ସୁନ୍ଦରଗଡ଼ରେ ଆବାସ ଚିତ୍ର: ୬ ବର୍ଷରେ ୩୭୧୦ ଘର ଅସମ୍ପୂର୍ଣ

ସୁନ୍ଦରଗଡ଼: ଗୃହହୀନ ଓ କଚ୍ଚା ଘରେ କାହାକୁ ରହିବାକୁ ଦିଆଯିବ ନାନହିଁ। ସମସ୍ତଙ୍କ ମୁଣ୍ଡ ଉପରେ ରହିବ ପକ୍କା ଘର। ଏହି ଘୋଷଣା ନେଇ ସରକାର ଇନ୍ଦିରାଆବାସ, ବିଜୁ ପକ୍କା ଘର, ଖଣି ଅଞ୍ଚଳ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। କିନ୍ତୁ ଗୋଟିଏ ପଟେ ପ୍ରାଶାସନିକ ଉଦାସୀନତା ଓ ଲାଞ୍ଚ କାରବାର ଏବଂ ଅନ୍ୟପଟେ ଲାଭଖୋର ଠିକାଦାର ହାତରେ ନିର୍ମାଣ ଦାୟିତ୍ବ ଯୋଗୁଁ ବହୁ ଘର ଅଧାପନ୍ତରିଆ ହୋଇ ପଡ଼ିରହିଛି ବା ଆଦୌ ନିର୍ମାଣ ଆରମ୍ଭ ହୋଇପାରି ନାହିଁ। କିଛି ସ୍ଥାନରେ ହିତାଧିକାରୀ ବୈଷୟିକ ପରାମର୍ଶ (ଏଷ୍ଟିମେଟ୍) ଠାରୁ ଅଧିକ ବଡ଼ ଘର ତିଆରି କରି ଦେଉଥିବାରୁ ସେସବୁ ସମ୍ପୂର୍ଣ୍ଣ ହୋଇପାରୁ ନଥିବା ପ୍ରକାଶ ପାଇଛି।

ଏହିକ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ୨୦୧୬-୧୭ ବର୍ଷରୁ ୨୦୨୦-୨୧ ବର୍ଷ ୬ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଇଥିବା ୧୦୮୫୧୮ ଘର ମଧ୍ୟରୁ ୨୦୨୨ ମାର୍ଚ୍ଚ ସୁଦ୍ଧା ୩୭୧୦ ଘର ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା ଜଣାଯାଏ। ୨୦୧୬-୧୭ ବର୍ଷରୁ ୨୦୧୮-୧୯ ଯାଏ ବିଜୁ ପକ୍କା ଘର ଯୋଜନାରେ ଜିଲ୍ଲାକୁ ୪୬୦୮ ଘର ଯୋଗାଇ ଦିଆଯାଇଥିଲା। ସେଥିମଧ୍ୟରୁ ୧୪୯ ଘର ନିର୍ମାଣ ଅସମ୍ପୂର୍ଣ୍ଣ ହୋଇ ରହିଛି। ୨୦୧୬-୧୭ ଓ ୨୦୧୭-୧୮ ବର୍ଷରେ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ୮ଟି ବ୍ଲକ କୋଇଡ଼ା, ଲହୁଣିପଡ଼ା, କୁତ୍ରା, ରାଜଗାଙ୍ଗପୁର, କୁଆରମୁଣ୍ଡା, ଗୁରୁଣ୍ଡିଆ, ହେମଗିର ଓ ନୂଆଗାଁ ବ୍ଲକକୁ ୮୫୯୯ ଘର ଯୋଗାଇ ଦିଆଯାଇଥିଲା। ସେଥିମଧ୍ୟରୁ ୨୫୯ ଘର ଏଯାଏ ନିର୍ମାଣ ହୋଇପାରିନି। ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ୨୦୧୬-୧୭ ଓ ୨୦୧୭-୧୮ ବର୍ଷରେ ୬୧୫ ଘର ଯୋଗାଇ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ୭ଟି ଘର ଅସମ୍ପୂର୍ଣ୍ଣ ହୋଇରହିଛି।

ସେହିପରି ୨୦୧୬-୧୭ରୁ ୨୦୨୦-୨୧ ବର୍ଷ ମଧ୍ୟରେ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୯୪୬୯୬ ଘର ଯୋଗାଇ ଦିଆଯାଇଥିଲା। ସେଥିମଧ୍ୟରୁ ୩୨୯୫ ଘର ଅସମ୍ପୂର୍ଣ୍ଣ ରହିଛି। ତେବେ ଖଣି ଅଞ୍ଚଳ ପକ୍କା ଘର ଯୋଜନା ବ୍ୟତୀତ ୧୭ଟି ବ୍ଲକକୁ ଅନ୍ୟ ଯୋଜନାରେ ଯୋଗାଇ ଦିଆଯାଇଥିବା ଘର ମଧ୍ୟରୁ ଏଯାଏ ୩୪୫୧ ଘର ଅସମ୍ପୂର୍ଣ୍ଣ ହୋଇରହିଛି। ସେଥିମଧ୍ୟରେ ଲହୁଣୀପଡ଼ା ବ୍ଲକରେ ୪୬୮, କୋଇଡ଼ା ବ୍ଲକରେ ୪୧୨, ଗୁରୁଣ୍ଡିଆ ବ୍ଲକରେ ୪୦୦, ନୂଆଗାଁ ବ୍ଲକରେ ୩୭୧, ଲେଫ୍ରିପଡ଼ା ବ୍ଲକରେ ୩୬୫, ବଣାଇଁଗଡ଼ ବ୍ଲକରେ ୧୯୬, ଲାଠିକଟା ବ୍ଲକରେ ୧୯୫, ବଡ଼ଗାଁ ବ୍ଲକରେ ୧୮୩, କୁଆରମୁଣ୍ଡା ବ୍ଲକରେ ୧୫୫, ବାଲିଶଙ୍କରା ବ୍ଲକରେ ୧୧୭, ଟାଙ୍ଗରପାଲି ବ୍ଲକରେ ୧୦୭, ବିଶ୍ରା ବ୍ଲକରେ ୧୦୬, ହେମଗିର ବ୍ଲକରେ ୧୦୫, ରାଜଗାଙ୍ଗପୁର ବ୍ଲକରେ ୮୩, କୁତ୍ରା ବ୍ଲକରେ ୭୪, ସୁନ୍ଦରଗଡ଼ ବ୍ଲକରେ ୬୪, ସବଡେଗା ବ୍ଲକରେ ୫୦ ଘର ଅସମ୍ପୂର୍ଣ୍ଣ ରହିଛି। ତନ୍ମଧ୍ୟରୁ ୧୬ଟି ଘର ନିର୍ମାଣ ଆଦୌ ଆରମ୍ଭ ହୋଇ ନଥିବା ବେଳେ ୧୨୦୮ଟି ଘର ପ୍ଲିନ୍ଥ ପଡ଼ିନି, ୮୦୫ ଘର ଛାତ ଯାଏ ପହଞ୍ଚିଥିବା ବେଳେ ୧୪୨୨ ଘରର ଛାତ ପଡ଼ିଥିବା ସୂଚନା ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେଉଁ ଘରଗୁଡ଼ିକୁ ପ୍ରଶାସନ ସମ୍ପୂର୍ଣ୍ଣ ଦେଖାଇ ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିଛି। ସେଥିମଧ୍ୟରୁ ବି ଅନେକ ଘର ଅସମ୍ପୂର୍ଣ୍ଣ ଥିବା ଅଭିଯୋଗ ରହିଛି। ଏହାର ତଦନ୍ତ ହେଲେ ଆବାସର ଅସଲ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର