୩୭ହଜାର କର୍କଟ ରୋଗୀ ଚିହ୍ନଟ: ଗର୍ଭାଶୟ କର୍କଟରେ ଗଞ୍ଜାମ ଓ ମୁଖଗହ୍ବର କର୍କଟରେ ଖୋର୍ଧା ଆଗରେ

ଭୁବନେଶ୍ବର: ରାଜ୍ୟରେ ଅଣସଂକ୍ରମିତ ରୋଗ ଚିହ୍ନଟ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ରାଜ୍ୟରେ ୩୭ହଜାରରୁ ଅଧିକ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧକ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ। ୨୦୧୮/୧୯ବର୍ଷରେ ୭ଟି ପପୁଲେସନ୍ ବେସ୍‌ଡ ସ୍କ୍ରିନିଂ ବା ପିବିଏସ୍‌ ଜିଲ୍ଲା ସମେତ ରାଜ୍ୟର ସମସ୍ତ ହେଲ୍‌ଥ ଏଣ୍ଡ ୱେଲନେ୍‌ସ କେନ୍ଦ୍ରରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ଏସବୁ କେନ୍ଦ୍ରଗୁଡ଼ିକରେ ୧୮ଲକ୍ଷ ୨୫ହଜାର ୩୭୭ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୭ହଜାର ୧୬ଲୋକଙ୍କଠାରୁ କର୍କଟ ରୋଗ ଥିବା ସନ୍ଦେହ କରାଯାଉଛି।

ଏହି କର୍କଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୩୦ହଜାର ୪୨୪ଜଣଙ୍କଠାରେ ଗର୍ଭାଶୟ କର୍କଟ ଆଶଙ୍କା ହୋଇଥିବା ବେଳେ ୪୮୪୯ ଜଣଙ୍କ ମଧ୍ୟରେ ମୁଖଗହ୍ବର କର୍କଟ ଓ ୧୭୪୩ ଜଣଙ୍କଠାରେ ସ୍ତନ କର୍କଟ ଲକ୍ଷଣ ଦେଖା ଦେଇଛି। ମୁଖଗହ୍ବର କର୍କଟ କ୍ଷେତ୍ରରେ ଆଗରେ ରହିଛି ଖୋର୍ଧା ଜିଲ୍ଲା। ଏଠାରେ ୫୮୭ଜଣଙ୍କଠାରେ ମୁଖଗହ୍ବର କର୍କଟ ରହିଥିବା ସାମ୍ନାକୁ ଆସିଥିବା ବେଳେ ଗଞ୍ଜାମରେ ୫୭୬, ରାୟଗଡ଼ାରେ ୪୮୨, ପୁରୀରେ ୪୬୦, କୋରାପୁଟରେ ୩୯୯, କକଟରେ ୩୬୬ ଓ କେନ୍ଦ୍ରାପଡ଼ାରେ ୨୬୦ଜଣଙ୍କଠାରେ ଏହା ଦେଖିବାକୁ ମିଳିଛି। ଦେବଗଡ଼ ଜିଲ୍ଲାରେ ୭୩୨୯ଜଣଙ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ‌କୌଣସି ବ୍ୟକ୍ତି ମୁଖଗହ୍ବର ଓ ସ୍ତନ କର୍କଟରେ ଆକ୍ରାନ୍ତ ନ ଥିବା ଜଣାପଡ଼ିଛି। ତେବେ ଜଣଙ୍କଠାରେ ଗର୍ଭାଶୟ କର୍କଟର ଲକ୍ଷଣ ଦେଖିବାକୁ ମିଳିଛି।

ଚିହ୍ନଟ ହୋଇଥିବା ଗର୍ଭାଶୟ କର୍କଟ କ୍ଷେତ୍ରରେ ସବୁଠାର ଆଗରେ ରହିଛି ଗଞ୍ଜାମ ଜିଲ୍ଲା। ଏଠାରେ ୭୩୨୧ ଜଣଙ୍କଠାରେ ଏହା ଚିହ୍ନଟ ହୋଇଥିବା ବେଳେ କୋ‌ରାପୁଟରେ ୨୯୪୨, ଖୋର୍ଧାରେ ୨୬୭୩, କଟକରେ ୨୪୩୧, ରାୟଗଡ଼ାରେ ୨୪୫୪ ଓ କେନ୍ଦୁଝରରେ ୨୦୭୫ଜଣଙ୍କଠାରେ ଏହା ଦେଖିବାକୁ ମିଳିଛି। ଏହିସବୁ ଚିହ୍ନଟ ରୋଗୀମାନଙ୍କୁ ଆଉଥରେ ବିଶେଷଜ୍ଞ ଡାକ୍ତର ବିଶେଷକରି ସର୍ଜରି, ମେଡିସିନ୍, ସ୍ତ୍ରୀ ଓ ପ୍ରସୂତି ଓ ଦନ୍ତ ଚିକିତ୍ସକମାନଙ୍କ ଦ୍ବାରା ପରୀକ୍ଷା ଲାଗି କୁହାଯାଇଛି। ପ୍ରାଥମିକ ପରୀକ୍ଷା ପରେ ଯେଉଁମାନଙ୍କଠାରେ କର୍କଟ ରୋଗର ଲକ୍ଷଣ ଦେଖିବାକୁ ମିଳିଛି ସେମାନଙ୍କୁ ତୁରନ୍ତ ଏମ୍‌କେସିଜି, ଭିମ୍‌ସାର ଓ କଟକର ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ପଠାଇବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଏଭଳି ସ୍ଥିତିରେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ କ୍ୟାମ୍ପ ଆୟୋଜନ କରି ଆସନ୍ତା ମେ ୨୦ତାରିଖ ସୁଦ୍ଧା ଅଣ ସଂକ୍ରମିତ ରୋଗ ଚିହ୍ନଟ କାର୍ଯ୍ୟ ସାରିବାକୁ କୁହାଯାଇଛି। ଏହି କ୍ୟାମ୍ପରେ ଖର୍ଚ ହେବାକୁ ଥିବା ସମସ୍ତ ଅର୍ଥ ଜିଲ୍ଲା କର୍କଟ ସହାୟତା ଯୋଜନାରୁ ଖର୍ଚ କରାଯିବ। ରାଜ୍ୟରେ ହୋଇଥିବା ଏହି ରୋଗ ଚିହ୍ନଟ ସଂକ୍ରାନ୍ତରେ ସଂପୂର୍ଣ୍ଣ ବିବରଣୀକୁ ରାଜ୍ୟ ଏନ୍‌ସିଡି ସେଲକୁ ମେ ୩୧ତାରିଖ ସୁଦ୍ଧା ନିଶ୍ଚିତ ପଠାଇବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର