ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ ଅନ୍ତର୍ଗତ ଲାଠି ଗ୍ରାମରେ ବ୍ୟାପିଛି ଛାଡ଼ାବାନ୍ତି। ବହୁ ଲୋକେ ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗ ତରଫରୁ ଗାଁକୁ ଯୋଗାଣ ହେଉଥିବା ପାଇପ୍‌ ପାଣି ବ୍ୟବହାର ପରେ ବହୁ ଗ୍ରାମବାସୀ ଛାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଲାଠି ଗାଁରେ ପହଞ୍ଚି ରୋଗୀଙ୍କ ଚିକିତ୍ସା କରିଛି। ଏହା ସହିତ ଗାଁକୁ ପାଇପ୍‌ ପାଣି ଯୋଗାଣ ବନ୍ଦ କରାଯାଇଥିବା ଏଡିଏମ୍‌ଓ ଡା. ଆର୍‌. ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପଟେ ଦିଗପହଣ୍ଡି ବ୍ଲକ୍‌ର ଭୀଷ୍ମଗିରିରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିବା ଖବର ଆସିବା ପରେ ସେଠାକୁ ମଧ୍ୟ ଏକ ଟିମ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ସେ ସୂଚନା ଦେଇଛନ୍ତି।

Advertisment

publive-image

ଲାଠି ଗାଁର କିଛି ଲୋକ ଗତ ୧ତାରିଖରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଗାଁର ବିଭିନ୍ନ ସାହିକୁ ଛାଡ଼ାବାନ୍ତି ବ୍ୟାପିଥିଲା। ପ୍ରତିଦିନ କିଛି କିଛି ଲୋକ ଝାଡ଼ାବାନ୍ତି ସମସ୍ୟା ନେଇ ଲାଠି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମା ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଲାଠି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ରୋଗୀଙ୍କ ଚିକିତ୍ସା କରିଥିଲା। ଆଜି ଲାଠି ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁଡ଼ାଖଣ୍ଡି ବ୍ଲକ୍‌ର ମେଡିକାଲ ଟିମ୍‌ ରହିଛନ୍ତି। ଗତ ୧ତାରିଖରୁ ଆଜି ପର୍ଯ୍ୟନ୍ତ ୩୭ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡା. ପଟ୍ଟନାୟକ କହିଛନ୍ତି। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଛନ୍ତି।