କୁ ସ୍ଥାନାନ୍ତର କରି ନିରାପଦ ସ୍ଥାନରେ ରଖାଯାଇଛି। ଚୂଡ଼ା, ଗୁଡ଼, ବିସ୍କୁଟ୍‌, ମହମବତୀ, ଡିଆସିଲ୍‌, ଲୁଣ ଆଦି ରିଲିଫ ସାମଗ୍ରୀ ଥିବା ୧୫୮୮୯ଟି ପ୍ୟାକେଟ୍‌ ପୁରୀ ଜିଲ୍ଲାରେ ଦିଆଯାଇଥିବା ବେଳେ ୪୬୩୨ ପ୍ୟାକେଟ୍‌ ଖୋର୍ଧା ଓ ୮୦୦ଟି ପ୍ୟାକେଟ୍‌ ପୂର୍ବତଟ ରେଳବାଇକୁ ଦିଆଯାଇଛି। ସେହିପରି ସ୍ବାସ୍ଥ୍ୟ, ପାନୀୟଜଳ, ଶକ୍ତି, ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଦର୍ଶାଯାଇଛି।

ପୁରୀ ଜିଲ୍ଲାରେ ଫନି ମୃତ୍ୟୁ ସଂଖ୍ୟା ୨୮
ପୁରୀ: ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଯୋଗୁ ପୁରୀ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ସରକାରୀ ହିସାବରେ ୨୮ରେ ପହଞ୍ଚିଛି। ସେହିପରି ପ୍ରାଣୀ ସଂପଦ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ୧୧୫। ପବନ ଓ ଜୁଆର ମାଡ଼ରେ ମତ୍ସ୍ୟଜୀବୀଙ୍କର ୩୧୦୦ଟି ଡଙ୍ଗା ଭାଙ୍ଗିଥିବା ପ୍ରାଥମିକ କ୍ଷୟକ୍ଷତି ଆକଳନରୁ ଜଣାପଡ଼ିଛି। ବାତ୍ୟା ପରେ ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ଗଛ ସବୁ ହଟାଯାଇଛି। ଗଛ ପଡ଼ି ଅବରୋଧ ହୋଇଥିବା ୩୬୮ କିମି ରାସ୍ତାକୁ ସଫା କରାଯାଇଛି। ଇତିମଧ୍ୟରେ ରିଲିଫ୍ ପ୍ରଦାନ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ୨୩୩୬.୮୪ କୁଇଣ୍ଟାଲ୍‌ ଚୁଡା ବଣ୍ଟନ କରାଯାଇଥିବା ବେଳେ ୮୨ କୁଇଣ୍ଟାଲ ଗୁଡ଼, ୯୬୧୮ ରୋଲ ୍‌ପଲିଥିନ୍‌ ଓ ୬୧ କୁଇଣ୍ଟାଲ ପଲିଥିନ୍‌ ବଣ୍ଟନ କରାଯାଇଛି। ବାତ୍ୟା ବିପନ୍ନଙ୍କ ନିକଟରେ ୧୧୫୭୪ ପ୍ୟାକେଟ୍‌ ଶୁଖିଲା ଖାଦ୍ୟ ପହଞ୍ଚାଯାଇଛି। ରିଲିଫ୍ ଓ ପୁନଃନିର୍ମାଣ କାର୍ଯ୍ୟରେ ୨୨ ଜଣ ସ୍ବତନ୍ତ୍ର ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ୩ ଲକ୍ଷ ୫୩ ହଜାର ରାସନ୍‌ କାର୍ଡଧାରୀଙ୍କୁ ନଗଦ ୨ ହଜାର ଟଙ୍କା ଓ ୫୦ କେଜି ଚାଉଳ ଯୋଗାଇବା‌କୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର