ସର୍ଭେରୁ ସାମ୍ନାକୁ ଆସିଲା ବିକଳ ଚିତ୍ର: ଅନ୍‌ଲାଇନ୍‌ ପାଠ ପଢି ପାରୁନାହାନ୍ତି ୩୭%

ସ୍କୁଲ ଖୋଲିବାକୁ ୯୭% ଗାଁ ଅଭିଭାବକଙ୍କ ମତ
ନେଟୱାର୍କ ସହିତ ଆର୍ଥିକ ସମସ୍ୟା ଗୁରୁତର

ଭୁବନେଶ୍ବର : ଲଗାତାର ସ୍କୁଲ ବନ୍ଦର ଭୟଙ୍କର ପରିଣାମ; ଜମାରୁ ପଢି ପାରୁନାହାନ୍ତି ୩୭ ପ୍ରତିଶତ ବିଦ୍ୟାର୍ଥୀ। ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥିତ ୧୩୬୨ ସ୍କୁଲ ବିଦ୍ୟାର୍ଥୀଙ୍କୁ ନେଇ କରାଯାଇଥିବା ନମୁନା ସର୍ଭେରେ ଏହା ପ୍ରକାଶିତ ହୋଇଛି।

ଏହି ସର୍ଭେ ଅନୁଯାୟୀ, ସ୍ମାର୍ଟ ଫୋନ୍‌ ଅଭାବ, ନେଟୱାର୍କ ସମସ୍ୟା ଯୋଗୁଁ ସହରର ୧୯ ପ୍ରତିଶତ ମଧ୍ୟ ପାଠରୁ ବଞ୍ଚିତ ହୋଇଛନ୍ତି। କେବଳ ୮ ପ୍ରତିଶତ ହିଁ ନିୟମିତ ଅନଲାଇନରେ ପାଠ ପଢ଼ି ପାରୁଛନ୍ତି। ସର୍ଭେରୁ ଏ କଥା ମଧ୍ୟ ଜଣାପଡ଼ିଛି ଯେ ୪୮ ପ୍ରତିଶତ ଗାଁ ପିଲା ଶବ୍ଦ ମଧ୍ୟ ଧରି ପାରୁନାହାନ୍ତି। ୬୫ ଅଭିଭାବଙ୍କ ଅନୁଭବ ହେଉଛି ଯେ ଲକ୍‌ଡାଉନ୍‌ ପରଠାରୁ ତାଙ୍କ ପୁଅଝିଅଙ୍କ ପଢିବା ଏବଂ ଲେଖିବା ଦକ୍ଷତା ହ୍ରାସ ପାଇଛି। ଅନ୍‌ଲାଇନ୍‌ ପାଠରେ ଅନୁସୂଚିତ ଜାତି, ଜନଜାତିଙ୍କ ଅବସ୍ଥା ସର୍ବାଧିକ ଶୋଚନୀୟ ହୋଇଛି। ଏହି ବର୍ଗର କେବଳ ୪ ପ୍ରତିଶତ ବିଦ୍ୟାର୍ଥୀ ହିଁ ନିୟମିତ ପଢି ପାରୁଛନ୍ତି। ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୧୫ ପ୍ରତିଶତ।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକରେ କରାଯାଇଥିବା ଏହି ସର୍ଭେରେ ୧୦୦ ଜଣ ସ୍ବେଚ୍ଛାସେବୀ ନିଯୁକ୍ତ ହୋଇଥିଲେ। ସରକାରୀ ସ୍କୁଲ ଯାଉଥିବା ବସ୍ତି ଏବଂ ଗାଁ ବିଦ୍ୟାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଛି। ଅନ୍‌ଲାଇନ୍‌ ଶିକ୍ଷାକୁ ଡିଜିଟାଲାଇସେନ୍‌ ଦୁଇ ଭାଗ କରିଛି। ଗାଁର ୫୧ ପ୍ରତିଶତ ଘରେ ହିଁ ସ୍ମାର୍ଟଫୋନ ରହିଛି। ସହରର ୩୧ ପ୍ରତିଶତ, ଗ୍ରାମାଞ୍ଚଳର ୧୫ ପ୍ରତିଶତ ପିଲା ନିୟମିତ ନିୟମିତ ଅନ୍‌ଲାଇନ୍‌ କ୍ଲାସ୍‌ କରୁଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୧୨ ପ୍ରତିଶତ ପିଲାଙ୍କ ନିଜର ସ୍ମାର୍ଟଫୋନ ରହିଛି। ଅନ୍ୟମାନେ ନିଜର କର୍ମଜୀବୀ ଅଭିଭାବକଙ୍କ ଫୋନ ବ୍ୟବହାର କରନ୍ତି। ନେଟଓ୍ବାର୍କ, ଡାଟା ଏବଂ ଆର୍ଥିକ ଦୁରବସ୍ଥା ସହିତ ସେମାନଙ୍କୁ ସାମ୍ନା କରିବାକୁ ପଡ଼େ। ସହରର ୫୭ ପ୍ରତିଶତ, ଗାଁର ୬୫ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ରେ ନେଟଓ୍ବାର୍କ ସମସ୍ୟାର ସାମ୍ନା କରିବାକୁ ପଡ଼େ। ସହରର ୪୬ ପ୍ରତିଶତ ଏବଂ ଗାଁର ୪୩ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ରେ ପାଠ୍ୟ ସାମଗ୍ରୀ ଖୋଜିବା କଷ୍ଟକର ହେଉଥିବା ସେମାନେ କହିଛନ୍ତି। ଏଥିଯୋଗୁଁ ସହରର ୯୦ ପ୍ରତିଶତ ଏବଂ ଗାଁର ୯୭ ପ୍ରତିଶତ ପୁଣି ଥରେ ସ୍କୁଲ ଖୋଲାଯାଉ ବୋଲି ମତ ଦିଅନ୍ତି। ଘରେ ରହି ସେମାନଙ୍କ ପିଲାଙ୍କ ସ୍ତରକୁ ତଳକୁ ଖସିଥିବା ଅନେକ ମନେ କରନ୍ତି। ଅନେକଙ୍କ ପାଇଁ ସ୍କୁଲ ଶିକ୍ଷା ହିଁ ଏକମାତ୍ର ଆଶା। ଅନ୍‌ଲାଇନ୍‌ରେ ପଢିପାରୁଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ବହୁତ କମ୍‌ ଅଫ୍‌ଲାଇନ୍‌ରେ ପାଠ ପଢୁଥିବା ଦେଖାଯାଉଛି। ସମୁଦାୟ ସ୍ଥିତି ଯୋଗୁଁ ସାକ୍ଷରତା ହାର ହ୍ରାସ ପାଇଥିବା ସର୍ଭେରୁ ଜଣାପଡ଼ିଛି। ଲେଖା, ପଢାରେ ସାମୂହିକ ଭାବରେ ସମସ୍ତଙ୍କ ସ୍ତର ହ୍ରାସ ପାଇଥିଲେ ବି ଲକ୍‌ଡାଉନ୍‌ ପୂର୍ବ ଅପେକ୍ଷା ଅନେକ ସଂଖ୍ୟାରେ ପିଲା ଉଚ୍ଚ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର