ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଜନତା ହାଇସ୍କୁଲ୍ ଓ ରାଗପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରୁ ଗତକାଲି ଶତାଧିକ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ ଲୁଚି ପଳାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ଠାବ କରା ଯାଇପାରି ନଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ସେମାନେ ଅନ୍ୟ ପଞ୍ଚାୟତର ସଙ୍ଗରୋଧ କକ୍ଷରେ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।
ଜନତା ହାଇସ୍କୁଲ୍ ପରିସରରେ ୨୨୧ଜଣ ଓ ରାଗପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୭୯ଜଣ ଥିବା ବେଳେ ଉଭୟ କେନ୍ଦ୍ରରୁ ଗତକାଲି ସକାଳେ ଶତାଧିକ ସୁରତ ଫେରନ୍ତା ଫାଟକ ଭାଙ୍ଗି ପଳାଇଥିଲେ। ପରେ ପ୍ରଶାସନ, ପୁଲିସ ଓ ଜନପ୍ରତିନିଧିଙ୍କ ଉଦ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ୧୪୮ ଜଣ ଫେରିଥିଲେ। ଆଉ ବାକି ୩୧ଜଣଙ୍କୁ ସାଙ୍କୁଡ଼ା ସ୍କୁଲ୍ କକ୍ଷରେ ରଖା ଯାଇଥିଲା। ସେହିପରି ଜନତା ହାଇସ୍କୁଲ୍କୁ ୧୮୫ଜଣ ଫେରିଥିଲେ। କିନ୍ତୁ ୩୬ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇ ପାରିନି। ଯାହାକି ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଆଜି ସେମାନେ କୁଆଡ଼େ ନିଜ ନିଜର ପଞ୍ଚାୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ବୋଲି ସୂଚନା ମିଳିଛି। ଏନେଇ ବିଡିଓ ବେଦବର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସେମାନେ ବିଭିନ୍ନ ପଞ୍ଚାୟତର ସଙ୍ଗରୋଧ କକ୍ଷରେ ଅଛନ୍ତି। ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି। ସେପଟେ ଗତକାଲିର ଘଟଣା ପରେ ବେଗୁନିଆପଡ଼ା ବଜାର ଓ କେ.ବରିଡ଼ା ସମେତ ରାଗପୁର ନିକଟ ବଜାରରେ କୋକୁଆ ଭୟ ସୃଷ୍ଟି ହୋଇଛି l ସଙ୍ଗରୋଧ କକ୍ଷରୁ ପଳାଇଥିବା ଅନ୍ତେବାସୀ କାଳେ ବଜାରରୁ କୌଣସି ସାମଗ୍ରୀ କିଣିଥାଇପାରନ୍ତି, ଏହା ଆଶଙ୍କାରେ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଉକ୍ତ ବଜାରକୁ ନ ଯିବା ପାଇଁ ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ବଜାରକୁ ନ ଯିବା ପାଇଁ ସଚେତନ କରାଯାଇଥିଲା। ଫଳରେ ଆଜି ବେଗୁନିଆପଡ଼ା ବଜାର ଖାଁ ଖାଁ ଲାଗୁଥିଲା।
ଅପରପକ୍ଷରେ ଆଜି ଆଉ ୫ଟି ବସ୍ ସୁରତରୁ ଆସି ପହଞ୍ଚିଛି। ମୋଟ ୧୪୪୦ଜଣ ପଞ୍ଜୀକୃତ କରି ସଙ୍ଗରୋଧରେ ଅଛନ୍ତି। ଆଜି ରାତିରେ ୧୦ରୁ ଅଧିକ ବସ୍ ଆସି ପହଞ୍ଚିପାରେ ବୋଲି ସୂଚନା ମିଳିଛି l
ସେହିପରି ଉଭୟ ବିଦ୍ୟାଳୟର ସଙ୍ଗରୋଧ ଗୃହରେ ଖାଇବା ଓ ପାନୀୟ ଜଳଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ ଆଣି ପ୍ରବାସୀ ଓଡ଼ିଆ ମାନେ ଅସନ୍ତୋଷ ପ୍ରକାଶ କରି ପଳାଇଥିଲେ। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏଥିରେ ହସ୍ତକ୍ଷେପ କରି ବିଡିଓ ବେଦବର ପ୍ରଧାନ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କୁ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କେନ୍ଦ୍ରକୁ ଖାଇବାକୁ ଯୋଗାଇବା ଦାୟିତ୍ବ ଅନ୍ୟ ଏକ ସଂସ୍ଥାକୁ ପ୍ରଦାନ କରିବାକୁ କହିଥିଲେ। ଫଳରେ ସ୍ଥିତି ସ୍ବାଭାବିକ ହୋଇଛି। ସମସ୍ତ ଅନ୍ତେବାସୀଙ୍କୁ କିଟ୍ ପ୍ରଦାନ କରାଯାଇଛି।