ସୁରତରୁ ୩ ଟ୍ରେନ୍‌ରେ ଆସିଲେ ୩୭୪୦ ପ୍ରବାସୀ

ଛତ୍ରପୁର/ବ୍ରହ୍ମପୁର: ଆଜି ରାତିରେ ସୁରତ୍‌ରୁ ତିନିଟି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଗଞ୍ଜାମର ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଷ୍ଟେସନ୍‌ରେ ପହଞ୍ଚିଛି। ଏହି ୩ଟି ଟ୍ରେନ୍‌ରେ ସମୁଦାୟ ୩୭୪୦ ଜଣ ଆସିଛନ୍ତି। ଆସନ୍ତାକାଲି ଶ୍ରମିକଙ୍କୁ ନେଇ ପୁଣି ୩ଟି ସ୍ବତନ୍ତ୍ର ଟ୍ରେନ୍‌ ଆସୁଥିବା ରେଳବାଇ ଓ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି। ରାଜ୍ୟ ସରକାର ଆଜିଠାରୁ ସୁରତ୍‌ରୁ ବସ୍‌ ଆସିବା ଉପରେ ନିଷେଧାଦେଶ ଜାରି କରିଥିବାରୁ ଏଣିକି ସୁରତରୁ ଓଡ଼ିଶାକୁ ଟ୍ରେନ୍‌ରେ ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି।

ସୁରତରୁ ଆଜିର ପ୍ରଥମ ଟ୍ରେନ୍‌ ମଧ୍ୟାହ୍ନ ୧୨ଟା ୧୦ରେ ଜଗନ୍ନାଥପୁର ଷ୍ଟେସନ୍‌ରେ ଲାଗିଥିଲା। ସେଥିରୁ ୬ଟି ଜିଲ୍ଲାର ୧୨୬୭ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ। ଏଥିରେ ଗଞ୍ଜାମର ୧୨୧୬ ଜଣ, ଖୋର୍ଦ୍ଧାର ୨୦ଜଣ, ପୁରୀର ୨୦ଜଣ, ନୟାଗଡ଼ର ୯ଜଣ ଏବଂ ଭ୍ରଦକ ଓ ବାଲେଶ୍ବର ଜଣେ ଲେଖାଏଁ ଥିବା ଜଣାପଡ଼ିଛି। ସେହିପରି ଆଜି ଅପରାହ୍‌ଣ ୪ଟା ୪୮‌ରେ ଦ୍ବିତୀୟ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଲାଗିଥିଲା। ସେଥିରୁ ୧୨୭୨ ଶ୍ରମିକ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ଗଞ୍ଜାମର ୧୨୫୦, ପୁରୀର ୧୯, ଖୋର୍ଦ୍ଧା, ପୁରୀ, ଭଦ୍ରକ ଓ କନ୍ଧମାଳର ଜଣେ ଲେଖାଏଁ ଥିବା ଜଣାପଡ଼ିଛି। ରାତି ୮ଟା ୩୦ରେ ତୃତୀୟ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେସନ୍‌ରେ ଲାଗିଥିଲା। ଏଥିରୁ ୧୨୦୧ଜଣ ଓହ୍ଲାଇଥିଲେ। ଏମାନଙ୍କ ମଧ୍ୟରେ ୧୧୮୪ଜଣ ଗଞ୍ଜାମର, ୧୬ଜଣ ନୟାଗଡ଼ ଜିଲ୍ଲାର ଏବଂ ଜଣେ ଖୋର୍ଦ୍ଧା ଜିଲ୍ଲା ଥିବା ସୂଚନା ମିଳିଛି। ସମସ୍ତଙ୍କ ସ୍କ୍ରିନିଂ କରା ଯାଇଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଲୋକଙ୍କୁ ବସ୍‌ ଯୋଗେ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ସେହିପରି ଅନ୍ୟ ଜିଲ୍ଲାର ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ବସ୍‌ରେ ସେମାନଙ୍କ ଜିଲ୍ଲା ପ୍ରଶାସନ ପକ୍ଷରୁ ପଠା ଯାଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୯ଟି ବସ୍‌ ନିୟୋଜିତ ହୋଇଥିବା ସୂଚନା ମିଳିଛି।

ଜଗନ୍ନାଥପୁର ଷ୍ଟେସନ୍‌ରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଏସ୍‌ଡିପିଓ ଗୌତମ କିଶାନ୍‌, ବ୍ରହ୍ମପୁର ଆର୍‌ପିଏଫ୍‌ ଓ ୩୦ ଜଣ କର୍ମଚାରୀ ଏବଂ ଶହେରୁ ଊର୍ଦ୍ଧ୍ବ ପୁଲିସ ମୁତୟନ ଥିଲେ। ସେହିପରି ମୁନିଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ସ୍ବାସ୍ଥ୍ୟ ବିଭାଗର ୧୨ଟି ଆର୍‌ଆର୍‌ ଟିମ୍ ଏବଂ ଜିଲ୍ଲାର ୧୦ରୁ ଊର୍ଦ୍ଧ୍ବ ଡାକ୍ତର ଉପସ୍ଥିତ ରହି ସମସ୍ତ ପ୍ରବାସୀ ଓଡ଼ିଆ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର