୩୭୦ ପଞ୍ଚାୟତରେ ହାଇସ୍କୁଲ୍‌ ନାହିଁ : ମନ୍ତ୍ରୀ

୧୩୨ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଜାଲିଆତି ଧରାପଡ଼ିଛି : ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ୩୭୦ ଗ୍ରାମ ପଞ୍ଚାୟତରେ ହାଇସ୍କୁଲ୍‌ ନାହିଁ। ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ନିୟମାବଳୀ ଅନୁସାରେ ହାଇସ୍କୁଲ୍‌ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ରହିଛି। ଏଣୁ ହାଇସ୍କୁଲ୍‌ ନ ଥିବା ପଞ୍ଚାୟତଗୁଡ଼ିକରେ ନିୟମ ଅନୁସାରେ ଦୂରତା ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ଓଏମ୍‌ଏସ୍‌ଏମ୍‌ଙ୍କୁ ପ୍ରସ୍ତାବ ଦେବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମା‌ଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗତ ୧୬ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି। ବିଧାୟକ କି‌େଶାର ଚନ୍ଦ୍ର ନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

୧୩୨ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଜାଲିଆତି ଧରାପଡ଼ିଛି : ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ୧୩୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍‌ ଜାଲିଆତି ଧରାପଡ଼ିଛି। ଏମାନଙ୍କ ମଧ୍ୟରୁ ୨୦ ଜଣ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ। ୧୧୨ ଜଣ କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ) ଓ କନିଷ୍ଠ ଶିକ୍ଷକ। ୨୦୧୧ ମସିହା ପରେ ଏମାନେ ନିଯୁକ୍ତି ପାଇଥିଲେ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଜଣାଇଛନ୍ତି, ବିଭିନ୍ନ ମହଲର ଅଭିଯୋଗକୁ ଆଧାର କରି ୨୦୧୧ ମସିହା ଠାରୁ ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ/କନିଷ୍ଠ ଶିକ୍ଷକ(ଚୁକ୍ତି ଭିତ୍ତିକ)/କନିଷ୍ଠ ଶିକ୍ଷକମାନଙ୍କ ସାର୍ଟିଫିକେଟ ଓ ମାର୍କସିଟ୍‌ ଯାଞ୍ଚ୍ କରିବା ପାଇଁ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ୨୭.୬.୨୦୧୯ରେ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସାର୍ଟିଫିକେଟ୍‌ ଜାଲିଆତି ଧରାପଡ଼ିଥିବା ୨୦ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାଏର କରାଯାଇଛି ଏବଂ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନେ ନେଇଥିବା‌ ବେତନ ଓ ଭତ୍ତା‌ ଅସୁଲ କରାଯିବା ବିଷୟ ଫୌଜଦାରୀ ମକଦ୍ଦମା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଫଳାଫଳ ଉପରେ ନିର୍ଭର କରେ। ଏହା ବାଦ୍ ୧୧୨ ଜଣ କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ) ଓ କନିଷ୍ଠ ଶିକ୍ଷକ ଜାଲ ସାର୍ଟିଫିକେଟ ପ୍ରଦାନ କରିଥିବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି।

ସମ୍ବନ୍ଧିତ ଖବର