ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ଜାଲ୍ ସାର୍ଟିଫିକେଟ୍ରେ କାମ କରୁଥିବା ଅଭିଯୋଗ ହୋଇଛି। ପର୍ଯ୍ୟାୟ କ୍ରମେ ଏମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ଡିଗ୍ରିଧାରୀଙ୍କ ସଂଖ୍ୟା ଢ଼େର ଅଧିକ। ତେବେ ଏମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବା ପାଇଁ ଦାବି ହୋଇଛି। ସୂଚନା ଅଧିକାର ଆଇନ ବଳରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ କାର୍ଯ୍ୟରତ ଥିବା ଅନ୍ୟ ରାଜ୍ୟର ଡିଗ୍ରିଧାରୀ ଶିକ୍ଷକଙ୍କୁ ଚିହ୍ନଟ କରାଯାଉଛି। ଏବେ ସୀମାନ୍ତ ପାତ୍ରପୁର ବ୍ଲକ୍ରୁ ୫୦ଜଣ ଶିକ୍ଷକ ଚିହ୍ନଟ ହୋଇଛନ୍ତି। ଏହି ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ପିଟିସନ୍ ରୁଜୁ ହୋଇଛି।
ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ସ୍କୁଲ, କଲେଜ ଛାତ୍ରଙ୍କ ଦବଦବା ରହିଛି। କିଛି ମାସ ତଳେ ଡାକ ବିଭାଗର ଜିଡିଏସ୍ ପଦବି ପାଇଁ ଆନ୍ଧ୍ର ସ୍କୁଲରୁ ମାଟ୍ରିକ୍ ପାସ୍ କରି ୬୦୦ରୁ ୬୦୦ ମାର୍କ ରଖିଥିବା ପିଲା ଆବେଦନ କରିଥିଲେ। ଏଭଳି ମାର୍କ ଦେଖି ଓଡ଼ିଶା ପିଲା ତାଜୁବ ହୋଇଯାଇ ଥିଲେ। ଏତେ ମାର୍କ ଯୋଗୁଁ ଓଡ଼ିଶା ପିଲା ପଛରେ ପଡ଼ି ଯାଇଥିବା ବେଳେ ଆନ୍ଧ୍ର ପିଲା ମେରିଟ୍ ଅନୁସାରେ ଚାକିରି ପାଇଥିଲେ। ଏବେ ଜିଲ୍ଲା ସାରା ବିଭିନ୍ନ ବ୍ଲକ୍ରେ ବହୁ ଆନ୍ଧ୍ର ଡିଗ୍ରିଧାରୀ ଶିକ୍ଷକଶିକ୍ଷୟିତ୍ରୀ ଚାକିରି କରୁଥିବା ତଥ୍ୟ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଛି। ସେମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବା ପାଇଁ ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ଶିକ୍ଷା ବିଭାଗ ନିକଟରେ ଆବେଦନ କରିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ୩୨୨ ଆନ୍ଧ୍ର ଓ ଅନ୍ୟ ରାଜ୍ୟର ଡିଗ୍ରିଧାରୀ ଶିକ୍ଷକଶିକ୍ଷୟିତ୍ରୀ କାମ କରୁଛନ୍ତି। ଏବେ ପାତ୍ରପୁର ବ୍ଲକ୍ରୁ ପୁଣି ୫୦ଜଣ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩୭୨ରେ ପହଞ୍ଚିଛି। ସୂଚନା ଅଧିକାର ଆଇନ ବଳରେ ପାତ୍ରପୁର ବିଓଇଙ୍କ କାର୍ଯ୍ୟାଳୟରୁ ଏହି ତଥ୍ୟ ହସ୍ତଗତ ହୋଇଛି। ୫୦ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୩୫ଜଣ ଶିକ୍ଷକ ଆନ୍ଧ୍ରର ବିଭିନ୍ନ ବିଶ୍ବବିଦ୍ୟାଳୟର ଶିକ୍ଷା ପ୍ରମାଣପତ୍ର ଦାଖଲ କରିଥିବା ସୂଚନା ଦିଆଯାଇଛି। କିନ୍ତୁ ଆଉ ୧୫ଜଣ ଆନ୍ଧ୍ରର କେଉଁ ବିଶ୍ବବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି, ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ସେମାନଙ୍କ ସମ୍ପର୍କରେ ସଠିକ୍ ସୂଚନା ନଦେବା ପଛରେ କଣ ରହସ୍ୟ ରହିଛି ବୋଲି ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। କିଛି ତଥ୍ୟ ଲୁଚାଇବା ପାଇଁ ସଠିକ୍ ସୂଚନା ଦିଆଯାଉ ନଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ଏଣୁ ଜିଲ୍ଲା ଶିକ୍ଷା ବିଭାଗ ଏହାକୁ ଗୁରୁତ୍ବର ସହ ନେଇ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ପ୍ରମୁଖଙ୍କୁ ପତ୍ର ପ୍ରେରଣ କରିଛନ୍ତି। ତଦନ୍ତରେ ଜାଲ୍ ସାର୍ଟିଫିକେଟ୍ ଧରାପଡ଼ିଲେ ସମ୍ପୃକ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦରମା ବାବଦରେ ନେଇଥିବା ଅର୍ଥ ଆଦାୟ କରିବାକୁ ଶ୍ରୀ ମହାନ୍ତି ତାଙ୍କର ପିଟିସନ୍ରେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Teacher-1.png)